ଦେଶରୁ ଅସ୍ପୃଶ୍ୟତା ଦୂରହେଲେ ଆମଦେଶ ଭାରତ ଶକ୍ତିଶାଳୀ ହୋଇଯିବ
‘ସାମାଜିକ ସମରସତା’ । ଏହାର ଅର୍ଥ ହେଉଛି ସମାଜରୁ ଜାତିଭେଦ ଯାଉ । ଜାତିଦୃଷ୍ଟିରୁ ଉଚ୍ଚନୀଚ୍ଚ ଭେଦଭାବ ଯାଉ । ଅସ୍ପୃଶ୍ୟତା ଯାଉ । ଏହାକୁ ଦୂରକରିବା ପାଇଁ ଗୁରୁ ଗୋବିନ୍ଦ ସିଂହ ବହୁତ ଚେଷ୍ଟା କରିଥିଲେ । ସେ ଗୋଟିଏ କବିତା ଲେଖିଲେ-
ସୋ ସଫଳା ଜଗମେ ତବ ହୁଏ ହେଁ । ଲଘୁଜାତନକୋ ବଡପନ ଦେ ହେଁ ।
ଇନ୍ହିକୋ ସରଦାର୍ ବନାଉ । ତବହି ଗୁରୁଗୋବିନ୍ଦ ସିଂ ନାମ କହାଁଉ ।
ଗୁରୁ ଗୋବିନ୍ଦ ସିଂହ ଅନୁସୂଚିତ ଜାତିର ଭାଇମାନଙ୍କୁ ଲଘୁଜାତି ବୋଲି ସମ୍ବୋଧନ କରୁଥିଲେ । ଏବଂ ଲଘୁଜାତିର ଭାଇମାନଙ୍କୁ ତାଙ୍କ ସୈନ୍ୟ ବାହିନୀରେ ସେନାପତି ବା ସର୍ଦ୍ଦାର ବନାଉ ଥିଲେ ।
ଗୁରୁ ଗୋବିନ୍ଦ ସିଂହଙ୍କ ପୂର୍ବରୁ ଏବଂ ପରେ ଅନେକ ସନ୍ଥ, ଅନେକ ସମାଜସେବୀ ଦେଶରୁ ଅସ୍ପୃଶ୍ୟତା ଦୂରକରିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ଭିତରେ ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ମହାତ୍ମା ଫୁଲେଜୀ, ଡକ୍ଟର ଆମ୍ବେଦକରଜୀ , ମହାତ୍ମା ଗାନ୍ଧୀ, ଡକ୍ଟର ହେଡଗେୱାରଜୀ, ଗୁରୁ ଗୋଲୱାକରଜୀ ଏବଂ ବାଲାସାହେବଜୀ ଅନ୍ୟତମ । ସେମାନଙ୍କର ଏତେ ପ୍ରଚେଷ୍ଟା ସତ୍ତ୍ୱେବି ଜାତିଭେଦ ଦୂରହୋଇ ପାରିଲା ନାହିଁ ।
୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ପଶ୍ଚିମ ସୀମାରେ ପାକିସ୍ତାନର ବେଶି ଭିତରକୁ ଯେଉଁ ରେଜିମେଣ୍ଟ ପଶିଥିଲା ତା ହେଉଛି ମାହାର ରେଜିମେଣ୍ଟ । ଏହି ରେଜିମେଣ୍ଟରେ ମହାରାଷ୍ଟ୍ରର ମାହାର ଭାଇମାନେ କାମ କରନ୍ତି । ସେମାନେ ଅନୁସୂଚିତ ଜାତି ସଂପ୍ରଦାୟର ଅଟନ୍ତି । ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଜେନରାଲ ମାନେକ୍ ସା ନିଜେ ଯୁଦ୍ଧ ଭୂମିକୁ ଯାଇ ସେମାନଙ୍କୁ ସାକ୍ଷାତ କରିଥିଲେ । ଅନୁସୂଚିତ ଜାତିର ଭାଇମାନଙ୍କର ଏତେ ବିରତ୍ୱ ସତ୍ତ୍ୱେବି ଆମ ଦେଶରୁ ଅସ୍ପୃଶ୍ୟତା ସମ୍ପୂର୍ଣ୍ଣ ରୂପେ ଦୁରହୋଇ ପାରିନାହିଁ । ମହାଭାରତ ଯୁଦ୍ଧ ପରେ ଯୁଧିଷ୍ଠିରଙ୍କ ଶାସନ ସମୟରେ ବିଦୁର ନୀତିରୁ ଜଣାଯାଏ ଯେ ସେ ସମୟରେ ଜାତିଭେଦ ନଥିଲା । ଯିଏ ଯେଉଁ କର୍ମ କରୁଥିଲେ ସେହି ହିସାବରେ ତାଙ୍କ ଜାତି ନିର୍ଦ୍ଧାରଣ ହେଉଥିଲା । ଜଣେ ଚାହୁଁଥିଲେ ତାଙ୍କ କାମ ପରିବର୍ତ୍ତନ କରି ଜାତିର ପରିବର୍ତ୍ତନ କରିପାରୁଥିଲେ । ଏଥିପାଇଁ ରାଜାଙ୍କର ଅନୁମତି ଦରାକାର ପଡୁନଥିଲା । କିନ୍ତୁ କଳିଯୁଗରେ କିଛି ସ୍ୱାର୍ଥପର ଲୋକ ଜନ୍ମକୁ ନେଇ ଜାତିପ୍ରଥା କଲେ ଏବଂ ପରିଚର୍ଯ୍ୟା ଓ ସେବା କରୁଥିବା ଲୋକମାନଙ୍କୁ ନୀଚ ଜାତିବୋଲି କହିଲେ । ଏହି କଳିକାଳରେ ସବୁ ବିପରୀତ କାମ ଚାଲିଛି । କେବଳ ସମାଜ ଚାହିଁଲେ ଦେଶରୁ ଜାତିଭେଦ ଦୁରହୋଇପାରିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଆଦୌ ଜାତିଭେଦ ନାହିଁ । ମହାତ୍ମା ଗାନ୍ଧି ୧୯୩୪ ମସିହାରେ ୱାର୍ଦ୍ଧା ଠାରେ ଚାଲୁଥିବା ସଂଘ ଶିବିର ପରିଦର୍ଶନ କରି ଏହା ଅନୁଭବ କରିଥିଲେ । ଡକ୍ଟର ଆମ୍ବେଦକର ମଧ୍ୟ ସେହି ଏକା କଥା ସଂଘର ପୁନା ଶିବିର ୧୯୩୯ ମସିହାରେ ପରିଦର୍ଶନ ସମୟରେ ଅନୁଭବ କରିଥିଲେ । ସ୍ୱାଧୀନ ଭାରତରେ ବିଶିଷ୍ଟ ସମାଜବାଦୀ ନେତା ତଥା ଅନୁସୂଚିତ ଜାତିର ନେତା ରାମଧନ ମଧ୍ୟ କହିଥିଲେ ଯେ, ସଂଘ ଚାହିଁଲେ ଆମକୁ ଅସ୍ପୃଶ୍ୟତାରୁ ରକ୍ଷା କରିପାରିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟ ଏହାର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟ ହାତକୁ ନେଇଛି । ଏଥିପାଇଁ ଜାତି ଜାତି ଭିତରେ ରୋଟି ବେଟିର ସଂପର୍କ ବଢାଇବାକୁ ପଡିବ । ଏହା ସହିତ ବିଭିନ୍ନ ମନ୍ଦିର ମାନଙ୍କରେ ଆମକୁ ଶୁଦ୍ର ସମାଜର ଲୋକମାନଙ୍କୁ ପୂଜକ ଭାବେ ନିଯୁକ୍ତି ଦେବାକୁ ପଡିବ । ଅତ୍ୟନ୍ତ ଖୁସିର କଥା ଯେ, ପ୍ରୟାଗରାଜର ମୌଜଗିରି ଆଶ୍ରମରେ ଜଣେ ଅନୁସୂଚିତ ଜାତିର ସାଧୁଙ୍କୁ ଜଗତଗୁରୁ ପଦରେ ଅଧିଷ୍ଠିତ କରାଯାଇଛି । ଚାରିଜଣ ଅନୁସୂଚିତ ଜାତିର ସାଧୁଙ୍କୁ ଅହମ୍ମଦାବାଦ ବା କର୍ଣ୍ଣାବତୀରେ ମହାମଣ୍ଡଳେଶ୍ୱର ପଦରେ ଅଧିଷ୍ଠିତ କରାଯାଇ ପାରିଛି । ସେମାନଙ୍କ ନାଁ ହେଲା ମହନ୍ତ ମଙ୍ଗଲ ଦାସ, ପ୍ରେମ ଦାସ, ହରିପ୍ରସାଦ ଏବଂ ମୋହନ ବାପୁ । ଏହି କାର୍ଯ୍ୟ କରୁଥିବା ଜୁନା ଆଖଡାର ମୁଖ୍ୟ ମହନ୍ତ ପ୍ରେମ ଗିରି କହିଛନ୍ତି ଯେ,ଜନଜାତି ସଂପ୍ରଦାୟର ୫୨ ଜଣ ସାଧୁଙ୍କୁ ନିକଟ ଭବିଷ୍ୟତରେ ମହାମଣ୍ଡଳେଶ୍ୱର ପଦରେ ଅଧିଷ୍ଠିତ କରାଯିବ । ଏହି ପ୍ରକ୍ରିୟା ଆଗକୁ ଚାଲୁ ରହିଲେ ଆମ ଦେଶରେ ସାମାଜିକ ସମରସତା ଆସିଯିବ । ଏହାଦ୍ୱାରା ଆମ ଦେଶ ଶକ୍ତିଶାଳୀ ହେବ । ଦିନେ ଆମେରାକିରେ ମଧ୍ୟ ସାମାଜିକ ବିସମତା ଥିଲା । ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ନେତୃତ୍ୱରେ ସେଠାରେ ସାମାଜିକ ସମରସତା ପ୍ରତିଷ୍ଠା କରାଗଲା । ଯାହାଫଳରେ ଆମେରିକା ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଲା । ଠିକ୍ ସେହିଭଳି ଆମ ଦେଶରୁ ଅସ୍ପୃଶ୍ୟତା ଦୂରହେଲେ ଆମର ହିନ୍ଦୁ ସମାଜ ଏବଂ ଆମଦେଶ ଭାରତ ଶକ୍ତିଶାଳୀ ହୋଇଯିବ ।