ସହରରେ ଚିହ୍ନଟ ହୋଇ ପାରୁନଥିବା ବେଳେ ଉପକୂଳରେ କିପରି ଚିହ୍ନଟ କରାଯିବ

ରାଜଧାନୀରେ ମାଳ ମାଳ; ଉପକୂଳରେ ପ୍ରବଳ
ଭୁବନେଶ୍ବର: ଅଧାରୁ ଅଟକିଛି ବାଂଲାଦେଶୀ ତଡ଼ିବା ପ୍ରକ୍ରିୟା । ତଡ଼ିବା ଦୂରର କଥା, ଏମାନଙ୍କୁ ଚିହ୍ନଟ କରିବାରେ ବି ପୁଲିସ ଫେଲ୍ ମାରିଛି। ଗୁଇନ୍ଦା ବିଫଳ ପରେ ସେନା ଦଳ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟାର ଦାୟିତ୍ଵ ନେଇଥିଲା। ଆଠଗଡ଼ରେ ଅସ୍ଥାୟୀ କାରାଗାର କରାଯାଇଥିଲା। ବିଭିନ୍ନ ଜିଲାରୁ ଚିହ୍ନଟ ବାଂଲାଦେଶୀଙ୍କୁ ସେଠାରେ ରଖାଯାଉଥିଲା। ସେମାନଙ୍କ ପରିଚୟପତ୍ର ତନଖି ପରେ କାହାକୁ ଛଡ଼ା ଯାଇଥୁଲା, ଆଉ କାହାକୁ ସ୍ବଦେଶ ଫେରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିଛି ଦିନର ଅଭିଯାନ ପରେ ଏବେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହାଫଳରେ ରାଜ୍ୟରେ ବାଂଲାଦେଶୀ ଡେରା ପକାଇଛନ୍ତି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ମାଳ ମାଳ ବାଂଲାଦେଶୀ ରହିଛନ୍ତି। ସେମାନଙ୍କୁ ଆଉ ଚିହ୍ନଟ କରାଯାଉନି। ଅନୁପ୍ରବେଶକାରୀମାନେ ଏବେ ଓଡ଼ିଶାକୁ
ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଅଭିଯାନ ପୁଣି କେବେ ଆରମ୍ଭ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ତଦନ୍ତରେ ଶିଥିଳତା- ଏକବିଂଶ ଶତାବ୍ଦୀରୁ ବିଶ୍ବ ପାଇଁ ଆତଙ୍କବାଦ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭାରତ ସମେତ ଏସିଆର ଅଧିକାଂଶ ରାଷ୍ଟ୍ର ଆତଙ୍କବାଦର ଶିକାର ହେଉଛି। ପ୍ରତି ମୁହର୍ଷରେ ପାକିସ୍ତାନୀ ଓ ଅନ୍ୟ ଇସ୍‌ଲାମୀୟ ଆତଙ୍କବାଦୀ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖୁଛନ୍ତି। ଭାରତ- ପାକିସ୍ତାନ ଯୁଦ୍ଧ ‘ସିନ୍ଦୂର’ ଆରମ୍ଭ ହେବା ପରେ ସରକାର ସତର୍କ ହୋଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖୁ ଅନୁପ୍ରବେଶକରୀଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ। ତଦନ୍ତକାରୀ ସଂସ୍ଥାକୁ ଚିହ୍ନଟ ପାଇଁ ଦାୟିତ୍ୱ ଦେଇଥିଲେ। ଅନୁପ୍ରବେଶକାରୀ ଚିହ୍ନଟ ନିର୍ଦେଶ ହେବା ପରେ ମଧ୍ଯ ଦିନ ପରେ ଦିନ ଗଡ଼ି ଯାଇଥିଲା। ଜଣେ ହେଲେ ବି ଅନୁପ୍ରବେଶକାରୀକୁ ଚିହ୍ନଟ କରିବାରେ ତଦନ୍ତକାରୀ ସଂସ୍ଥା ସଫଳ ହୋଇନଥିଲା। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା କାର୍ଯ୍ୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭୂମିକା ରହିଥିଲା। ଗୁଇନ୍ଦା ବିଫଳ ହେବା ପରେ ଏହି ଦାୟିତ୍ବ ସେନା ଦଳକୁ ଦିଆଯାଇଥିଲା। କେବଳ ଓଡ଼ିଶା ନୁହେଁ, ବିଭିନ୍ନ ରାଜ୍ୟରେ ସେନା ଦଳର ତତ୍ତ୍ବାବଧାନରେ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଅଭିଯାନକୁ ଜୋରଦାର କରାଯାଇଥିଲା । କିଛି ଦିନ ପରେ ଏହି ଅଭିଯାନ ଆଉ ଆଗକୁ ବଢ଼ିନଥିଲା।
ସହରରେ ଚିହ୍ନଟ ହୋଇ ପାରୁନଥିବା ବେଳେ ଉପକୂଳରେ କିପରି ଚିହ୍ନଟ କରାଯିବ-
କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋଦାର କରାଯାଇଥିଲା। ଏଥିଲାଗି ସ୍ଵତନ୍ତ୍ର ସେନା ଦଳ କାର୍ଯ୍ୟ କରୁଥିଲା । ସେନା ଦଳ ତତ୍ତ୍ବାବଧାନରେ ଓଡ଼ିଶା ପୁଲିସ ବାଂଲାଦେଶୀଙ୍କୁ ଉଠାଇ ଆଣୁଥିଲା। କମିସନରେଟ ପୁଲିସ ରାଜଧାନୀରୁ ପ୍ରାୟ ୪୦ ବାଂଲାଦେଶୀଙ୍କୁ ଧରି ସେନା ଦଳକୁ ହସ୍ତାନ୍ତର କରିଥିଲା। ସହରୀ ପୁଲିସର ସ୍ଵତନ୍ତ୍ର ଗୁଇନ୍ଦା ସଂସ୍ଥା ରହିଛି, ଡିଆଇବି ମଧ୍ୟ କାର୍ଯ୍ୟ କରୁଛି, ଆୟୁକ୍ତଙ୍କ ଅଧୀନରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ (ଏସ୍‌ସିୟୁ) ରହିଥିବାବେଳେ ବାଂଲାଦେଶୀଙ୍କୁ ଚିହ୍ନଟ ଅଭିଯାନ ବିଫଳ ହୋଇଛି। କମିସନରେଟ ପୁଲିସର ଗୁଇନ୍ଦା ସଂସ୍ଥା ବାଂଲାଦେଶୀ ଚିହ୍ନଟ କରିବାରେ ସମ୍ପୂର୍ଣ୍ଣ ବିଫଳ ହେବା ଏଥିରୁ ସ୍ପଷ୍ଟ ହୋଇସାରିଛି। ସହରରେ ସେମାନଙ୍କୁ ଚିହ୍ନଟ କରାଯାଇପାରୁନଥ‌ିବାବେଳେ ଉପକୂଳରେ ଥିବା ଅନୁପ୍ରବେଶକାରୀଙ୍କୁ କିପରି ଚିହ୍ନଟ କରାଯିବ ତାହା ବଡ଼ ଆହ୍ବାନ ହୋଇଛି । ସହର ଅପେକ୍ଷା ଉପକୂଳରେ ହଜାର ହଜାର ବାଂଲାଦେଶୀ ରହିଥ‌ିବା ଜଣାପଡ଼ିଛି । କିଛି ବାଂଲାଦେଶୀ ଅପରାଧରେ ଜଡ଼ିତ ରହୁଛନ୍ତି । ବାଂଲାଦେଶରେ ରହୁଥ‌ିବା ସମ୍ପର୍କୀୟ ଓ ପରିବାର ଲୋକଙ୍କ ସହିତ ସମ୍ପର୍କ ରଖୁବା ରାଜ୍ୟ ପାଇଁ ବିପଦ ଆଶଙ୍କା ରହିଛି।
ସେମାନଙ୍କ ହାତରେ ନକଲି ପରିଚୟପତ୍ର-
ଅନୁପ୍ରବେଶକାରୀଙ୍କ ହାତରେ ନକଲି ପରିଚୟପତ୍ର ଥିବାରୁ ତାଙ୍କ ଠିକଣା ପାଇବା ତଦନ୍ତକାରୀ ସଂସ୍ଥା ପାଇଁ କଷ୍ଟକର ବ୍ୟାପାର ହୋଇଛି । ସେମାନେ ଭାରତର ଆଧାର କାର୍ଡ, ପ୍ୟାନ୍ କାର୍ଡ ଆଦି ହାତେଇବାରେ ସଫଳ ହୋଇଛନ୍ତି । କିଛି ଦିନ ତଳେ ପାସ୍ପୋର୍ଟ ପ୍ରସ୍ତୁତ କରିବାକୁ ଆସି ନୂଆପଲ୍ଲୀ ଥାନା ପୁଲିସ ହାତରେ ପ୍ରାୟ ୬ ବାଂଲାଦେଶୀ ଧରାପଡ଼ିଥିଲେ। ସିମ୍ ବକ୍ସ ଜବତ ଘଟଣାରେ ମଧ୍ୟ ବାଂଲାଦେଶୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ଏହାର ମାଷ୍ଟରମାଇଣ୍ଡକୁ ଧରିବାରେ ପୁଲିସ ବିଫଳ ହୋଇଛି। ବିମାନ ବନ୍ଦରରୁ ଆଫଗାନିସ୍ଥାନ ନାଗରିକ ଧରାପଡ଼ିବା ପରେ ତଦନ୍ତକାରୀ ସଂସ୍ଥା ପାଇଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆହ୍ବାନ ହୋଇଥିଲା। ଏମାନେ ଆସାମ ଦେଇ ଭାରତକୁ ପ୍ରବେଶ କରୁଛନ୍ତି। ବିନା ଭିସା ଓ ପାସପୋର୍ଟରେ ଓଡ଼ିଶାରେ ପହଞ୍ଚୁଛନ୍ତି। କିଛି ବର୍ଷ ରହିବା ପରେ ନକଲି ପ୍ରମାଣପତ୍ର ବଳରେ ନିଜକୁ ସ୍ଥାୟୀ ବାସିନ୍ଦା ଦର୍ଶାଉଛନ୍ତି। ବିଭିନ୍ନ ଅପରାଧରେ ବାଂଲାଦେଶୀଙ୍କ ସମ୍ପୃକ୍ତି ନଜରକୁ ଆସୁଛି । କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍ଟିଟିଏଫ୍) ଭୁବନେଶ୍ବର ରେଳ ଷ୍ଟେସନରୁ ବାଂଲାଦେଶୀ ଧରିବା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଏସ୍ଟିଟିଏଫ୍ ବାଂଲାଦେଶୀ ବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ସ୍ବତନ୍ତ୍ର ଦଳ ଗଠନ କରିଥିଲା। ସହରାଞ୍ଚଳରେ ଥ‌ିବା ଅନୁପ୍ରବେଶକାରୀଙ୍କୁ ଏବେ ଚିହ୍ନଟ କରାଯାଉଥିଲା। କାହା ନିର୍ଦେଶରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାକୁ ବନ୍ଦ କରାଯାଇଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *