ଅସନ୍ତୋଷ ଓ ଅଶାନ୍ତି ନିଆଁରେ ଜଳୁଛି ନେପାଳ । ହିଂସାତ୍ମକ ବିଦ୍ରୋହରେ ୨ ଦିନ ମଧ୍ୟରେ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ହୁହୁ ହୋଇ ଜଳୁଛି ନେପାଳ ରାଷ୍ଟ୍ରପତି ଓ ମନ୍ତ୍ରୀଙ୍କ ବାସଭବନ । ବିଦ୍ରୋହୀଙ୍କ କବଜାରେ ରହିଛି ନେପାଳ ସଂସଦ, ରାଷ୍ଟ୍ରପତି ଭବନ । ରାଜଧାନୀ କାଠମାଣ୍ଡୁରେ ଅସୁରକ୍ଷିତ ପ୍ରଧାନମନ୍ତ୍ରୀ କେପି ଓଲୀଙ୍କୁ ଦେଶ ବାହାରକୁ ପଠାଇବାକୁ ଯୋଜନା କରୁଛି ନେପାଳ ସେନା । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେପି ଓଲୀଙ୍କ ଇସ୍ତାଫା ପରେ ନେପାଳ ସଂସଦ ଭବ ଆଗରେ ବିଜୟ ଉତ୍ସବ ମନାଉଛନ୍ତି Gen-Z ବିକ୍ଷୋଭକାରୀ । ପଡୋଶୀ ନେପାଳକୁ ଭାରତରୁ ବିମାନ ଉଡାଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଦ୍ଦ ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ପ୍ରବାସୀ ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ ।
ନେପାଳରେ ଓଲୀ ଶାସନର ଅନ୍ତ ହେବା ସହ କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହ ଓରଫ ବୋଲେନ ଶାହ କ୍ଷମତା ଅକ୍ତିଆର କରିବା ନେଇ ଚର୍ଚ୍ଚା ଜୋର ଧରିଛି । କମ୍ୟୁନିଷ୍ଟ ପାର୍ଟି ମୁଖ୍ୟାଳୟ ସହ କ୍ଷମତାସୀନ ନେପାଳୀ କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ଉପପ୍ରଧାନମନ୍ତ୍ରୀ ବିଷ୍ଣୁପ୍ରସାଦଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । କୀର୍ତ୍ତିପୁର ନଗରପାଳିକା ଭବନ, ନେପାଳୀ କଂଗ୍ରେସ ଅଧ୍ୟକ୍ଷଙ୍କ ଘର ବି ଜଳିଛି । ଏପଟେ ନେପାଳରେ ଆନ୍ଦୋଳନକୁ ମିଳିଛି ବଡ଼ ରାଜନୈତିକ ସମର୍ଥନ । ଇସ୍ତଫା ଦେଇଛନ୍ତି ନେପାଳ ଗୃହ, କୃଷି ଓ ସ୍ବାସ୍ଥ୍ୟ ମନ୍ତ୍ରୀ। ଆଉ ୨୧ ଜଣ ସାଂସଦ ଇସ୍ତଫା ଦେବାକୁ କରିଛନ୍ତି ଘୋଷଣା ।