ସଂଘ ଯାତ୍ରାର ଶହେ ବର୍ଷ ଓ ନୂତନ ଦିଗନ୍ତ’ବ୍ୟାଖ୍ୟାନମାଳା – ତୃତୀୟ ଦିବସ
ଭାରତ ଅଖଣ୍ଡ ଅଟେ ଏବଂ ହିନ୍ଦୁ ରାଷ୍ଟ୍ର ଅଟେ – ଡ଼ଃ ମୋହନ ଭାଗବତ
ନୂଆଦିଲ୍ଲୀ, ୨୮ ଅଗଷ୍ଟ। ସଂଘ ଶତାବ୍ଦୀ ବର୍ଷ ଉପଲକ୍ଷେ ଆୟୋଜିତ ତିନିଦିନିଆ ବ୍ୟାଖ୍ୟାନମାଳା ସଂଘ ଯାତ୍ରାର ଶହେ ବର୍ଷ ଓ ନୂତନ ଦିଗନ୍ତ’ବ୍ୟାଖ୍ୟାନମାଳା – ତୃତୀୟ ଦିବସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡ଼ଃ ମୋହନ ଭାଗବତ ବିଭିନ୍ନ ଜିଜ୍ଞାସାର ସମାଧାନ କରିଛନ୍ତି । ସେ କହିଛନ୍ତି , “ଭାରତ ଅଖଣ୍ଡ ଅଟେ, ଏହା ଜୀବନର ତଥ୍ୟ । ପୂର୍ବଜ, ସଂସ୍କୃତି ଏବଂ ମାତୃଭୂମି ଆମକୁ ଏକ କରିଥାଏ । ଅଖଣ୍ଡ ଭାରତ କେବଳ ରାଜନୀତି ନୁହେଁ, ବରଂ ଜନମାନସର ଏକତା। ଯେତେବେଳେ ଏହି ଭାବନା ଜାଗୃତ ହେବ, ସେତେବେଳେ ସମସ୍ତେ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ଭାବେ ରହିବା ।”ସଂଘ ସମ୍ପର୍କରେ ଏହି ଧାରଣା ଭୁଲ୍ ଯେ ସେ କାହାର ବିରୋଧୀ। ଆମର ପୂର୍ବଜ ଏବଂ ସଂସ୍କୃତି ସମାନ। ପୂଜା ପଦ୍ଧତି ଅଲଗା ହୋଇପାରେ, କିନ୍ତୁ ପରିଚୟ ଏକ। ଅନ୍ତର୍ଧାର୍ମିକ ବିଶ୍ୱାସ କାୟମ କରିବାର ଆବଶ୍ୟକତା ସବୁ ପକ୍ଷ ପାଇଁ ରହିଛି। ମୁସଲମାନମାନେ ଏହି ଆଶଙ୍କା ଛାଡ଼ିବାକୁ ପଡ଼ିବ ଯେ, ସାଙ୍ଗରେ ଚାଲିଲେ ତାଙ୍କର ଇସଲାମ ସମାପ୍ତ ହୋଇଯିବ ।
ସରସଂଘଚାଳକ ମୋହନ ଭାଗବତ ସ୍ୱାଧୀନତା ସଂଗ୍ରାମ ଏବଂ ବିଭିନ୍ନ ସାମାଜିକ ଆନ୍ଦୋଳନରେ ସଂଘର ଭୂମିକାକୁ ରେଖାଙ୍କିତ କରିଥିଲେ। ସେ କହିଥିଲେ ଯେ, ସାମାଜିକ ଆନ୍ଦୋଳନରେ ସଂଘ କେବେ ଅଲଗାରେ ନିଜର ପତାକା ଉଠାଏ ନାହିଁ। ଯେଉଁଠାରେ ଭଲ କାମ ହେଉଛି, ସେଠି ସହଯୋଗ କରିବା ପାଇଁ ସ୍ୱୟଂସେବକମାନଙ୍କୁ ଖୋଲା ଛୁଟ ରହିଛି।
ଆରଏସଏସର କାର୍ଯ୍ୟ ପଦ୍ଧତି ବିଷୟରେ ସରସଂଘଚାଳକ ସ୍ପଷ୍ଟ କରି କହିଛନ୍ତି ଯେ, “ସଂଘର କୌଣସି ଅଧୀନସ୍ଥ ସଂସ୍ଥା ନାହିଁ, ସମସ୍ତ ସଂଗଠନ ସ୍ୱାଧୀନ, ସ୍ୱାୟତ୍ତ ଏବଂ ଆତ୍ମ ନିର୍ଭର ।” ସଂଗଠନ ଏବଂ ଦଳ ମଧ୍ୟରେ କେବେ କେବେ ମତଭେଦ ଦେଖିବାକୁ ମିଳିପାରେ, କିନ୍ତୁ ସେହିଟା କେବଳ ସତ୍ୟର ସନ୍ଧାନ ପ୍ରକ୍ରିୟା। ସଂଘର୍ଷକୁ ପ୍ରଗତିର ଉପାୟ ମାନି ସମସ୍ତେ ନିଜ-ନିଜ କ୍ଷେତ୍ରରେ ନିସ୍ୱାର୍ଥ ଭାବରେ କାମ କରନ୍ତି। “ଆମ ପାଖରେ ମତଭେଦ ହୋଇପାରେ, କିନ୍ତୁ ମନଭେଦ ନୁହେଁ,” ଏହି ବିଶ୍ୱାସ ସମସ୍ତଙ୍କୁ ଗୋଟିଏ ଗନ୍ତବ୍ୟ ପର୍ଯ୍ୟନ୍ତ ନେଇଯାଏ।
ସଂଘର ବିରୋଧରେ ମତ ରଖୁଥିବା ଅନ୍ୟ ରାଜନୈତିକ ଦଳମାନଙ୍କୁ ସହଯୋଗ ଏବଂ ବିରୋଧୀ ଭାବନା ରଖୁଥିବାମାନଙ୍କ ପ୍ରତି ଆଭିମୁଖ୍ୟ ବିଷୟରେ ଉଦାହରଣ ଦେଇ ସେ କହିଛନ୍ତି ଯେ, ମୌଲାନା ଆଜାଦଙ୍କ ଠାରୁ ଆରମ୍ଭ କରି ପ୍ରଣବ ମୁଖର୍ଜୀ ପର୍ଯ୍ୟନ୍ତ ସଂଘ ସମ୍ବନ୍ଧରେ ନିଜର ମତ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି , “ଭଲ କାମ ପାଇଁ ସହାୟତା ଚାହିଁଥିବାମାନଙ୍କୁ ସଂଘ ସଦା ସହଯୋଗ କରେ। ଯଦି ସାମ୍ନାରୁ ବାଧା ଆସେ, ତେବେ ସେମାନଙ୍କର ଇଚ୍ଛାକୁ ସମ୍ମାନ ଦେଇ ସଂଘ ପଛକୁ ହଟିଯାଏ।”
ସେ କହିଲେ ଯେ, “ଆମକୁ ଚାକିରି ମାଗୁଥିବା ନୁହେଁ, ଚାକିରି ଦେଇପାରୁଥିବା ହେବାକୁ ପଡ଼ିବ। ଆଜୀବିକା ମାନେ କେବଳ ଚାକିରି, ଏହି ଭ୍ରମକୁ ସମାପ୍ତ କରିବାକୁ ହେବ।” ଏଥିରୁ ସମାଜର ଉପକାର ହେବ ଏବଂ ଚାକିରି ଉପରେ ଥିବା ଚାପ କମିବ। ସରକାର ସର୍ବାଧିକ ୩୦ ପ୍ରତିଶତ ସୁଯୋଗ ଦେଇପାରିବ, ଅବଶିଷ୍ଟ ସବୁକୁ ସ୍ୱୟଂ ଶ୍ରମରେ ଅର୍ଜନ କରିବାକୁ ପଡ଼ିବ। କାମକୁ ଛୋଟ ମାନିବାର ଚିନ୍ତାଧାରା ସମାଜକୁ ନିମ୍ନଗାମୀ କରିଛି । ଶ୍ରମକୁ ସମ୍ମାନ ଦେବାକୁ ହେବ। ଯୁବକ ମାନଙ୍କ ନିକଟରେ ନିଜ ପରିବାରକୁ ଠିଆ କରାଇବାର ସାମର୍ଥ୍ୟ ଅଛି, ଏଥିରୁ ଆମେ ବିଶ୍ୱକୁ ମଧ୍ୟ କାର୍ଯ୍ୟଶକ୍ତି ଯୋଗାଇପାରିବୁ।
ଜନସଂଖ୍ୟା ଏବଂ ଜନସାଂଖ୍ୟିକିରେ ପରିବର୍ତ୍ତନ
ସରସଂଘଚାଳକ ଜୀ ଜନ୍ମହାରରେ ସନ୍ତୁଳନ ରଖିବାର ଆବଶ୍ୟକତା ଉପରେ ଜୋର ଦେଇ କହିଛନ୍ତି ଯେ ଯେ, ଦେଶହିତରେ ପ୍ରତ୍ୟେକ ପରିବାରକୁ ତିନୋଟି ସନ୍ତାନ କରିବା ଉଚିତ ଏବଂ ସେଥିରେ ସୀମିତ ରହିବା ଉଚିତ। ସେ କହିଲେ, “ଜନସଂଖ୍ୟା ନିୟନ୍ତ୍ରିତ ମଧ୍ୟ ରହୁ, ପର୍ଯ୍ୟାପ୍ତ ମଧ୍ୟ ରହୁ, ଏହା ପାଇଁ ନୂତନ ପିଢ଼ୀକୁ ପ୍ରସ୍ତୁତ କରିବାକୁ ପଡ଼ିବ।”
ଦେଶରେ ଜନସାଂଖ୍ୟିକି ପରିବର୍ତ୍ତନ ବିଷୟରେ ପ୍ରଶ୍ନର ଉତ୍ତର ଦେଇ ସେ ମତାନ୍ତରଣ ଏବଂ ଅନୁପ୍ରବେଶକୁ ଏହାର କାରଣବୋଲି କହିବା ସହ ଏଗୁଡିକର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ଜନସାଂଖ୍ୟିକ ପରିବର୍ତ୍ତନରୁ କେବେ କେବେ ଗୁରୁତର ପରିଣାମ ସାମ୍ନାକୁ ଆସେ, ଏପର୍ଯ୍ୟନ୍ତ କି ଦେଶର ବିଭାଜନ ମଧ୍ୟ ହୋଇଥାଏ। ସେ ସ୍ପଷ୍ଟ କରିଛନ୍ତି ଯେ, “ସଂଖ୍ୟାରୁ ଅଧିକ ଉଦ୍ଦେଶ୍ୟର ଚିନ୍ତା ହୁଏ ।” ମତାନ୍ତରଣ ଲୋଭ କିମ୍ବା ଜବରଦସ୍ତିରେ ହେବା ଉଚିତ ନୁହେଁ। ଯଦି ସେପରି ହୁଏ, ତାହାକୁ ରୋକିବା ଆବଶ୍ୟକ। ସେପରିକି ଅନୁପ୍ରବେଶ ବିଷୟରେ ଉଦବେହ ପ୍ରକାଶ କରି ସେ କହିଛନ୍ତି , “ଆମ ଦେଶର ଲୋକମାନଙ୍କୁ ରୋଜଗାର ଦେବାକୁ ହେବ, ଅବୈଧ ଭାବେ ଆସୁଥିବାମାନଙ୍କୁ ନୁହେଁ।”
ଦେଶ ବିଭାଜନ ଓ ଅଖଣ୍ଡ ଭାରତ
ସରସଂଘଚାଳକ ଜୀ କହିଛନ୍ତି ଯେ, ସଂଘ ଦେଶ ବିଭାଜନର ବିରୋଧ କରିଥିଲା। ଦେଶ ବିଭାଜନର କୁପରିଣାମ ଆଜି ଆମେ ବିଭାଜିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଦେଖୁଛୁ। ଭାରତ ଅଖଣ୍ଡ, ଏହା ଜୀବନର ସତ୍ୟ। ପୂର୍ବଜ, ସଂସ୍କୃତି ଓ ମାତୃଭୂମି ଆମକୁ ଏକ କରିଥାଏ । ଅଖଣ୍ଡ ଭାରତ କେବଳ ରାଜନୀତିକ ବିଷୟ ନୁହେଁ, ବରଂ ଜନମନସର ଏକତା। ଯେତେବେଳେ ଏହି ଭାବନା ଜାଗ୍ରତ ହେବ, ସମସ୍ତେ ସୁଖୀ ଓ ଶାନ୍ତିପୂର୍ଣ୍ଣ ରହିବେ।
ଡା. ମୋହନ ଭାଗବତ ଜୀ ହିନ୍ଦୁ-ମୁସଲିମ ଏକତାକୁ ସମାନ ପୂର୍ବଜ ଓ ସଂସ୍କୃତିରେ ଆଧାରିତ କରି କହିଛନ୍ତି ଯେ, ସଂଘ ସମ୍ପର୍କରେ ଏକ ଭୁଲ ଧାରଣା ଗଢ଼ିଉଠିଛି ଯେ, ଆମେ କାହାର ବିରୋଧୀ। ଏହି ଧାରଣା ଉପରୁ ପର୍ଦ୍ଦା ହଟାଇ ସଂଘକୁ ଦେଖିବା ଉଚିତ। ସେ କହିଛନ୍ତି , “ଆମେ ହିନ୍ଦୁ କହିବା, ଆପଣ ତାକୁ ଭାରତୀୟ ମାନନ୍ତୁ – ଅର୍ଥ ଏକ ।” ଆମ ପୂର୍ବଜ ଓ ସଂସ୍କୃତି ସମାନ। ପୂଜା-ପଦ୍ଧତି ଭିନ୍ନ ହୋଇପାରେ, କିନ୍ତୁ ଆମର ପରିଚୟ ଏକ। ସେ କହିଛନ୍ତି ଯେ, ଦୁଇପଟୁ ବିଶ୍ୱାସ ସ୍ଥାପିତ ହେବା ଦରକାର – ହିନ୍ଦୁମାନଙ୍କରେ ଶକ୍ତି ଜାଗରଣର ଆବଶ୍ୟକତା ରହିଛି ଓ ମୁସଲିମମାନଙ୍କରେ ଏହି ଆଶଙ୍କା ଦୂର କରିବା ଉଚିତ ଯେ, ସାଙ୍ଗେ ଆସିଲେ ତାଙ୍କର ଇସ୍ଲାମ ଶେଷ ହୋଇଯିବ । ସେ କହିଛନ୍ତି , ଆମେ ଯଦିଓ ଖ୍ରିଷ୍ଟିଆନ କିମ୍ବା ଇସଲାମ ରିଲିଜିୟନରେ ବିଶ୍ୱାସ କରୁଥାଇପାରୁ, କିନ୍ତୁ ଆମେ ଇଉରୋପୀୟ କିମ୍ବା ଆରବୀ ନୁହଁ , ଏବଂ ଏହି ଧର୍ମମାନଙ୍କର ନେତୃତ୍ୱ କରୁଥିବାମାନେ ଏହି କଥା ନିଜର ଲୋକମାନଙ୍କୁ ଶିଖାଇବା ଉଚିତ।
ସେ କହିଛନ୍ତି ଯେ, ଦେଶର ସ୍ଥାନଗୁଡ଼ିକର ନାମ ଆକ୍ରମଣକାରୀ ମାନଙ୍କ ନାଁରେ ନୁହେଁ, ବରଂ ଅବ୍ଦୁଲ୍ ହାମିଦ ଓ ଏ.ପି.ଜେ. ଅବ୍ଦୁଲ୍ କଲାମ୍ ଭଳି ବ୍ୟକ୍ତିତ୍ୱମାନଙ୍କ ନାଁରେ ହେବା ଉଚିତ୍। ସଂଘ ଯଦି ହିଂସାକରୁ ଥିବା ସଂଗଠନ ହୋଇଥାନ୍ତା, ତେବେ ସେ ୭୫ ହଜାର ସ୍ଥାନରେ ପହଞ୍ଚିପାର୍ ନଥାନ୍ତା। ସଂଘର ସ୍ୱୟଂସେବକ କେବେ କୌଣସି ହିଂସାରେ ଜଡ଼ିତ ହୋଇଥିବା ଉଦାହରଣ ନାହିଁ। ତାହାର ବିପରୀତରେ, ସଂଘର ସେବାକାର୍ଯ୍ୟକୁ ଦେଖିବା ଉଚିତ୍, ଯାହା ସ୍ୱୟଂସେବକମାନେ କୌଣସି ଭେଦଭାବ ବିନା କରି ଆସୁଛନ୍ତି।
ସଂରକ୍ଷଣ
ସଂରକ୍ଷଣ ବିଷୟରେ ସେ କହିଛନ୍ତି ଯେ – “ସଂରକ୍ଷଣର ବିଷୟ ତର୍କର ନୁହେଁ ବରଂ ଏହା ସମ୍ବେଦନାର ବିଷୟ ଅଟେ। ଯଦି ଅନ୍ୟାୟ ହୋଇଛି, ତାହାର ପରିମାର୍ଜନ ହେବା ଦରକାର।” ସେ ସ୍ପଷ୍ଟ କରିଛନ୍ତି ଯେ ସଂବିଧାନ ସମ୍ମତ ଆରକ୍ଷଣକୁ ସଂଘ ପୂର୍ବରୁ ମଧ୍ୟ ସମର୍ଥନ କରିଛି ଏବଂ ଆଗକୁ ମଧ୍ୟ କରିବ। ଯେପର୍ଯ୍ୟନ୍ତ ଲାଭାନ୍ବିତମାନଙ୍କୁ ଏହାର ଆବଶ୍ୟକତା ଅନୁଭବ ହେଉଥିବ , ସଂଘ ସେମାନଙ୍କ ସହିତ ଦଣ୍ଡାୟମାନ ରହିବ। “ନିଜ ଲୋକଙ୍କ ପାଇଁ ଛାଡ଼ିଦେବା ହିଁ ଧର୍ମ।”
ସେ କହିଛନ୍ତି ଯେ – “୧୯୭୨ ମସିହାରେ ଧର୍ମାଚାର୍ଯ୍ୟମାନେ ସ୍ପଷ୍ଟ କରିଥିଲେ ଯେ ଛୁଆଁ –ଅଛୁଆଁ ଭେଦଭାବ ଓ ଅସ୍ପୃଶ୍ୟତାର ହିନ୍ଦୁ ଧର୍ମରେ କୌଣସି ସ୍ଥାନ ନାହିଁ। ଯଦି କେଉଁଠି ଜାତିଗତ ଭେଦଭାବର ଉଲ୍ଲେଖ ମିଳେ ମଧ୍ୟ, ତାହାର ଅର୍ଥ ଭୁଲ୍ଭାବରେ ବୁଝାଗଲା ବୋଲି ମାନିବା ଉଚିତ।” ସେ କହିଛନ୍ତି ଯେ – “ହିନ୍ଦୁମାନଙ୍କର କେବଳ ଏକ ଗ୍ରନ୍ଥ ନାହିଁ ଓ ସମସ୍ତେ ସେଥିରେ ଅନୁସାରଣ କରିଛନ୍ତି, ଏହା ମଧ୍ୟ ସତ୍ୟ ନୁହେଁ।”
ସେ କହିଛନ୍ତି ଯେ ଆମ ପାଖରେ ଆଚରଣର ଦୁଇଟି ପ୍ରମାଣ ଅଛି – ଗୋଟିଏ ହେଉଛି ଶାସ୍ତ୍ର ଏବଂ ଆଉଟି ହେଉଛି ଲୋକ। ଲୋକ ଯାହା ଚାହେଁ , ତାହା ହିଁ ହୁଏ। ଭାରତର ଲୋକ ଜାତିଗତ ଭେଦଭାବର ବିରୋଧ କରେ। ସଂଘ ମଧ୍ୟ ସମସ୍ତ ସମୁଦାୟର ନେତୃତ୍ୱ କରୁଥିବାମାନଙ୍କୁ ସହିତ ଆସିବାକୁ ପ୍ରେରିତ କରେ ଏବଂ ସେମାନେ ମିଶି ନିଜର ଓ ସମଗ୍ର ସମାଜର ଚିନ୍ତା କରନ୍ତୁ।
ସେ କହିଛନ୍ତି ଯେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ଲୋକମାନଙ୍କର ଗୁଣାତ୍ମକତା ଓ ସଂସ୍କାର ବୃଦ୍ଧି କରିବା ପାଇଁ ହେବା ଉଚିତ ଏବଂ ସଂଘ ଏହି ଦିଗରେ ପ୍ରୟାସ କରେ।
ଭାଷା
ସରସଂଘଚାଳକ ଜୀ କହିଛନ୍ତି ଯେ – “ଭାରତର ସମସ୍ତ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା , କିନ୍ତୁ ପରସ୍ପର ମଧ୍ୟରେ କଥାବାର୍ତା ପାଇଁ ଗୋଟିଏ ବ୍ୟବହାର ଭାଷା ଦରକାର ଓ ସେହିଟା ବିଦେଶୀ ହେବା ଉଚିତ୍ ନୁହେଁ।” ଆଦର୍ଶ ଓ ଆଚରଣ ସମସ୍ତ ଭାଷାରେ ସମାନ ଅଛି, ସେଥିପାଇଁ ବିବାଦର ଆବଶ୍ୟକତା ନାହିଁ।
“ଆମେ ଆମର ମାତୃଭାଷାକୁ ଜାଣିବା ଉଚିତ୍, ପ୍ରଦେଶର ଭାଷାରେ କଥାବାର୍ତ୍ତା କହିପାରିବା ଉଚିତ୍ ଏବଂ ଗୋଟିଏ ସାଧାରଣ ବ୍ୟବହାରର ଭାଷାକୁ ଅଙ୍ଗୀକାର କରିବା ଉଚିତ୍।” ଏହାହିଁ ଭାରତୀୟ ଭାଷାମାନଙ୍କର ସମୃଦ୍ଧି ଓ ଏକତାର ପଥ।ଏଥି ସହିତ ସେ କହିଛନ୍ତି ଯେ – “ଆମେ ବିଶ୍ୱର ଭାଷା ଶିଖିବାରେ କୌଣସି ବାରଣ ନାହିଁ।”
ସଂଘର ପରିବର୍ତ୍ତନଶୀଳତା
ସରସଂଘଚାଳକ କହିଛନ୍ତି ଯେ, ସଂଘ ଗୋଟିଏ ପରିବର୍ତ୍ତନଶୀଳ ସଂଗଠନ। ଆମେ କେବଳ ତିନୋଟି କଥାରେ ଅଟଳ । ସେ କହିଛନ୍ତି , “ବ୍ୟକ୍ତି ନିର୍ମାଣ ଦ୍ୱାରା ସମାଜର ଆଚରଣରେ ପରିବର୍ତ୍ତନ ସମ୍ଭବ ଏବଂ ଏହାକୁ ଆମେ କରି ଦେଖାଇଛୁ । ସମାଜକୁ ସଂଗଠିତ କର, ସମସ୍ତ ପରିବର୍ତ୍ତନ ସ୍ୱତଃସ୍ପୁର୍ତ୍ତ ହୋଇଯାଏ। ହିନ୍ଦୁସ୍ଥାନ ହିନ୍ଦୁ ରାଷ୍ଟ୍ର ଅଟେ। ଏହି ତିନୋଟି କଥାକୁ ଛାଡି ସଂଘରେ ସବୁ ପରିବର୍ତ୍ତନଶୀଳ। ଅନ୍ୟ ସମସ୍ତ କଥାରେ ଆମର ନମନୀୟତା ରହିଛି ।”
ଶିକ୍ଷାରେ ସଂସ୍କାର
ପ୍ରଯୁକ୍ତି ଓ ଆଧୁନିକତାର ଶିକ୍ଷା ସହ କୌଣସି ବିରୋଧ ନାହିଁ। ଶିକ୍ଷା କେବଳ ସ୍କୁଲିଂ କିମ୍ବା ସୂଚନା ପର୍ଯ୍ୟନ୍ତ ସୀମିତ ନୁହେଁ। ଶିକ୍ଷାର ଉଦ୍ଦେଶ୍ୟ ମଣିଷଙ୍କୁ ସଂସ୍କାରିତ କରି ବାସ୍ତବରେ ମଣିଷ ବନାଇବା। ସବୁଠି ନିଜର ମୂଲ୍ୟବୋଧ ଓ ସଂସ୍କୃତିର ଶିକ୍ଷା ଦିଆଯିବା ଉଚିତ। ଏହା ଧାର୍ମିକ ଶିକ୍ଷା ନୁହେଁ। ଆମର ଧର୍ମ ଅଲଗା ହୋଇପାରେ, କିନ୍ତୁ ସମାଜୀୟ ସ୍ତରରେ ଆମେ ସମସ୍ତେ ଏକ। ଭଲ ସଂସ୍କାର ଓ ଶିଷ୍ଟାଚାର ସାର୍ବଜନୀନ ମୂଲ୍ୟ। ଭାରତର ସାହିତ୍ୟିକ ପରମ୍ପରା ବହୁତ ସମୃଦ୍ଧ। ଏହାକୁ ନିଶ୍ଚୟ ପଢ଼ାଇବା ଉଚିତ, ସେଥି ସେଥିରେ ମିଶନରୀ ସ୍କୁଲ୍ ହେଉ କି ମଦରସା।
ମଥୁରା କାଶୀ
ମଥୁରା ଏବଂ କାଶୀ ପ୍ରତି ହିନ୍ଦୁ ସମାଜର ଆଗ୍ରହକୁ ସମ୍ମାନ ମିଳିବା ଉଚିତ। ସେ ସ୍ପଷ୍ଟ କରିଛନ୍ତି ଯେ, ରାମ ମନ୍ଦିର ଆନ୍ଦୋଳନରେ ସଂଘ ସକ୍ରିୟ ଭାବରେ ଭାଗ ନେଇଥିଲା, କିନ୍ତୁ ଏବେ ଅନ୍ୟ କୌଣସି ଆନ୍ଦୋଳନରେ ସଂଗଠନ ପ୍ରତ୍ୟକ୍ଷ ଭାବରେ ଯୋଗଦେବ ନାହିଁ। ସେ କହିଛନ୍ତି , “ରାମ ମନ୍ଦିର ତିଆରି କରିବାର ଆଗ୍ରହ ଆମର ଥିଲା ଏବଂ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲା। ଏବେ ଅନ୍ୟ ଆନ୍ଦୋଳନରେ ସଂଘ ଯିବ ନାହିଁ। କିନ୍ତୁ ହିନ୍ଦୁ ମାନସରେ କାଶୀ-ମଥୁରା ଏବଂ ଅୟୋଧ୍ୟାର ଗୁରୁତ୍ୱ ଅଛି। ଦୁଇଟି ଜନ୍ମଭୂମି ଅଟେ ଏବଂ ଗୋଟିଏ ବାସସ୍ଥାନ। ଏହା ସ୍ୱାଭାବିକ ଯେ, ହିନ୍ଦୁ ସମାଜ ଏହାର ଆଗ୍ରହ କରିବ।”
ସରସଂଘଚାଳକ କହିଛନ୍ତି ଯେ ସଂଘରେ ସେବାନିବୃତ୍ତିର କୌଣସି ଅବଧାରଣା ନାହିଁ। “ମୁଁ କେବେ ହେଲେ କହିନଥିଲି ଯେ ମୁଁ କୌଣସି ବୟସରେ ରିଟାୟର୍ ହେବି କିମ୍ବା କାହାକୁ ହେବା ଉଚିତ। ସଂଘରେ ଆମେ ସମସ୍ତେ ସ୍ୱୟଂସେବକ। ଯଦି ମୁଁ ୮୦ବର୍ଷର ହୋଇଯାଏ ଏବଂ ମୋତେ ଶାଖା ଚଳାଇବାର କାମ ଦିଆଯାଏ, ତେବେ ମୋତେ କରିବାକୁ ହେବ। ଆମେ ସେହି କାମ କରୁଥାଉ ଯାହା ସଂଘ ଆମକୁ ଦିଏ। ସେବାନିବୃତ୍ତିର ପ୍ରଶ୍ନ ଏଠାରେ ଲାଗୁ ହୁଏ ନାହିଁ । ”
ସଂଘରେ କେବଳ ଗୋଟିଏ ବ୍ୟକ୍ତି ଉପରେ ନିର୍ଭରତା ନାହିଁ। ସେ କହିଛନ୍ତି , “ମୁଁ ଏକା ସରସଂଘଚାଳକ ନୁହେଁ, ଏଠାରେ ଆଉ ୧୦ ଜଣ ଅଛନ୍ତି ଯେମାନେ ଏହି ଦାୟିତ୍ୱ ନେଇପାରିବେ। ଆମେ ଜୀବନରେ କେବେ ବି ସେବାନିବୃତ୍ତ ହେବାକୁ ପ୍ରସ୍ତୁତ ଅଛୁ , ଏବଂ ସଂଘ ଯେପର୍ଯ୍ୟନ୍ତ ଚାହିବ ସେପର୍ଯ୍ୟନ୍ତ କାମ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛୁ ।”
ମହିଳାମାନଙ୍କ ଭୂମିକା
ସମାଜ ସଂଗଠନର ପ୍ରୟାସରେ ମହିଳାମାନଙ୍କର ସକ୍ରିୟ ଭାଗୀଦାରି ରହିଛି। “୧୯୩୬ ମସିହାରେ ରାଷ୍ଟ୍ର ସେବିକା ସମିତିର ଗଠନ ହୋଇଥିଲା, ଯାହା ମହିଳା ଶାଖାଗୁଡିକୁ ପରିଚାଳନା କରେ। ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଚାଲିଆସୁଛି। ସଂଘ ପ୍ରେରିତ ଅନେକ ସଂଗଠନର ନେତୃତ୍ୱ ମହିଳାମାନେ ହିଁ କରୁଛନ୍ତି। ମହିଳା ଏବଂ ପୁରୁଷ ଆମ ପାଇଁ ପୂରକ।”ସଂଘର କାର୍ଯ୍ୟକ୍ଷେତ୍ର ଭାରତ ପର୍ଯ୍ୟନ୍ତ କେନ୍ଦ୍ରିତ ଅଟେ, କିନ୍ତୁ ବିଦେଶରେ ସ୍ୱୟଂସେବକମାନେ ସେଠାକାର ଆଇନ ଅନୁସାରେ କାମ କରନ୍ତି।
ମନ୍ଦିରମାନଙ୍କ ଉପରେ ଅଧିକାର
ସେ କହିଲେ ଯେ, “ସମସ୍ତ ମନ୍ଦିର ସରକାରଙ୍କ ପାଖରେ ନାହିଁ , କିଛି ଘରୋଇ ଏବଂ ଟ୍ରଷ୍ଟଙ୍କ ପାଖରେ ଅଛି। ସେମାନଙ୍କର ସ୍ଥିତି ଭଲ ରହିବା ଉଚିତ।” ଦେଶର ମାନସିକତା ପ୍ରସ୍ତୁତ ଅଛି ଯେ, ମନ୍ଦିରମାନଙ୍କୁ ଭକ୍ତମାନଙ୍କୁ ସମର୍ପଣ କରାଯାଉ, କିନ୍ତୁ ଏହା ପାଇଁ ବ୍ୟବସ୍ଥା ମଧ୍ୟ ତିଆରି ହେବା ଦରକାର। “ଯେତେବେଳେ ମନ୍ଦିର ମିଳିବ, ସେତେବେଳେ ପୂଜା-ପଦ୍ଧତି, ଧନ ଏବଂ ଭକ୍ତମାନଙ୍କର ହିତରେ ବ୍ୟବସ୍ଥା ସ୍ଥାନୀୟରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତ ହେବା ଉଚିତ। ଯାହା ଫଳରେ ନ୍ୟାୟାଳୟ ରାୟ ଦେଲେ ଆମେ ପ୍ରସ୍ତୁତ ଥିବା ।”
ଗୃହସ୍ଥ ସ୍ୱୟଂସେବକମାନଙ୍କ ଭୂମିକା ବିଷୟରେ ସରସଂଘଚାଳକ କହିଛନ୍ତି ଯେ , “ସଂଘରେ ଗୃହସ୍ଥ ସ୍ୱୟଂସେବକ ଶୀର୍ଷ ପଦ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି। ଭୈୟାଜୀ ଦାଣୀ ଦୀର୍ଘ ସମୟ ପର୍ଯ୍ୟନ୍ତ ସରକାର୍ଯ୍ୟବାହ ଥିଲେ ଏବଂ ସେ ଗୃହସ୍ଥ ଥିଲେ।” ସେ ସ୍ପଷ୍ଟ କରିଛନ୍ତି ଯେ, ସଂଘରେ ବର୍ତ୍ତମାନ ୫ରୁ ୭ ଲକ୍ଷ ସ୍ୱୟଂସେବକ ଅଛନ୍ତି ଏବଂ ପ୍ରାୟ ସାଢ଼େ ୩ ହଜାର ପ୍ରଚାରକ ସକ୍ରିୟ ଅଛନ୍ତି। ଶୀର୍ଷ ସ୍ତରରେ ପୂର୍ଣ୍ଣ ସମୟ ସଂଘକୁ ଦେବାକୁ ପଡ଼େ। “ଗୃହସ୍ଥମାନେ ଆମ ପଥପ୍ରଦର୍ଶକ, ଆମେ ତାଙ୍କର ଶ୍ରମିକମାନେ।”ସଂଘର ସଦସ୍ୟତାର କୌଣସି ପ୍ରକ୍ରିୟା ନାହିଁ। ସଂଘର ସ୍ୱୟଂସେବକମାନଙ୍କୁ ଖୋଜି କିମ୍ବା ସଂଘର ୱେବସାଇଟକୁ ଯାଇ ସଂଘ ସହ ଯୋଡି ହୋଇ ପାରନ୍ତି।
ମତାନ୍ତରଣ ପାଇଁ ବିଦେଶରୁ ଧନ
ମତାନ୍ତରଣ ପାଇଁ ବିଦେଶରୁ ଆସୁଥିବା ଧନ ଉପରେ ସରସଂଘଚାଳକ ନିୟନ୍ତ୍ରଣ ଲଗାଇବାକୁ କହିଛନ୍ତି । ସେ କହିଛନ୍ତି , “ସେବା ପାଇଁ ବିଦେଶରୁ ଧନ ଆସିଲେ ଠିକ୍, କିନ୍ତୁ ତାହାର ବ୍ୟବହାର ସେହି ଉଦ୍ଦେଶ୍ୟରେ ହେବା ଉଚିତ। ସମସ୍ୟା ସେତେବେଳେ ହୁଏ, ଯେତେବେଳେ ଏହି ଧନକୁ ମତାନ୍ତରଣରେ ଲଗାଯାଏ। ଏହାର ଉପରେ ନିୟନ୍ତ୍ରଣ ଆବଶ୍ୟକ, ତାହାର ତଦାରଖ ଓ ପ୍ରବନ୍ଧନ ସରକାରର ଦାୟିତ୍ୱ।”
ସରସଂଘଚାଳକ କହିଛନ୍ତି ଯେ, ଭାରତ ହିନ୍ଦୁ ରାଷ୍ଟ୍ର ଅଟେ ଏବଂ ଏହାକୁ ଘୋଷଣା କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ , “ହିନ୍ଦୁ ରାଷ୍ଟ୍ରକୁ ଋଷି-ମୁନିମାନେ ଘୋଷଣା କରିଦେଇଛନ୍ତି। ଏଥି ପାଇଁ କୌଣସି ଅଧିକୃତ ଘୋଷଣାର ଆବଶ୍ୟକତା ନାହିଁ , ଏହା ସତ୍ୟ। ମାନିଲେ ଆପଣଙ୍କର ଲାଭ, ନାମାନିଲେ ଆପଣଙ୍କର କ୍ଷତି।