ଭାରତ-ଚୀନ୍ ସମ୍ପର୍କରେ ଏକ ନୂଆ ଅଧ୍ଯାୟ ଆରମ୍ଭ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ଚୀନ୍ ଗସ୍ତରେ ଯାଉଛନ୍ତି। ୭ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଭାରତ-ଚୀନ୍ ସମ୍ପର୍କରେ ଏକ ନୂଆ ଆରମ୍ଭ ଭାବେ ଦେଖାଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ଏହା ପଛରେ ଚୀନ୍ ରାଷ୍ଟ୍ରପତିଙ୍କ ଏକ ଗୁପ୍ତ ଚିଠି ରହିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ବ୍ଲୁମବର୍ଗ ଜଣେ ଭାରତୀୟ ଅଧିକାରୀଙ୍କ ବୟାନ ଦେଇ ରିପୋର୍ଟ କରିଛି ଯେ, ଚୀନ୍ ସହିତ ଆମେରିକାର ବାଣିଜ୍ୟ ଉତ୍ତେଜନା ମାର୍ଚ୍ଚ ମାସରେ ଚରମ ସୀମାରେ ଥିଲା, ଯେତେବେଳେ ସି ଜିନପିଙ୍ଗ ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସମ୍ପର୍କ ସୁଧାରିବାକୁ ଅନୁରୋଧ କରିଥିଲେ। ମୁର୍ମୁ ଏହି ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଥିଲେ। ଵାସିଂଟନ ଉଭୟ ଚୀନ୍ ଓ ଭାରତ ଉପରେ ବାଣିଜ୍ୟ ଚାପ ବଢ଼ାଇଥିବା ବେଳେ ଜିନପିଙ୍ଗ ସତର୍କତାର ସହ ଏହି ଚିଠି ଲେଖିବା ପରେ ଭାରତ ମଧ୍ୟ ନିଜର ପ୍ରୟାସକୁ ଜୋରଦାର କରିଥିଲା।

ବ୍ଲୁମବର୍ଗ ରିପୋର୍ଟରେ ବର୍ଣ୍ଣନା କରାଯାଇଛି ଯେ, କିପରି ଏହି ବ୍ୟାକ୍‌ଚାନେଲ ଡାଏଲଗ୍ ଏକ ବ୍ୟାପକ କଥାବାର୍ତ୍ତାରେ ପରିଣତ ହେଲା। ଜୁନ୍ ମାସ ବେଳକୁ ନୂଆଦିଲ୍ଲୀ ବେଜିଂ ସହ ଆଲୋଚନା ଆରମ୍ଭ କରିଥିଲା। ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ସୀମା ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିବାକୁ ଗତ ସପ୍ତାହରେ ଉଭୟ ପକ୍ଷ ରାଜି ହୋଇଥିଲେ। ତେବେ ସମ୍ପର୍କ ପୁନରୁଦ୍ଧାରରେ କିଛି ପ୍ରତିବନ୍ଧକ ରହିଛି। ଗୋଟିଏ ପ୍ରତିବନ୍ଧକ ହେଉଛି ୯୦ ବର୍ଷୀୟ ଦଲାଇଲାମାଙ୍କ  ପରେ ନିର୍ବାସିତ ତିବ୍ଦତୀୟ ସରକାର ଏବଂ ଉତ୍ତରାଧିକାରୀ ପ୍ରସଙ୍ଗ। ଚୀନ୍ ସରକାର ୧୭୯୩ ମସିହାର ରାଜକୀୟ ଅଧ୍ୟାଦେଶକୁ ଉଦାହରଣ ଦେଇ କହିଛନ୍ତି ଯେ, ଚୟନ ପ୍ରକ୍ରିୟା ଓ ପ୍ରାର୍ଥୀଙ୍କୁ ବେଜିଂ ଦ୍ୱାରା ଅନୁମୋଦନ କରିବାକୁ ପଡିବ। ଭାରତ ଦଲାଇଲାମାଙ୍କୁ ରାଜନୈତିକ ଆଶ୍ରୟ ଦେଇଥିବା ବେଳେ ନିର୍ବାସିତ ତିବ୍ଦତୀୟ ସରକାର ମଧ୍ୟ ହିମାଚଳ ପ୍ରଦେଶରୁ କାର୍ଯ୍ୟ କରୁଛନ୍ତି।  ଅଗଷ୍ଟ ବେଳକୁ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସୁଧାରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟ୍ରମ୍ପଙ୍କ ଶୁଳ୍କ ଯୋଗୁ ୨୦୨୦ର ମାରାତ୍ମକ ସୀମା ବିବାଦକୁ ପଛରେ ପକାଇବାକୁ ଦୁଇ ଦେଶ ଗତ ସପ୍ତାହରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଉପନିବେଶକାଳୀନ ସୀମା ବିବାଦର ସମାଧାନ ପାଇଁ ପ୍ରୟାସକୁ ଦ୍ବିଗୁଣିତ କରିବାକୁ ଦୁଇ ଦେଶ ରାଜି ହୋଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ସପ୍ତାହରେ ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରିବେ। 

ଭାରତ-ଚୀନ୍ ବୁଝାମଣା ଆମେରିକା ଉପରେ ଗଭୀର ପ୍ରଭାବ ପକାଇବ। ଗତ ଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଶକ୍ତିଶାଳୀ ହୋଇଥିବା ଚୀନ୍‌କୁ ସନ୍ତୁଳିତ କରିବା ଉଦ୍ଦେଶ୍ୟରେ ଆମେରିକା ଭାରତକୁ ନିଜ ଦଳକୁ ଆଣିବାକୁ ଚେଷ୍ଟା କରିଥିଲା। ରୁଷ୍ ତେଲ କିଣିବା କାରଣରୁ ଟ୍ରମ୍ପ ଭାରତୀୟ ରପ୍ତାନି ଉପରେ ୫୦ ପ୍ରତିଶତ ଶୁକ୍ଳ ଲଗାଇ ଏହି ସମୀକରଣକୁ ବଦଳାଇ ଦେଇଛନ୍ତି। ଆମେରିକାର ପୂର୍ବତନ କୂଟନୀତିଜ୍ଞ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ କଟୁ ସମାଲୋଚନା କରିଛନ୍ତି। ସେ ଟ୍ରମ୍ପଙ୍କୁ ପ୍ରକୃତ ଶାନ୍ତି-ପ୍ରତିଷ୍ଠାତା ବୋଲି ଅଭିହିତ କରି କହିଛନ୍ତି, ଭାରତ-ଚୀନ୍ ମଧ୍ୟରେ ଶତ୍ରୁତା ଭୁଲି ନୂଆ ସମ୍ପର୍କ ଯୋଡ଼ିବା ପାଇଁ ସବୁ ଶ୍ରେୟ ଟ୍ରମ୍ପଙ୍କୁ ଯାଉଛି। ତେବେ ଏହା ଆମେରିକା ହିତରେ ନୁହେଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *