ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ଯୋଗ୍ୟ କି

ଟ୍ରମ୍ପ ଚାହୁଁଛନ୍ତି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଉ । ସେ ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଥିବା ଦାବି କରୁଛନ୍ତି । ଆଉ ଏହି କାରଣରୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାର ହକ୍‌ଦାର ବୋଲି ମଧ୍ୟ ସେ ଦାବି କରି ଆସୁଛନ୍ତି । ସବୁଠାରୁ ବଡ଼ କଥା ହେଲା, ହାତ ଗଣତି କିଛି ଦେଶ ଛାଡ଼ିଦେଲେ, ଅନ୍ୟ କୌଣସି ଦେଶ ଟ୍ରମ୍ପଙ୍କ ଏଭଳି ଦାବିକୁ ଗୁରୁତ୍ୱର ସହ ମଧ୍ୟ ନେଉ ନାହାନ୍ତି ।

ହେଲେ ଟ୍ରମ୍ପ ଓ ଟ୍ରମ୍ପଙ୍କ ସହଯୋଗୀ ଏହି ପୁରସ୍କାର ପାଇବା ପାଇଁ ଏତେ ବ୍ୟାକୁଳ ଯେ, ସେମାନେ ଲବି କରିବା ଓ ନୋବେଲ କମିଟି ଉପରେ ଚାପ ପକାଇବା ଭଳି କାମ ଆରମ୍ଭ କଲେଣି । ଏହି ପୁରସ୍କାର ପାଇଁ ଟ୍ରମ୍ପ ବିଭିନ୍ନ ସ୍ତରରେ ପହଞ୍ଚିସାରିଲେଣି । ଏମିତି ଟ୍ରମ୍ପ କ୍ୟାବିନେଟ୍‌ର ସଦସ୍ୟମାନେ ଟ୍ରମ୍ପଙ୍କ ସମର୍ଥନରେ ଖୋଲା ଖୋଲି ଭିଡିଓ ରେକର୍ଡ କରି, ସୋସିଆଲ ମିଡିଆରେ ପୋଷ୍ଟ କଲେଣି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆସନ୍ତା ଅକ୍ଟୋବର ମାସରେ ବିଜେତା ଘୋଷଣା ପାଇଁ ନୋବେଲ ପୁରସ୍କାର କମିଟି ଅଣ୍ଟା ଭିଡ଼ୁଥିବା ଜଣାପଡ଼ିଛି । ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟ୍‌କଫ୍ କହିଛନ୍ତି, ‘ମୁଁ କେବଳ ଗୋଟିଏ ଜିନିଷ ଚାହୁଁଛି ଯେ, ନୋବେଲ କମିଟି ଆପଣ (ଟ୍ରମ୍ପ)ଙ୍କୁ ଏକମାତ୍ର ଶ୍ରେଷ୍ଠ ପ୍ରାର୍ଥୀ ବୋଲି ଅନୁଭବ କରୁ। ଏହି କ୍ଲିପ୍ ଏବେ ଭାଇରାଲ ହେବାରେ ଲାଗିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ସମସ୍ତ ଲୋକ ତାଙ୍କୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତିଙ୍କ ଲୋକମାନଙ୍କ କଥା ଛାଡ଼ନ୍ତୁ, ରାଷ୍ଟ୍ରପତି ସ୍ବୟଂ ନୋବେଲ ଶାନ୍ତି ପୁରସ୍କାର ପାଇଁ ଏତେ ବ୍ୟାକୁଳ ଯେ, ଖୋଲାଖୋଲି ଭାବେ ଏହା ପ୍ରକାଶ କରୁଛନ୍ତି। ନରୱେ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଟ୍ରମ୍ପ ଗତ ମାସରେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ନାମାଙ୍କନ ବିଷୟରେ ପଚାରିଥିଲେ ଏବଂ ଶୁଳ୍କ ବିଷୟରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *