ଓଡ଼ିଆ ପୁଅ ଦୀନେଶ ପଟ୍ଟନାୟକ କାନାଡ଼ା ପାଇଁ ଭାରତର ପରବର୍ତ୍ତୀ ହାଇକମିସନର ଭାବେ ନିଯୁକ୍ତ 

ନୂଆଦିଲ୍ଲୀ: ୧୯୯୦ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଫିସର୍‌ ତଥା ଓଡ଼ିଆ ପୁଅ ଦୀନେଶ ପଟ୍ଟନାୟକ କାନାଡ଼ା ପାଇଁ ଭାରତର ପରବର୍ତ୍ତୀ ହାଇକମିସନର ଭାବେ ନିଯୁକ୍ତ ହୋଇଛନ୍ତି। ଖଲିସ୍ତାନ ଆତଙ୍କବାଦୀଙ୍କ ସମର୍ଥନ ନେଇ କାନାଡ଼ା ସହ ଭାରତର ସମ୍ପର୍କ‌ରେ ତିକ୍ତତା ଆସିବାର ୯ ମାସ ପରେ ଏହି ନୂଆ ନିଯୁକ୍ତି ହୋଇଛି। ଦୀନେଶ ପଟ୍ଟନାୟକ ବର୍ତ୍ତମାନ ସ୍ପେନ୍‌ରେ ଭାରତର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ଅଛନ୍ତି। ଗୁରୁବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସେ ଖୁବ୍‌ଶୀଘ୍ର କାନାଡ଼ାରେ ଭାରତର ହାଇକମିସନର  ଭାବେ ଦାୟିତ୍ବ ସମ୍ଭାଳିବେ । 

ଦୀନେଶ ୧୯୮୮ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ କରିଥିଲେ। ଆଇଆଇଏମ୍ କୋଲକତାରୁ ସ୍ନାତକୋତ୍ତର  ପରେ ଭିଏନାରୁ ‘ଇଣ୍ଟରନ୍ୟାସନାଲ୍‌ ରିଲେସନ’ରେ ସ୍ନାତକୋତ୍ତର କରିଥିଲେ। ସ୍ପେନ୍‌ ପୂର୍ବରୁ ସେ କାମ୍ବୋଡିଆ ଏବଂ ମରୋକୋରେ ଭାରତର ରାଷ୍ଟ୍ରଦୂତ ଭାବେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି। ଭାରତ ଏବଂ ଭାରତ ବାହାରେ କାର୍ଯ୍ୟ କରିବାରେ ତାଙ୍କର ୩୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ଜେନେଭା, ଢାକା, ବେଜିଂ, ଭିଏନା ମିସନ୍‌ରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି।

ସୂଚନାଯୋଗ୍ୟ, ୨୦୨୩ ସେପ୍ଟେମ୍ବରରେ କାନାଡ଼ା ନାଗରିକ ତଥା ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜାର୍‌ ହତ୍ୟାରେ ଭାରତର ହାତ ରହିଛି ବୋଲି ଜଷ୍ଟିନ୍‌ ଟ୍ରୁଡୋଙ୍କ ନେତୃତ୍ବାଧୀନ କାନାଡ଼ା ସରକାରଙ୍କ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଉଭୟ ରାଷ୍ଟ୍ର ପରସ୍ପରର କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିଥିଲେ। ଏବେ  ଦୀନେଶ ପଟ୍ଟନାୟକଙ୍କ ନିଯୁକ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରୁଥିବା ଦର୍ଶାଉଛି।

Leave a Reply

Your email address will not be published. Required fields are marked *