ସଂଧାରାଣୀ ପ୍ରଥମ ମହିଳା ସରକାରୀ ଡ୍ରାଇଭର

ଭୁବନେଶ୍ୱର ୧୪/୦୭: ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ  ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି  ପାଇଛନ୍ତି । ସରକାରୀ ଗାଡ଼ିର ଡ୍ରାଇଭର  ଭାବେ ପ୍ରଥମ ଥର ଜଣେ ମହିଳାଙ୍କୁ  ନିଯୁକ୍ତି ମିଳିଛି । ପରିବହନ ବିଭାଗର ଏହି  ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ନଗର ଉନ୍ନୟନ ଓ ପରିବହନ  ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ି ଚଳାଉଛନ୍ତି ସନ୍ଧ୍ୟାରାଣୀ । ରାଜ୍ୟ  ପରିବହନ କର୍ତ୍ତୃପକ୍ଷ ଅଧୀନସ୍ଥ ଏଚ୍‌ଏମ୍‌ଭି  ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇଛନ୍ତି ସେ । 

ଛତିଆ ବୈରୀସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ପ୍ରାପ୍ତ ହେବା ପରେ ସଂଧାରାଣୀ ପ୍ରଥମ ସରକାରୀ ଡ୍ରାଇଭର ଭାବରେ ନିଯୁକ୍ତି ପାଇଛନ୍ତି  । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଆମ ବସ୍ ଏବଂ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ବସଗୁଡିକରେ ପୂର୍ବରୁ ମହିଳାମାନଙ୍କୁ କଣ୍ଡକ୍ଟର ଭାବରେ ନିଯୁକ୍ତି ଦିଆଯାଇଛି । ଏବେ ସରକାରୀ ଗାଡି ଚାଳକ ବା ଡ୍ରାଇଭର ଭାବରେ ସଂଧ୍ୟାରାଣୀଙ୍କ ନିଯୁକ୍ତି ପ୍ରଥମ । 

ପରେ ପ୍ରତ୍ୟେକ ବର୍ଷ ପ୍ରାୟ ୫ ଶହ ମହିଳାଙ୍କୁ ଡ୍ରାଇଭର ଭାବରେ ପ୍ରଶିକ୍ଷିତ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି କରିଛି  । ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳା ସଶକ୍ତିକରଣ ଓ ଅନ୍ତଭୁକ୍ତିକରଣ କ୍ଷେତ୍ରରେ ଏହା ଏବେ ବଡ ପରିବର୍ତ୍ତନ । ଏକ ବଡ଼ ଅଭିଯାନ ସ୍ବରୂପ ଉଷା ପାଢ଼ୀଙ୍କ ନେତୃତ୍ବରେ ବାଣିଜ୍ୟ ଓ ପରିବହନ ବିଭାଗ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମ ସରକାରୀ ମହିଳା ଡ୍ରାଇଭର ଭାବରେ ସନ୍ଧ୍ୟା ରାଣୀ ମାଝୀ ଏକ ନୂଆ କାହାଣୀ ସୃଷ୍ଟି କରି ବହୁତ ଖୁସି ଅଛନ୍ତି  ।  

ଶ୍ରୀମତୀ ପାଢ଼ୀ କହନ୍ତି, ଏହି ଯାତ୍ରା  ମାଧ୍ୟମରେ ସେ ଏକ ସତ୍ୟ ଜାଣିବାକୁ  ପାଇଛନ୍ତି ଯେ ପ୍ରତ୍ୟେକ ଡ୍ରାଇଭର ଯାତ୍ରୀଙ୍କ  ଅପେକ୍ଷା ଅଧିକ ଦାୟିତ୍ୱବାନ, ନମ୍ର ।  ଖାଲି ସନ୍ଧ୍ୟାରାଣୀ ନୁହନ୍ତି, ଗୃହ  ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ  ଅଧୀନରେ ଆମ ବସ୍‌ ଏବଂ ଓଏସଆରଟିସି  ଅନେକ ମହିଳାଙ୍କୁ କଣ୍ଡକ୍ଟର ଭାବେ ନିଯୁକ୍ତି  ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ  ପ୍ରତିବର୍ଷ ୫୦୦ ମହିଳା ଡ୍ରାଇଭରଙ୍କୁ  ପ୍ରଶିକ୍ଷଣ ଦେଇ ଅର୍ଥନୈତିକ ସ୍ୱାଧୀନତା  ପ୍ରଦାନ କରିଛନ୍ତି । 

ଓଡ଼ିଶାର ପ୍ରଥମ ମହିଳା ସରକାରୀ ଡ୍ରାଇଭର ସନ୍ଧ୍ୟାରାଣୀଙ୍କୁ  ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା । ପରିବହନ ବିଭାଗର  ଏହି ପଦକ୍ଷେପ ମହିଳା ସଶକ୍ତୀକରଣ  କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ସେ  କହିଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟିକା ଉପାସନା ମହାପାତ୍ର ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply