ଜରୁରିକାଳୀନ ପରିସ୍ଥିତି ସ୍ୱାଧୀନ ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ

ଭୁବନେଶ୍ୱର: ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଛି। ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ‌ଯୋଗଦେଇ କହିଲେ ଜରୁରିକାଳୀନ ପରିସ୍ଥିତି ସ୍ୱାଧୀନ ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ଜରୁରିକାଳୀନ ପରିସ୍ଥିତିରେ ଯେଉଁଭଳି ଦମନଲୀଳା, ଅକଥନୀୟ ଅତ୍ୟାଚାର ଜାରି ରହିଥିଲା ତାହାକୁ କେହି ଭୁଲିପାରିବେ ନାହିଁ। ଏକଛତ୍ରବାଦୀ ଶାସନ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆ ପିଢ଼ିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବାକୁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ଜରୁରିକାଳୀନ ପରିସ୍ଥିତିରେ ସମ୍ବିଧାନର ସୁରକ୍ଷା ପାଇଁ ଓ ଲୋକଙ୍କ ମୌଳିକ ଅଧିକାର ସୁରକ୍ଷା କରିବାକୁ ବିଜେପି ଲଢ଼େଇ ଜାରି ରଖିଥିଲା। ଅଟଳବିହାରୀ ବାଜପେୟୀ, ଲାଲ୍‌କୃଷ୍ଣ ଆଡଭାନୀଙ୍କ ପରି ନେତାମାନେ ଜେଲ୍‌ ଯାଇଥିଲେ। ଅନେକ ସାମ୍ବାଦିକ ନିଜ ଖବରକାଗଜ ବନ୍ଦ କରିବାକୁ ଚାହୁଁ ନ ଥିଲେ। ଯେଉଁମାନେ ଝୁଙ୍କିଲେ ନାହିଁ, ସେମାନଙ୍କୁ ଜେଲ୍‌ ଯିବାକୁ ପଡ଼ିଲା। ପ୍ରାୟ ୧୦ହଜାର ସାମ୍ବାଦିକ ଜେଲ୍‌ଦଣ୍ଡ ଭୋଗିଥିଲେ। ଓଡ଼ିଶାରୁ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରି ଅନେକ ବଡ଼ ବଡ଼ ନେତା ଗିରଫ ହୋଇଥିଲେ। ଲୋକତନ୍ତ୍ର ସେନାନୀମାନେ ଜାଣିଛନ୍ତି ଯେ କିଭଳି ଏମ୍‌ଆଇଏସ୍‌ଏକୁ ବ୍ୟବହାର କରି ବିନା ବିଚାରରେ ମାସ ମାସ ଧରି ଲୋକଙ୍କୁ ଜେଲ୍‌ରେ ରଖାଯାଉଥିଲା। ଆମ ସରକାର ଆସିବା ପରେ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲୁ। ସେମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନ୍‌ସନ୍‌ ଓ ଚିକିତ୍ସା ସୁବିଧା ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କ ପେନ୍‌ସନ୍‌ ପାଇଁ ଅନୁମୋଦନ ମିଳିସାରିଛି। ଆହୁରି ୫୨ଜଣଙ୍କ ପାଇଁ ପ୍ରକ୍ରିୟା ଜାରି ରହିଛି। ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମ୍ମାନିତ ଅତିଥି ଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂ, ଲୋକତନ୍ତ୍ର ସେନାନୀ ବିମ୍ବାଧର କୁଅଁର, କୃଷ୍ଣଚନ୍ଦ୍ର ଜଗଦେବ, କାହ୍ନୁଚରଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଲୋକତନ୍ତ୍ର ସେନାନୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଲୋକତନ୍ତ୍ର ସେନାନୀ ଶୋଭାଯାତ୍ରା ରଥ, ସମ୍ବିଧାନ ହତ୍ୟା ଦିବସ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା।

Leave a Reply

Your email address will not be published. Required fields are marked *