କ୍ରୁ ମେମ୍ବର ଥିଲେ NCP ନେତାଙ୍କ ବୋହୂ

ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଫଟୋ ସମଗ୍ର ଦେଶକୁ ଚକିତ କରିଛି।

ଏହି ବିମାନରେ ୧୦ ଜଣ କ୍ରୁ ମେମ୍ବର ଏବଂ ୨ ଜଣ ପାଇଲଟ ଥିଲେ। ମହାରାଷ୍ଟ୍ର ଏନ୍‌ସିପି ମୁଖ୍ୟ ସୁନୀଲ ତଟକରେ କହିଛନ୍ତି ଯେ, ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଥିବା ବରିଷ୍ଠ କ୍ରୁ ମେମ୍ବର ଅପର୍ଣ୍ଣା ମହାଦିକ ତାଙ୍କ ସମ୍ପର୍କୀୟ।

ସୁନିଲ ତଟକରେ କହିଛନ୍ତି, ଅପର୍ଣ୍ଣା ମହାଦିକ ମୋ’ ସାନ ଭଉଣୀଙ୍କ ବୋହୂ। ତାଙ୍କ ପରିବାର ମୁମ୍ବାଇରେ ରୁହନ୍ତି। ମୋର ଭଣଜା, ଯିଏ ଅପର୍ଣ୍ଣାଙ୍କ ସ୍ବାମୀ, ମଧ୍ୟ ଏୟାର ଇଣ୍ଡିଆରେ ଜଣେ କ୍ୟାବିନ କ୍ରୁ। ଦୁର୍ଘଟଣା ସମୟରେ ସେ ଦିଲ୍ଲୀରେ ଥିଲେ। ସେ ଆହୁରି କହିଛନ୍ତି, ମହାଦିକ ପରିବାରକୁ ଏହି ଦୁଃଖଦ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି।

ଅପର୍ଣ୍ଣାଙ୍କ ବୟସ ୪୨ ବର୍ଷ ଥିଲା। ସେ ଏୟାର ଇଣ୍ଡିଆରେ ଜଣେ କ୍ୟାବିନ କ୍ରୁ ଥିଲେ। କିନ୍ତୁ କିଏ ଜାଣିଥିଲା ଏହା ତାଙ୍କର ଶେଷ ବିମାନ ହେବ। ଏହି ବିମାନ ଗୁରୁବାର ଦିନ ଅପରାହ୍ନ ୧.୩୮ରେ ଅହମ୍ମଦାବାଦରୁ ଉଡ଼ାଣ କରିଥିଲା। DGCA ଅନୁଯାୟୀ, ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ୬୨୫ ଫୁଟ ଉଚ୍ଚତାରେ ପହଞ୍ଚିବା ମାତ୍ରେ ଦ୍ରୁତ ଗତିରେ ତଳକୁ ଆସି ଭୟଙ୍କର ବିସ୍ଫୋରଣ ହୋଇଥିଲା।

Leave a Reply