‘ଫ୍ରିଡମ ଅଫ ସ୍ପିଚ୍’ ସେନାର ଅପମାନ ଲାଗି ସ୍ୱାଧୀନତା ଦିଏନା

ପ୍ରୟାଗରାଜ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭାରତୀୟ ସେନା ବିରୋଧରେ ଅପମାନଜନକ ଟିପ୍ପଣୀ ମାମଲାରେ ଆଶ୍ୱସ୍ତି ଦେବାକୁ ଆଲ୍ଲାହବାଦ ହାଇକୋର୍ଟ ବୁଧବାର ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ) ନିସନ୍ଦେହ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଥାଏ, ହେଲେ ଏହି ସ୍ୱାଧୀନତା ଉଚିତ କଟକଣା ଅଧିନରେ ରହିଛି ଓ ଏଥିରେ କୌଣସି ବ୍ୟକ୍ତି ଅଥବା ଭାରତୀୟ ସେନା ବିରୋଧରେ ମାନହାନୀଜନକ ବୟାନଦେବାକୁ ସ୍ୱାଧୀନତା ଦେଇ ନଥାଏ। 

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୁଭାଷ ବିଦ୍ୟାର୍ଥୀଙ୍କ ଏକଲ ବେଞ୍ଚ ମାମଲାରେ ରାହୁଲ ଗାନ୍ଧିଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି, ଯେଉଁଥିରେ ସେ ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ଦ୍ୱାରା ଫେବୃଆରୀ ୨୦୨୫ରେ ଗୃହୀତ ସମନ ଓ ମାନହାନୀ ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲା ପୂର୍ବତନ ବର୍ଡର ରୋଡ ଅର୍ଗାନାଇଜେସନ (ବିଆରଓ) ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବଙ୍କ ଦ୍ୱାରା ରୁଜୁ ଅଭିଯୋଗ ସମ୍ପର୍କିତ। ଏହା ଏବେ ଲକ୍ଷ୍ନୌର ଏକ କୋର୍ଟରେ ବିଚାରଧୀନ ରହିଛି। 

ଅଭିଯୋଗ ଅନୁସାରେ ରାହୁଲ ଗାନ୍ଧି ୧୬ ଡିସେମ୍ବର ୨୦୨୨ରେ ‘ଭାରତ ଯୋଡୋ’ ଯାତ୍ରା କାଳରେ ଭାରତୀୟ ସେନା ବିରୋଧରେ ଅପମାନଜନକ  ଟିପ୍ପଣୀ ଦେଇଥିଲେ। ତାଙ୍କର ଏହି ଟିପ୍ପଣୀ ୯ ଡିସେମ୍ବର ୨୦୨୨ରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କିତ ଥିଲା। ଅଭିଯୋଗରେ କୁହାଯାଇଥିଲା  ‘ଗାନ୍ଧି ବାରମ୍ବାର ଅପମାନଜନକ ଭାବେ କହୁଥିଲେ ଯେ ଚୀନ୍ ସେନା ଅଋଣାଚଳ ପ୍ରଦେଶରେ ଆମ ସୈନିକଙ୍କୁ ‘ପିଟୁଛନ୍ତି’ ଓ ଭାରତୀୟ ପ୍ରେସ୍ ଏହା ଉପରେ କୌଣସି ପ୍ରଶ୍ନ କରିବେ ନାହିଁ’। 

ଲକ୍ଷ୍ନୌ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧି ହାଇକୋର୍ଟରେ ତର୍କ ଦେଇଛନ୍ତି ଯେ ‘ଅଭିଯୋଗକାରୀ ଭାରତୀୟ ସେନାର ଅଧିକାରୀ ନୁହନ୍ତି ଓ ସେ ଅଭିଯୋଗକାରୀଙ୍କ ବିରୋଧରେ କୌଣସି ମାନହାନୀଜନକ ବୟାନ ଦେଇ ନାହାନ୍ତି’। ତେବେ କୋର୍ଟ ଏହି ତର୍କକୁ ଖାରଜ କରିଦେଇଛନ୍ତି,କହିଛନ୍ତି ସିଆରପିସିର ଧାରା ୧୯୯(୧)ରେ ଅପରାଧ ଦ୍ୱାରା ପ୍ରଭାବିତ କୌଣସି ବ୍ୟକ୍ତିଙ୍କୁ ‘ପୀଡ଼ିତ ବ୍ୟକ୍ତି’ ମନେ କରାଯାଇ ପାରନ୍ତି। କୋର୍ଟ କହିଛନ୍ତି ଯେ ବିଆରଓଙ୍କ ପୂର୍ବତନ ନିର୍ଦ୍ଦେଶକ, ଯିଏ କର୍ଣ୍ଣେଲଙ୍କ ସମକକ୍ଷ ରାଙ୍କର ଓ ସେନାପ୍ରତି ଗଭୀର ସମ୍ମାନ ରଖନ୍ତି ଏବଂ ତାଙ୍କ ଭାବନା ଏହି ଟିପ୍ପଣୀ ଯୋଗୁ ଆହତ ହୋଇଛି। ଏଣୁ ସେ ଅଭିଯୋଗ କରିବା ପାଇଁ ହକଦାର ଅଟନ୍ତି। 

କୋର୍ଟ ଏହାମଧ୍ୟ ନୋଟ କରିଛନ୍ତି ଯେ ଗାନ୍ଧି ଗଣମାଧ୍ୟମ ଆଗରେ ଏହି ବୟାନ ଦେଇଥିଲେ, ଏଥିରୁ ତାଙ୍କର ମାନସିକତା ମଧ୍ୟ ସ୍ପଷ୍ଟ ଜଣାପଡୁଛି ଯେ ତାଙ୍କର ବୟାନ ପତ୍ର ପତ୍ରିକାରେ ପ୍ରକାଶ ପାଉ। ଏ ନେଇ କୋର୍ଟ ସୁପ୍ରିମକୋର୍ଟଙ୍କ ଏକ ଟିପ୍ପଣୀର ଉଦାହରଣ ଦେଇଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧିଙ୍କୁ ବି.ଡି. ସାଭରକରଙ୍କ ବିରୋଧରେ ଟିପ୍ପଣୀ ପାଇଁ ଚେତାବନୀ ଦିଆଯାଇଥିଲା। କୋର୍ଟ କହିଛନ୍ତି ଯେ ସମନ ଆଦେଶର ବୈଧତା ଯାଞ୍ଚ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଦାବିର ଗୁଣ ଓ ଦୋଷ ଜାଣିବାର ଆବଶ୍ୟକତା ନାହିଁ, ଏହି କାର୍ଯ୍ୟ ଟ୍ରାୟଲ କୋର୍ଟରେ ହେବ। ଏଣୁ ରାହୁଲ ଗାନ୍ଧିଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଉଛି।   

Leave a Reply

Your email address will not be published. Required fields are marked *