ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ ଦିବସ ଆଲୋଚନା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଏହା ପୂର୍ବରୁ ଗୃହ ନେତା ଜେପି ନଡ୍ଡା ସମ୍ବିଧାନ ଉପରେ ବିତର୍କ ଆରମ୍ଭ କରିଥିଲେ ଏବଂ ବିତର୍କ ଉପରେ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ସମାଲୋଚନା କରିଥିଲେ। ସଂସଦର ଉଚ୍ଚ ସଦନରେ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଉପରେ ସୋମବାର ବିତର୍କ ଆରମ୍ଭ ହୋଇଥିଲା। ଗତ ଡିସେମ୍ବର ୧୪ ତାରିଖରେ ଲୋକସଭାରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗୋଟିଏ ପକ୍ଷରେ ଏହି ବିତର୍କ ଲୋକଙ୍କୁ ଅନୁଭବ କରାଇବ ଯେ ସମ୍ବିଧାନ ଯୋଗୁଁ ଦେଶ କିପରି ଆଗକୁ ବଢ଼ିଛି ଏବଂ ଅନ୍ୟପଟେ ଏହା ଆମକୁ ଅନୁଭବ କରାଇବ ଯେ ସମ୍ବିଧାନର ମୌଳିକ ଭାବନା ଯୋଗୁଁ ଗତ ୭୫ ବର୍ଷ ମଧ୍ୟରେ ଗଣତନ୍ତ୍ରର ମୂଳଦୁଆ ଗଭୀର ହୋଇଛି ବୋଲି ଅମିତ ଶାହା କହିଛନ୍ତି। ସେ କହିଛନ୍ତି, ସଂସଦର ଉଭୟ ଗୃହରେ ଯେଉଁ ବିତର୍କ ହୋଇଥିଲା ତାହା ଦେଶର ଯୁବବର୍ଗଙ୍କ ପାଇଁ ଶିକ୍ଷାପ୍ରଦ ହେବ। କେଉଁ ଦଳ ସମ୍ବିଧାନକୁ ସମ୍ମାନ ଦେଇଛି ଓ କେଉଁ ଦଳ ନାହିଁ ତାହା ବୁଝିବାରେ ଏହା ଦେଶବାସୀଙ୍କୁ ସହାୟକ ହେବ।
ଗତ ୭୫ ବର୍ଷ ମଧ୍ୟରେ ଅନେକ ରାଷ୍ଟ୍ର ସ୍ୱାଧୀନ ହୋଇ ନୂଆ ଆରମ୍ଭ କରିଥିଲେ ମଧ୍ୟ ସେଠାରେ ଗଣତନ୍ତ୍ର ସଫଳ ହୋଇ ପାରିନାହିଁ। କିନ୍ତୁ ଆମର ଗଣତନ୍ତ୍ର ଅତ୍ୟନ୍ତ ଗଭୀର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଯେଉଁମାନେ କହିଥିଲେ ଯେ ଆମେ କେବେ ବି ଅର୍ଥନୈତିକ ଭାବେ ସ୍ୱାଧୀନ ହୋଇପାରିବୁ ନାହିଁ, ସେମାନଙ୍କୁ ଆମ ଦେଶର ଜନତା ଏବଂ ଆମ ସମ୍ବିଧାନ କଡ଼ା ଜବାବ ଦେଇଛି। ଆଜି ଆମେ ପଞ୍ଚମ ବୃହତ୍ତମ ଅର୍ଥନୀତି। ଆମେ ବ୍ରିଟେନକୁ ପଛରେ ପକାଇ ଦେଇଛୁ।
ସେ କହିଛନ୍ତି ଯେ ବିଜେପି ୧୬ ବର୍ଷ ଶାସନ କରିଛି ଏବଂ ଆମେ ସମ୍ବିଧାନରେ ୨୨ଟି ପରିବର୍ତ୍ତନ କରିଛୁ। କଂଗ୍ରେସ ୫୫ ବର୍ଷ ଶାସନ କରିବା ସହ ୭୭ଟି ପରିବର୍ତ୍ତନ କରିଛି। ୧୯୫୧ ଜୁନ୍ ୧୮ତାରିଖରେ ପ୍ରଥମ ସଂଶୋଧନ କରାଯାଇଥିଲା। ସମ୍ବିଧାନ ଗଠନ ପରେ କ୍ଷମତାକୁ ଆସିବା ପୂର୍ବରୁ ଲୋକସଭା ନିର୍ବାଚନକୁ ଅପେକ୍ଷା କରିବା ପାଇଁ କଂଗ୍ରେସ ପାଖରେ ଯଥେଷ୍ଟ ଧୈର୍ଯ୍ୟ ନଥିଲା। ବାକ୍ ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ପାଇଁ ଯୋଡ଼ାଯାଇଥିଲା ଧାରା ୧୯-ଏ ଏବଂ ସେହି ସମୟରେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିଲେ।