ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନକୁ ଆଜି ଛଅ ମାସ ପୂରଣ ହୋଇଛି । ଏହି ଅବସରରେ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଓ ଚାଷୀଙ୍କ ସରକାର ରାଜ୍ୟର ଏହି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଦଲାଲ ମାନଙ୍କ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, “ସରକାର ଗଠନର ଛଅ ମାସ ମଧ୍ୟରେ ରାଜ୍ୟ ସରକାର ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ପିଏମ କିଷାନ ଓ ସିଏମ କିଷାନ ସହିତ ୮୦୦ ଟଙ୍କା ଇନପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ । ତେଣୁ ଧାନ ସଂଗ୍ରହ କାର୍ଯ୍ୟ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । କୌଣସି ପରିସ୍ଥିତିରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ ।
ଗତକାଲି ସୁଦ୍ଧା ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି:
ଡିସେମ୍ବର ୧୧ ତାରିଖ ସୁଦ୍ଧା ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକ ଟନ ଧାନ ବିକ୍ରି କରିଛନ୍ତି । ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନପୁଟ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍ପୁଟ ସହାୟତା ପ୍ରଦାନ କରାଯିବ ।
ଏପରି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ:
ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ସୋସାଇଟି ସ୍ତରୀୟ ଧାନ କିଣା କମିଟି ଗୁଡିକୁ ଆହୁରି ସକ୍ରିୟ କରାଯିବ । ଚାଷୀଙ୍କୁ ଅଧିକ ସଚେତନ ଓ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବ । କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ, ପାନୀୟ ଜଳ ଓ ଟଏଲେଟର ବ୍ୟବସ୍ଥା କରିଛନ୍ତି । ଅନ୍ୟ ଜିଲ୍ଲାରେ ମଧ୍ୟ ସେହିପରି ବ୍ୟବସ୍ଥା କରାଯିବ । ବରଗଡରେ ମଣ୍ଡିରେ ଧାନ ସଂଗ୍ରହର ସୁନ୍ଦର ମନିଟରିଂ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ କଣ୍ଟ୍ରୋଲ ରୁମକୁ ଧାନକିଣାର ଲାଇଭ ଫିଡ ମଧ୍ୟ ଆସୁଛି । ଏପରି ବ୍ୟବସ୍ଥାକୁ ଅନ୍ୟ ସମସ୍ତ ଜିଲ୍ଲା ଭଲ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।