ଅସ୍ତରଙ୍ଗକୁ ଘାରିଛି ଅନୁପ୍ରବେଶକାରୀ ଭୟ

ଅସ୍ତରଙ୍ଗକୁ ଘାରିଛି ଅନୁପ୍ରବେଶକାରୀ ଭୟ
ଅସ୍ତରଙ୍ଗ: ଅସ୍ତରଙ୍ଗ ସାମୁଦ୍ରିକ ତଟ ଅଞ୍ଚଳ ଚାରିଆଡ଼େ ମେଲାଫୁଙ୍ଗୁଳା ପଡ଼ିଛି। ତଟ ସୁରକ୍ଷାକୁ ନେଇ ବିଶେଷଜ୍ଞମାନଙ୍କ ମନରେ ଅସୁମାରୀ ପ୍ରଶ୍ନ ଉଙ୍କିମାରୁଛି। ନାଁ କୁ ମାତ୍ର ଅସ୍ତରଙ୍ଗ ନୂଆଗଡ଼ସ୍ଥିତ ସାମୁଦ୍ରିକ ଥାନା ଛିଡ଼ା ହୋଇଛି ସିନା ସୁରକ୍ଷା ବ୍ୟବସ୍ଥାକୁ ଦେଖିବାକୁ କେହିନାହିଁ। ଏବେ ଯଦି ବାଙ୍ଗଲାଦେଶୀ ଅନୁପ୍ରବେଶ କଲେ ଆମ ପୁଲିସ ସେମାନଙ୍କୁ ରୋକିପାରିବା ଭଳି ସାମର୍ଥ୍ୟ ନଥିବା
କୁହାଯାଉଛି। ଜଳପଥରେ ପାଟ୍ରୋଲିଂ ପାଇଁ ପୁଲିସ୍ ପାଖରେ କେତୋଟି ଦଦରା ପୁରୁଣା ବୋଟ୍ ରହିଛି। ତାହାପୁଣି ଆଦୌ କାର୍ଯ୍ୟକ୍ଷମ ଅବସ୍ଥାରେ ବି ନାହିଁ। ଦୁଇରୁ ତିନି ଘଣ୍ଟା ଜଳପଥରେ ପାଟ୍ରୋଲିଂ କଲେ ତାହା ଆଉ ଚାଲିବ କି ନାହିଁ ସେ ସଂପର୍କରେ ପୁଲିସର ମଧ୍ୟ ସନ୍ଦେହ ରହିଛି। ବୋଟ ଗୁଡ଼ିକର ମରାମତି ପାଇଁ ଦାୟିତ୍ବ ନେଇଥିବା କଲିକତାର ଏଜେନ୍ସି ଜେଆରଏସି  ସଂସ୍ଥା ଏଗୁଡିକର ମରାମତି ବି କରିପାରୁନି। ଯଦିଓ ପାରାଦୀପରେ ଏହା ମରାମତି କରିହେବ, ତେବେ ଅସ୍ତରଙ୍ଗ ସମୁଦ୍ର ଜେଟୀରୁ ପାରାଦୀପ ଯିବାକୁ ୩ରୁ ୪ଘଣ୍ଟା ସମୟ ଲାଗିବ। କାଳେ ଏହି ସମୟ ମଧ୍ୟରେ ମଝି ସମୁଦ୍ରରେ ବୋଟ୍ ଅଚଳ ହୋଇଯିବ କି ଜଳିଯିବ ସେଥିପାଇଁ କେହି ସାହସ କରି ନେଉନାହାନ୍ତି। ଦଦରା ବୋଟ୍‌ରେ ଟେକ୍ନିକାଲ୍ ଷ୍ଟାଫ୍ ଯାନ୍ତ୍ରିକ ତ୍ରୁଟିକୁ ହଠାତ୍ ସଜାଡ଼ିବା ପାଇଁ ସେତେଟା ସକ୍ଷମ ନୁହନ୍ତି। ସାମୁଦ୍ରିକ ଥାନାର ଭିତ୍ତିଭୂମି ଅଦ୍ୟାବଧି ସଜଡ଼ା ଯାଇପାରିନାହିଁ। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଥାନାରେ ଜଣେ ଆଇଆଇସି, ଜଣେ ଏଏସ୍‌ଆଇ,
ଜଣେ ହାବିଲଦାର୍, ୧୦ଜଣ କନେଷ୍ଟବଳ(ପୁରୁଷ ଓ ମହିଳା) ଓ ୯ଜଣ ହୋମଗାର୍ଡ ରହିଛନ୍ତି। ତଟ ସୁରକ୍ଷା ଦାୟିତ୍ବରେ ୯ଜଣ କୋଷ୍ଟଗାର୍ଡ ବା ଟେକ୍ନିକାଲ୍ କର୍ମଚାରୀ(ଅବସରପ୍ରାପ୍ତ ନୌସେନା କର୍ମଚାରୀ)ଙ୍କୁ ରଖାଯାଇଛି। ତେବେ ଆବଶ୍ୟକ ଭିତ୍ତିଭୂମିର ଅଭାବ ସାଙ୍ଗକୁ ସ୍ବଳ୍ପ ପାରିଶ୍ରମିକ ସେମାନଙ୍କ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ବାଧା ଦେଉଛି। ଏସବୁ ସତ୍ତ୍ବେ ସେମାନେ ଜୀବନକୁ ବାଜି ଲଗାଇ କାମକରୁଥିବା ଦେଖାଯାଉଛି। ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସାମୁଦ୍ରିକ ଥାନା ପୁଲିସ୍ ପାଖରେ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର ନାହିଁ କି କର୍ମଚାରୀ ବି ନାହାନ୍ତି। ଗୁଳିବନ୍ଧୁକ ତ ଦୂରର କଥା ପୁଲିସ ପାଖରେ ଆବଶ୍ୟକ ସଂଖ୍ୟକ ଠେଙ୍ଗା ବି ନାହିଁ। ଏପଟେ ବିଭିନ୍ନ ପଞ୍ଚାୟତରେ ଆଇନଶୃଙ୍ଖଳା ସହିତ ସାମୁଦ୍ରିକ ତଟର ସୁରକ୍ଷା ପାଇଁ ଟେକ୍ନିକାଲ୍ କର୍ମଚାରୀଙ୍କୁ ସାଥୀରେ ନେଇ ପାଟ୍ରୋଲିଂ କରିବାକୁ ସେମାନଙ୍କ ପାଖରେ ସମୟ ଆସିବ କେଉଁଠୁ ? ସାମୁଦ୍ରିକ ଥାନା ଠାରୁ ପ୍ରାୟ ୧୦ କିମି ଦୂରରେ ଥିବା ଅସ୍ତରଙ୍ଗ ଥାନା ରହିଛି। ସମ୍ବେଦନଶୀଳ ଘଟଣା ଘଟିଲେ ସହଯୋଗ ଅସ୍ତରଙ୍ଗ ପୁଲିସ ପହଞ୍ଚିଲା ବେଳକୁ ଆସାମୀ ଚମ୍ପଟ ମାରିବ ଏଥିରେ ସନ୍ଦେହ ନାହିଁ। ଏହି ଦୁଇଟି ଥାନା ଅଧୀନରେ ପାଟ୍ରୋଲିଂ ଅଭାବରୁ ନିଶା ମାଫିଆଙ୍କ ଉତ୍ପାତ ବଢ଼ିଚାଲିଛି। ସାମୁଦ୍ରିକ ଥାନାରେ କର୍ମଚାରୀ ନଥିବାରୁ ପାଟ୍ରୋଲିଂ ହେଉନି। ସମୁଦ୍ର ଜଳପଥରେ ପୁରୀ, ପାରାଦୀପ, କେନ୍ଦ୍ରାପଡା, ବାଲେଶ୍ଵର ସମେତ ସମୁଦ୍ର ସଂଲଗ୍ନ ଦେବୀନଦୀ ଓ ଶାଖାନଦୀ ଦେଇ ବିଭିନ୍ନ ଜିଲ୍ଲାକୁ ବାଟ ମେଲିଛି। ଆତଙ୍କବାଦୀ କିମ୍ବା ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଜଳପଥ ଦେଇ ପଶି ଆସିଲେ ସେମାନଙ୍କୁ ସାମ୍ନା କରିବାକୁ ସର୍ବନିମ୍ନ ବ୍ୟବସ୍ଥା ବି ନାହିଁ | ଏଭଳିସ୍ଥିତିରେ ତଟ ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *