ନୂଆଦିଲ୍ଲୀ: ‘ଫୋବ୍ସ୍’ ପତ୍ରିକାର ବିଶ୍ୱର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି । ଏହି ତାଲିକାର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍ସିଏଲ୍ କର୍ପୋରେସନ୍’ର ‘ସିଇଓ’ ରୋଶଣୀ ନାଦାର ମାଲହୋତ୍ରା, ୭୦ତମ ସ୍ଥାନରେ ଅଛନ୍ତି ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷା ସୋମା ମଣ୍ଡଳ ଓ ୭୬ତମ ସ୍ଥାନରେ ଅଛନ୍ତି ‘ବାୟୋକନ୍’ର ସଂସ୍ଥାପିକା କିରଣ ମଜୁମଦାର-ଶ’ । ଏହି ତାଲିକାର ସର୍ବାଗ୍ରେ ଅଛନ୍ତି ‘ୟୁରୋପିଆନ୍ କମିସନ୍’ର ମୁଖ୍ୟା ଉର୍ସୁଲା ବନ୍ ଡେର୍ ଲିୟେନ୍ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ‘ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍’ର ମୁଖ୍ୟା କ୍ରିଷ୍ଟାଇନ୍ ଲାଗାର୍ଡେ ଓ ତୃତୀୟ ସ୍ଥାନରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ୍ । ତାଲିକାର ୫ମ ସ୍ଥାନରେ ଅଛନ୍ତି ଗାୟିକା ଟେଲର୍ ସ୍ୱିଫ୍ଟ୍ । ୨୦୧୯ ମେ’ରେ ଭାରତର ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ‘କର୍ପୋରେଟ୍ ଆଫେୟାର୍ସ’ ମନ୍ତ୍ରାଳୟ ଦାୟିତ୍ୱରେ ବି ଅଛନ୍ତି । ରାଜନୀତିରେ ଯୋଗ ଦେବା ଆଗରୁ ସେ ଇଂଲଣ୍ଡ୍ର ‘ଏଗ୍ରିକଲ୍ଚୁରାଲ୍ ଇଞ୍ଜିନିୟର୍ସ ଆସୋସିଏସନ୍’ ଓ ‘ବିବିସି ୱାର୍ଲଡ୍ ସର୍ଭିସ୍’ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ବୋଲି ‘ଫୋବ୍ସ୍’ କହିଛି । ସେ ‘ନ୍ୟାସ୍ନାଲ୍ କମିସନ୍ ଫର୍ ୱିମିନ୍’ର ସଦସ୍ୟ ମଧ୍ୟ ଥିଲେ । ରୋଶଣୀ ନାଦାର ମାଲହୋତ୍ରା ହେଉଛନ୍ତି ‘ଏଚ୍ସିଏଲ୍’ର ସଂସ୍ଥାପକ ତଥା ଶିଳ୍ପପତି ଶିବ ନାଦରଙ୍ଗ ଝିଅ । ‘ଏଚ୍ସିଏଲ୍ ଟେକ୍ନୋଲୋଜି’ର ଅଧ୍ୟକ୍ଷା ଭାବେ ସେ କମ୍ପାନିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତି ବୋଲି ‘ଫୋବ୍ସ୍’ କହିଛି । ୨୦୨୦ ଜୁଲାଇରେ ସେ ବାପାଙ୍କସ୍ଥାନରେ ଏହି ପଦବୀ ଗ୍ରହଣ କରିଥିଲେ । ସୋମା ମଣ୍ଡଳ ହେଉଛନ୍ତି ରାଷ୍ଟ୍ରାୟତ ‘ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ’ର (ସେଲ୍) ପ୍ରଥମ ମହିଳା ଅଧ୍ୟକ୍ଷା ବୋଲି ‘ଫୋବ୍ସ୍’ କହିଛି । ୨୦୨୧ରୁ ଏହି ପଦବୀରେ ରହି ସେ ‘ସେଲ୍’ର ରେକର୍ଡ ପରିମାଣର ଆର୍ôଥକ ଅଭିବୃଦ୍ଧି ଘଟାଇଛନ୍ତି । ତାଙ୍କ ନେତୃତ୍ୱର ପ୍ରଥମ ବର୍ଷରେ କମ୍ପାନିର ଲାଭ ୩ଗୁଣ ହୋଇଯାଇଥିଲା । କିରଣ ମଜୁମଦାର-ଶ’ ହେଉଛନ୍ତି ନିଜ ପ୍ରଚେଷ୍ଟାରେ ବିତ୍ତଶାଳିନୀ ହୋଇଥିବା ମହିଳା ବୋଲି ‘ଫୋବ୍ସ୍’ କହିଛି । ୧୯୭୮ରେ ସେ ‘ବାୟୋଫାର୍ମାସ୍ୟୁଟିକାଲ୍’ କମ୍ପାନି ‘ବାୟୋକନ୍’ ସ୍ଥାପନା କରିଥିଲେ । ‘ବାୟୋକନ୍’ର ମାଲେସିଆର ଜୋହର୍ ଅଞ୍ଚଳରେ ଏସିଆ ମହାଦେଶର ବୃହତ୍ତମ ‘ଇନ୍ସୁଲିନ୍’ କାରଖାନା ଅଛି ।