-ଭୁବନାନନ୍ଦ ତ୍ରିପାଠୀ-
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଆଜି ସାରା ଭାରତରେ ଜଣେ ବିଶିଷ୍ଟ ଦାର୍ଶନିକ ଭାବେ ପରିଚିତ । ଉତ୍ତରପ୍ରଦେଶର ମୋଗଲ ସରାଇ ରେଳଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ତାଙ୍କ ନାଁରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଷ୍ଟେସନ କରାଯାଇଛି । ପଣ୍ଡିତଜୀ ଥିଲେ ଭାରତୀୟ ଜନସଂଘ ଦଳର ରାଷ୍ଟ୍ରୀୟ ସଭାପତି ସେତେବେଳେ ପଣ୍ଡିତଜୀଙ୍କର ବୟସ ଥିଲା ମାତ୍ର ୫୧ବର୍ଷ ।
ପଣ୍ଡିତ ଦୀନଦୟାଲଙ୍କ ନାଁରେ ସାରା ଭାରତରେ ଅନ୍ୟ ଏକ ଯୋଜନା କାର୍ଯ୍ୟକାରୀ ହେଉଛି । ତାହାହେଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା । ଏହି ଯୋଜନା ମାଧ୍ୟମରେ ଦେଶସାରା ଅଳ୍ପ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସିଲେଇ, କମ୍ପ୍ୟୁଟର ତଥା ଇଲେକ୍ଟ୍ରିସିଆନ ଆଦି କୌଶଳ ଶିକ୍ଷା ପ୍ରଦାନ କରାଯାଉଛି । ଏବର୍ଷ ସୁଦ୍ଧା ୫କୋଟି ୫୦ଲକ୍ଷ ଯୁବକ ଯୁବତୀ ଏହି ଯୋଜନାରେ ଉପକୃତ ହୋଇଥିବା ସୂଚନା ମିଳିଛି । ଏହି ପ୍ରଶିକ୍ଷଣ ନେବା ପାଇଁ ଆସୁଥିବା ଶିକ୍ଷାର୍ଥୀମାନଙ୍କୁ ସରକାରଙ୍କ ତରଫରୁ ମାଗଣା ରହିବା ଓ ଖାଇବାର ସୁବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ କୌଶଳ ବିକାଶ ନାମରେ ଏକ ନୂତନ ବିଭାଗ ଖୋଲାଯାଇଛି ।
ପଣ୍ଡିତ ଦୀନଦୟାଲଙ୍କର ଅନ୍ୟ ଏକ ପରିଚୟ ହେଉଛି, ଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟି ତାଙ୍କରି ଆଦର୍ଶକୁ ବହନ କରି ଆଗେଇ ଚାଲିଛି । ବିଜେପି ଦଳର ସମସ୍ତ କାର୍ଯ୍ୟକ୍ରମରେ ଦୁଇ ଜଣ ହେଲେ ଅଗ୍ରପୂଜ୍ୟ; ଜଣେ ହେଲେ ଡ଼ଃ. ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦ୍ୱିତୀୟ ଜଣକ ହେଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ । ଦଳ ତରଫରୁ ବର୍ଷରେ ୬ଟି ବଡ଼ ଉତ୍ସବ ବୁଥସ୍ତର ପର୍ଯ୍ୟନ୍ତ ପାଳିତ ହୋଇଥାଏ । ତନ୍ମଧ୍ୟରୁ ଗୋଟିଏ ଉତ୍ସବ ହେଉଛି ସେପ୍ଟେମ୍ବର ମାସ ୨୫ତାରିଖ ଦୀନଦୟାଲଙ୍କ ଜନ୍ମଦିନ ଏବଂ ଅନ୍ୟ ଦିନଟି ହେଉଛି ଫେବୃଆରୀ ମାସର ୧୧ତାରିଖ, ତାଙ୍କର ତିରୋଧାନ ଦିବସ ।
ଆଜି ଦେଶରେ ଯେତେସବୁ ବିକାଶ ଯୋଜନା ଲାଗୁ ହେଉଛି, ସେ ସବୁକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଏ ସମସ୍ତ ଯୋଜନା ପଛରେ ରହିଛି ଗୋଟିଏ ସୂକ୍ଷ୍ମ ତତ୍ତ୍ୱ, “ଅନ୍ତ୍ୟୋଦୟ” ଯାହାକି ପଣ୍ଡିତ ଦୀନଦୟାଲଙ୍କ ପ୍ରଦତ୍ତ “ଏକାତ୍ମ ମାନବବାଦ” ଆର୍ଥିକ ଚିନ୍ତନର ଏକ ମୁଖ୍ୟ ବିନ୍ଦୁ । ସରକାରଙ୍କ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନବୀମା ଯୋଜନା, ସୁକନ୍ୟା ଯୋଜନା, ଅଟଳ ପେନ୍ସନ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୂଷ୍ମାନ ଯୋଜନା ଏବଂ ଘରଘର ନଳ ଯୋଜନାମାନ ଏହି ଅନ୍ତ୍ୟୋଦୟ ଆଦର୍ଶକୁ ପାଥେୟ କରି ଲାଗୁ କରାଯାଇଛି ଏବଂ ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି । ଜନଧନ ଯୋଜନାରେ ଜଣେ ସାଧାରଣ ଲୋକ ଆଜି ବିନା ଜମାରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରୁଛି ଏବଂ ବାର୍ଷିକ ୧୨ଟଙ୍କା କିସ୍ତି ଜମାଦେଇ ୨ଲକ୍ଷ ଟଙ୍କାର ବୀମା ସୁବିଧା ପାଇପାରୁଛି । ଏହିପରି ଅନେକ ଉଦାହରଣ ଆମ ଆଗରେ ରହିଛି ।
ପଣ୍ଡିତଜୀଙ୍କ ଅନାଥ ବାଲ୍ୟକାଳ, ଅଭାବଘେରା ଛାତ୍ରଜୀବନ ଏବଂ ଆଦର୍ଶ ସମର୍ପିତ ଯୌବନ ଉତ୍ତର ଭାରତର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ କଟିଥିଲା । ଉଚ୍ଚଶିକ୍ଷା ପ୍ରାପ୍ତିପରେ ଚାକିରୀ କରିବା ଏବଂ ପରିବାର ଗଢ଼ିବାର ମାର୍ଗକୁ ତ୍ୟାଗ କରି ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାର ନିଷ୍ପତ୍ତି ତାଙ୍କ ଜୀବନରେ ପ୍ରଥମ ମୋଡ଼ ଭାବେ ଆସିଥିଲା । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସାଧାରଣ ସ୍ୱୟଂସେବକ ପଦରୁ ଯାତ୍ରା ଆରମ୍ଭ କରି ପ୍ରାନ୍ତ ପ୍ରଚାରକ ପଦ ପର୍ଯ୍ୟନ୍ତ ପହଞ୍ôଚଥିଲେ । ତାଙ୍କ ଜୀବନର ଦ୍ୱିତୀୟ ମୋଡ଼ ଆସି ପହଞ୍ôଚଥିଲା ୧୯୫୧ ମସିହାରେ ଯେତେବେଳେ ତତ୍କାଳୀନ ସଂଘ ମୁଖ୍ୟ ଗୁରୁଜୀ ତାଙ୍କୁ ଭାରତୀୟ ଜନସଂଘ ଦଳରେ ସାମିଲ କରାଇଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଦେଶରେ ଏକ ରାଜନୈତିକ ଦଳର ମୂଳଦୁଆ ପକାଇବାରେ ମୁଖ୍ୟ ସହଯୋଗୀ ହେଲେ । ତାଙ୍କ ଜୀବନର ତୃତୀୟ ମୋଡ଼ ଆସିଥିଲା ଯେତେବେଳେ କାଶ୍ମୀର ସତ୍ୟାଗ୍ରହରେ ଭାଗନେଇ ଡ଼. ଶ୍ୟାମାପ୍ରସାଦଙ୍କର ଶ୍ରୀନଗର ସହରରେ ଅକାଳ ମୃତ୍ୟୁ ହେଲା ଏବଂ ମାତ୍ର ଦୁଇ ବର୍ଷର ପୁରୁଣା ରାଜନୈତିକ ଦଳର ବୁଝାରଖା ଦାୟିତ୍ୱ ଦୀନଦୟାଲଜୀଙ୍କ କାନ୍ଧରେ ନ୍ୟସ୍ତ କରାଗଲା ।
ପଣ୍ଡିତଜୀ ସବୁ ସମସ୍ୟା ଧୈର୍ଯ୍ୟର ସହିତ ସାମନା କରିଛନ୍ତି । ସବୁ ବାଧାବିଘ୍ନକୁ ବୁଦ୍ଧିମତ୍ତାର ସହିତ ସମାଧାନ କରିଛନ୍ତି । ୧୯୫୨ ମସିହାରେ ୩ଜଣ ଏମ୍.ପି.ଙ୍କୁ ନେଇ ଗଢ଼ିଉଠିଥିବା ଏହି ନୂତନ ଦଳର ୧୯୬୭ ମସିହାରେ ୩୫ଜଣ ସାଂସଦ ବିଜୟୀ ହୋଇଥିଲେ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରେ ଗଠିତ ମେଣ୍ଟ ସରକାରରେ ଜନସଂଘ ଦଳ ଏକ ଅଂଶୀଦାର ହୋଇ ଉଭା ହେଲା । ଦଳର ପୃଷ୍ଠଭାଗରେ ରହି କାର୍ଯ୍ୟକରୁଥିବା ପଣ୍ଡିତଜୀ ୧୯୬୭ ମସିହାର ଡ଼ିସେମ୍ବର ମାସରେ କେରଳର କୋଝିକୋଡଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଅଧିବେଶନରେ ଅନିଚ୍ଛା ସତ୍ତ୍ୱେ ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ପଦ ଅଳଙ୍କୃତ କରିବାର ମାତ୍ର ଦେଢ଼ ମାସ ପରେ ତାଙ୍କର ନିଧନ ହେବ, ଏବଂ ତାଙ୍କର ମୃତ ଶରୀର ଲୋକଲୋଚନର ଆଢୁଆଳରେ ରେଳଧାରଣା ପାଶ୍ୱର୍ରେ ମିଳିବ ଏହା ସମସ୍ତଙ୍କର କଳ୍ପନାତୀତ ଥିଲା ।
ପରବର୍ତ୍ତୀ କାଳରେ ତାଙ୍କ ହାତରେ ଗଢ଼ା ଜନସଂଘ ଦଳ ଜନତା ପାର୍ଟିରେ ବିଲୀନ ହୋଇଥିଲା ଏବଂ ପରେ ପରେ ୧୯୮୦ ମସିହାରେ ପଣ୍ଡିତଜୀଙ୍କ ବିଚାର ଆଧାରରେ ପ୍ରାରମ୍ଭ ହୋଇଥିବା ‘ଭାରତୀୟ ଜନତା ପାର୍ଟି’ ନିଜର ସାଂଗଠନିକ ଯାତ୍ରା ବଜାୟ ରଖି ଆଜି ଦେଶର ସର୍ବବୃହତ ରାଜନୈତିକ ଦଳଭାବେ ଉଭା ହୋଇଛି । ଏହି ଦଳ ଗତ ୯ବର୍ଷ ହେଲା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଶାସନ ଭାର ସମ୍ଭାଳିଛି ।
ଦୀନଦୟାଲଜୀଙ୍କ ସହିତ ଓଡ଼ିଶା ପ୍ରଦେଶର ପରିଚୟ ଖୋଜି ବସିଲେ ଅଳ୍ପ କେତୋଟି ଘଟଣା ସାମ୍ନାକୁ ଆସିଥାଏ । ପ୍ରଥମରେ ୧୯୫୨ ମସିହାରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ୫ଜଣ ପ୍ରାର୍ଥୀ ଜନସଂଘ ଦଳର ଟିକଟରେ ଲଢ଼ି ୨ଜଣ ବିଜୟୀ ହୋଇଥିଲେ । ସେମାନେ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ର । ଡ଼. ଶ୍ୟାମାପ୍ରସାଦଜୀଙ୍କ ବନ୍ଧୁ ହିସାବରେ ପଣ୍ଡିତ ନୀଳକଣ୍ଠ ଦାଶ ଏହି ନବଗଠିତ ରାଜନୈତିକ ଦଳରେ ଯୋଗଦେଇଥିଲେ ଏବଂ ଡ଼. ଶ୍ୟାମାପ୍ରସାଦଙ୍କ ଅକାଳ ମୃତ୍ୟୁ ପରେ ଦଳର କେନ୍ଦ୍ରୀୟ ସମିତି ସହିତ ଯୋଗାଯୋଗ ଅଭାବରୁ ଏହି ଦୁଇ ନେତା ଜନସଂଘ ଦଳ ଛାଡ଼ି କଂଗ୍ରେସ ଦଳରେ ମିଶିଯାଇଥିଲେ ।
୧୯୫୩ ରୁ ୧୯୬୪ ପର୍ଯ୍ୟନ୍ତ ଉତ୍ତର ଭାରତରେ ଜନସଂଘ ଦଳର ସଂଗଠନକୁ ବିସ୍ତାର କରି ସୁଦୃଢ କରିବା ପାଇଁ କାର୍ଯ୍ୟରତଥିବା ଦୀନଦୟାଲଜୀ ଓଡ଼ିଶା ଆସିବାର ସୁଯୋଗ ପାଇନଥିଲେ । ୧୯୬୪ ମସିହାରେ ଓଡ଼ିଶାରେ ଭାରତୀୟ ଜନସଂଘ ଦଳର ରାଜ୍ୟ ଶାଖା ଗଠନ ହୋଇଥିଲା । ସ୍ଥାନ ଥିଲା ଝାରସୁଗୁଡ଼ା ସ୍ଥିତ ରାଧାକୃଷ୍ଣ ଧର୍ମଶାଳା । ରାଜ୍ୟ ଶାଖାର ପ୍ରଥମ ସଭାପତି ହେଲେ ବରଗଡ଼ର ଓକିଲ ପଦ୍ମଲୋଚନ ପଣ୍ଡା, ସଂପାଦକ ହେଲେ ସମ୍ବଲପୁରର ଲାଲା ରଘୁନନ୍ଦନ ସାଏଦେଓ ଏବଂ ସଂଗଠନ ସଂପାଦକ ହେଲେ ଶ୍ରୀଧର ଆଚାର୍ଯ୍ୟ । ଦଳର ରାଜ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ହେଲା କଟକର ଚୌଧୁରୀ ବଜାରସ୍ଥିତ ମୋଡ଼ା ଧର୍ମଶାଳାର ଏକ କୋଠରୀରେ ।
ପରବର୍ତ୍ତୀ କାଳରେ ପଣ୍ଡିତଜୀ ଥରେ ଦଳୀୟ କାର୍ଯ୍ୟରେ ପୁରୀ ସହରକୁ ଆସି ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିଲେ ଏବଂ ସେ ସମୟରେ ଦକ୍ଷିଣା ସଂଗ୍ରହ ପାଇଁ ପଣ୍ଡାମାନଙ୍କ ଉଗ୍ରବ୍ୟବହାର ତାଙ୍କୁ ନାପସନ୍ଦ ଲାଗିଥିଲା । ସେଦିନ ସିଂହଦ୍ୱାରଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଭାଷଣ ଦେବାବେଳେ ଏହି ଘଟଣାକୁ ପଣ୍ଡିତଜୀ ଉଲ୍ଲେଖ କରିଥିଲେ ।
ଦୀନଦୟାଲଜୀ ମୃତ୍ୟୁର ପୂର୍ବବର୍ଷ କଟକ ଗସ୍ତରେ ଆସି ବକ୍ସିବଜାରସ୍ଥିତ ତିନି କୋଣିଆ ବଗିଚାରେ ଏକ ସାଧାରଣ ସଭାରେ ଭାଷଣ ପ୍ରଦାନ କରିଥିଲେ । ସେତେବେଳେ ଓଡ଼ିଶାରେ ଜନସଂଘ ଦଳ ଏବଂ ସ୍ୱତନ୍ତ୍ର ଦଳ ମଧ୍ୟରେ ମେଣ୍ଟ ସ୍ଥାପନ କରିବା ପାଇଁ ଯୋଗସୂତ୍ର ଆରମ୍ଭ ହୋଇଥିବା ଜଣାଯାଏ ।
ସ୍ୱଳ୍ପକାଳ ପାଇଁ ଆମ ପ୍ରଦେଶକୁ ଗସ୍ତରେ ଆସିଥିବା ପଣ୍ଡିତ ଦୀନଦୟାଲ ଯେ ଜଣେ ବିଶାଳ ବ୍ୟକ୍ତିତ୍ୱ ଏଥିରେ ସନ୍ଦେହ ନାହିଁ । ତାଙ୍କ ପ୍ରଦତ୍ତ ‘ଏକାତ୍ମ ମାନବବାଦ’ ଦର୍ଶନ ତାଙ୍କୁ ଆଜି ଅମରତ୍ୱ ପ୍ରଦାନ କରିଛି ।
୦୨, ଜ୍ୟୋତି ଏନ୍କ୍ଲେଭ
ଲକ୍ଷ୍ମୀ ବିହାର, ସୈନିକ ସ୍କୁଲ
ଭୁବନେଶ୍ୱର-୭୫୧୦୦୫
ମୋ.-୮୮୯୫୫୨୩୫୬୧