Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରା ଦେଶ ମାନଙ୍କର ଔପନିବେଶିକ ମାନସିକତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରା ଦେଶ ମାନଙ୍କର ଔପନିବେଶିକ ମାନସିକତା


-ଡ.ସମନ୍ୱୟ ନନ୍ଦ-
ଗୋରା ଦେଶ ମାନଙ୍କର ଏକ ଭିନ୍ନ ପ୍ରକାର ସମସ୍ୟା ରହିଛି । ସେମାନଙ୍କର ଔପନିବେଶିକ ମାନସିକତା ଏବେ ବି ଯାଇ ନାହିଁ । ସେମାନେ ଆଜି ବି ନିଜକୁ ସାରା ବିଶ୍ୱର ବିଶେଷ ଭାବେ ଏସିଆ ଓ ଆଫ୍ରିକାର ଦେଶ ମାନଙ୍କୁ ଶାସନ କରୁଥିବା ଭଳି ମାନସିକତାରେ ଅଛନ୍ତି । ସେମାନେ ଆଜି ବି ମନେ କରୁଛନ୍ତି ଯେ ଏସିଆ ଓ ଆଫ୍ରିକାର ଦେଶ ମାନେ କିଛି ଜାଣନ୍ତି ନାହିଁ, ସେଠାରେ କଣ ହେଉଛି, କଣ ନ ହେଉଛି ସେ ସମ୍ପର୍କରେ ଆମେ ସେମାନଙ୍କୁ ଜ୍ଞାନ ଦେବୁ । ସେମାନେ କଣ କରିବା ଉଚିତ, କଣ କରିବା ଉଚିତ ନୁହେଁ,ସେ ବିଷୟରେ ସେମାନଙ୍କୁ କହିବୁ । ସେମାନଙ୍କର ଆଭ୍ୟନ୍ତରୀଣ ମାମଲାରେ ଆମେ ବକ୍ତବ୍ୟ ଦେବୁ । ଏହି ଗୋରା ୟୁରୋପୀୟ ଦେଶ ମାନେ ଏସିଆ ଓ ଆଫ୍ରିକୀୟ ଦେଶ ମାନଙ୍କ ଉପରେ ଦୀର୍ଘ ସମୟ ଧରି ଶାସନ କରିଥିଲେ ଓ ଏହି ଦେଶ ମାନଙ୍କର ଲୋକ ମାନଙ୍କୁ ଶୋଷଣ କରିବା ସହ ବିପୁଳ ମାତ୍ରାରେ ଅର୍ଥ ଲୁଟ କରି ବଡ ବଡ ଅର୍ଥନୀତି ହୋଇଥିଲେ । ୟୁରୋପର ବିଭିନ୍ନ ଦେଶ ମାନେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶ ଉପରେ ଦୀର୍ଘ ଦିନ ଉପନିବେଶ ସ୍ଥାପିତ କରିଥିଲେ । ମାତ୍ର ସେମାନଙ୍କର ଉପନିବେଶ ଶେଷ ହୋଇ ଯିବା ସତ୍ୱେ ସେମାନଙ୍କର ମାନସିକତାରେ କୌଣସି ପ୍ରକାର ପରିବର୍ତନ ଆସିଥିବା ଭଳି ଜଣା ପଡୁ ନାହିଁ । ସେମାନଙ୍କର ଔପନିବେଶିକ ମାନସିକତା ପୂର୍ବ ପରି ରହିଛି । ବିଶେଷ ଭାବେ ଏବେ ଏସିଆ ଓ ଆଫ୍ରିକାର ଦେଶ ମାନେ ଯେତେବେଳ ଆର୍ôଥକ ଓ ଅନ୍ୟ କ୍ଷେତ୍ରରେ ପ୍ରଗତି କରୁଛନ୍ତି ସେତେବେଳେ ଏହି ଗୋରା ୟୁରୋପୀୟ ଦେଶ ମାନେ ତାକୁ ଦେଖି ସହ୍ୟ କରି ପାରୁ ନାହାନ୍ତି । ସେତେବେଳେ ତାଙ୍କର ଏହି ଔପନିବେଶିକ ମାନସିକତାର ପ୍ରତିଫଳନ ଦେଖିବାକୁ ମିଳୁଛି ।
ଏବେ ଠିକ ଏହି ପରି ଏକ ଘଟଣା ସାମନାକୁ ଆସିଛି । ମଣିପୁରରେ କିଛି ଦିନ ତଳେ ହୋଇଥିବା ହିଂସାକୁ ନେଇ ଏହି ଗୋରା ଦେଶ ମାନଙ୍କର ସଂଘ ଅର୍ଥାତ ୟୁରୋପୀୟ ସଂଘ ପକ୍ଷରୁ ଏକ ପ୍ରସ୍ତାବ ପାରିତ କରାଯାଇଛି । ଏହି ପ୍ରସ୍ତାବରେ କୁହା ଯାଇଛି ଯେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଅସହିଷ୍ଣୁତା କାରଣରୁ ମଣିପୁରରେ ଏଭଳି ସ୍ଥିତି ଉପୁଜିଛି । ଏହି ପ୍ରସ୍ତାବରେ ଭାରତ ଉପରେ ରାଜନୀତି ଦ୍ୱାରା ପ୍ରେରିତ ନୀତି ଆପଣା ଯାଉଥିବାର ଅଭିଯୋଗ କରାଯାଉଛି । ମଣିପୁରରେ ଇଂଟରନେଟ ସେବା ବନ୍ଦ କରାଯିବାକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି ।
ଏବେ କିଛି ଦିନ ତଳେ ୟୁକ୍ରେନ- ଋଷ ଯୁଦ୍ଧ ଆରମ୍ଭ ବେଳେ ଏହି ଗୋରା ଦେଶ ମାନେ ଚାହିଁଥିଲେ ଯେ ସେମାନେ ଯାହା ଚାହାନ୍ତି, ଭାରତ ସେପରି କରୁ । ସେମାନେ ଚାହୁଁଥିଲେ ଯେ ଭାରତ ଋଷର ବିରୋଧ କରୁ । ଋଷ ଉପରେ ଆର୍ôଥକ କଟକଣା ଲାଗୁ କରିବାକୁ ଏହି ଗୋରା ଦେଶମାନଙ୍କ ଘୋଷଣା କରିବା ପରେ ଭାରତ ଏହାକୁ ପାଳନ କରୁ ବୋଲି ସେମାନେ ଆଶା କରିଥିଲେ । କିଛି ଗୋରା ୟୁରୋପୀୟ ଦେଶ ଏ ସମ୍ପର୍କରେ ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ମାତ୍ର ଭାରତ ଏହି ୟୁରୋପୀୟ ଦେଶ ମାନଙ୍କ ଚାପ ଆଗରେ ମୁଣ୍ଡ ନୂଆଁଇବା ପରିବର୍ତେ ସ୍ପଷ୍ଟ କରିଥିଲା ଯେ ଭାରତ ତାର ଜାତୀୟ ସ୍ୱାର୍ଥକୁ ଆଧାର କରି ନିଷ୍ପତି ନେବ । ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଉଭୟ ଦେଶ ବସି ଆଲୋଚନା କରି ମାମଲାର ସମାଧାନ କରିବା ଉଚିତ । କେବଳ ସେତିକି ନୁହେଁ ୟୁରୋପୀୟ ୟୁନିଅନ ଓ ଆମେରିକା ଦ୍ୱାରା କଟକଣା ଲଗା ଯିବା ସତ୍ୱେ ଭାରତ ଋଷ ଠାରୁ ଅଶୋଧିତ ତୈଳ କ୍ରୟ କରିବା ଆରମ୍ଭ କରି ଦେଇଥିଲା । ଏହି ୟୁରୋପୀୟ ଗୋରା ଦେଶ ମାନଙ୍କ ପାଇଁ ଏହା ବଡ କଷ୍ଟକର ସମୟ ଥିଲା । କାରଣ ସେମାନେ ଭାବି ପାରୁ ନ ଥିଲେ ଯେ ଭାରତ ଭଳି ଦେଶ ତାଙ୍କର ପରାମର୍ଶକୁ ଖାରଜ କରି ଋଷରୁ ଅଶୋଧିତ ତୈଳ କ୍ରୟ କରୁଛି ।
ତେଣୁ ଭାରତର ବିଶ୍ୱ ରାଜନୀତିରେ ବଢୁଥିବା ଭାବମୂର୍ତି, ଶକ୍ତି ଓ ଗୋରା ମାନଙ୍କର କଥାକୁ ଭୃକ୍ଷେପ ନ କରି ନିଜ ଦେଶର ସ୍ୱାର୍ଥକୁ କେନ୍ଦ୍ର କରି ନିଷ୍ପତି ଗ୍ରହଣ କରିବା ୟୁରୋପୀୟ ୟୁନିୟନକୁ ହଜମ ହେଉ ନାହିଁ । ତେଣୁ ୟୁରୋପୀୟ ୟୁନିୟନ ଏଭଳି ଅବାଂଛିତ ପ୍ରସ୍ତାବ ଭାରତ ସମ୍ପର୍କରେ ପାରିତ କରିଛି । ଏହି ପ୍ରସ୍ତାବକୁ ୟୁରୋପୀୟ ୟୁନିୟନର ଫ୍ରଷ୍ଟ୍ରେସନ ରୁପେ ମଧ୍ୟ ଦେଖା ଯାଇ ପାରେ ।
ମଣିପୁର ସମ୍ପର୍କରେ ୟୁରୋପୀୟ ୟୁନିୟନର ଏଭଳି ଟିପ୍ପଣୀ କୌଣସି ଦୃଷ୍ଟିରୁ ଗ୍ରହଣଯୋଗ୍ୟ ନୁହେଁ । ଏହା ସିଧା ସିଧା କୌଣସି ସାର୍ବଭୌମ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପର ପ୍ରୟାସ । କୌଣସି ସ୍ୱାଭିମାନୀ ଦେଶ ତାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅନ୍ୟ କେହି ଦେଶ ଏପରି ମନ୍ତବ୍ୟ ଦେଉ ତାହାକୁ ସ୍ୱୀକାର କରେ ନାହିଁ । କିନ୍ତୁ ୟୁରୋପୀୟ ୟୁନିୟନ ଏବେ ମଧ୍ୟ ସେହି ପୂର୍ବର ମାନସିକତାରେ ଥିବାରୁ ଏଭଳି ବକ୍ତବ୍ୟ ଦେଇଛି ।
ତେବେ ଭାରତ ସରକାର ଏହି ପ୍ରସଙ୍ଗରେ ଯେଭଳି କଡା ଉତର ଦେବା କଥା ସେପରି ଉତର ଦେଇଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦନ ବାଗଚୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଏଭଳି ହସ୍ତକ୍ଷେପକୁ କଦାପି ସ୍ୱୀକାର କରାଯାଇ ପାରିବ ନାହିଁ ।
ସେ କହିଛନ୍ତି, ‘‘ ଆମେ ଦେଖିଛୁ ଯେ ୟୁରୋପୀୟ ସଂଘର ପାର୍ଲିଆମେଂଟରେ ମଣିପୁରର ବର୍ତମାନ ସ୍ଥିତିକୁ ନେଇ ଆଲୋଚନା କରାଯାଇଛି ଓ ତଥାକଥିତ ଭାବେ ଏକ ତାତ୍କାଳିକ ପ୍ରସ୍ତାବ ପାରିତ କରାଯାଇଛି । ଭାରତର ଆଭ୍ୟନ୍ତରୀଣ ମାମଲାରେ ଏଭଳି ହସ୍ତକ୍ଷେପ ଆମ ପାଇଁ ଅସ୍ୱୀକାର୍ଯ୍ୟ । ଏହା ୟୁରୋପୀୟ ୟୁନିୟନର ଔପନିବେଶିକ ମାନସିକତାକୁ ଦର୍ଶାଉଛି । ’’
ସେ କହିଛନ୍ତି ଯେ ନ୍ୟାୟପାଳିକା ସମେତ ସମସ୍ତ ସ୍ତରରେ ଭାରତୀୟ ଅଧିକାରୀ ମଣିପୁର ସ୍ଥିତି ସମ୍ପର୍କରେ ଅବଗତ ଅଛନ୍ତି ଓ ଶାନ୍ତି, ସଦଭାବ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ଉଠାଉଛନ୍ତି ।
ଏହି ପ୍ରସ୍ତାବ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି, ‘‘ୟୁରୋପୀୟ ୟୁନିୟନର ପାର୍ଲିଆମେଂଟକୁ ପରାମର୍ଶ ଦିଆଯିବ ଯେ ସେମାନେ ନିଜର ସମୟ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ଗୁଡିକ ପାଇଁ ଅଧିକ ଉତ୍ପାଦକ ଢଙ୍ଗରେ କରନ୍ତୁ । ’’
ଭାରତ ସରକାର ୟୁରୋପୀୟ ୟୁନିୟନକୁ ଏ ସମ୍ପର୍କରେ ଅତ୍ୟନ୍ତ କୂଟନୈତିକ ଭାଷାରେ କଠୋର ଉତର ଦେଇଛନ୍ତି । ଏହା ଠାରୁ ଅଧିକ କଡା ଭାଷାରେ ଉତର ଦେବା ବୋଧ ହୁଏ ସମ୍ଭବ ହୋଇ ନ ଥାନ୍ତା । ତେବେ ଔପନିବେଶିକ ମାନସିକତାରେ ଥିବା ଏହି ଗୋରା ଦେଶ ମାନେ ଭାରତ ଠାରୁ ଏଭଳି ପ୍ରତିକ୍ରିୟା ପାଇଁ ମଧ୍ୟ ଆଶା କରି ନ ଥିବେ । ତେଣୁ ସେମାନଙ୍କୁ ବଡ ଧକ୍କା ଲାଗିବା ସ୍ୱାଭାବିକ । ଏହା ଦ୍ୱାରା ଯେ ସେମାନେ ତାଙ୍କର ଔପନିବେଶିକ ମାନସିକତାରେ ପରିବର୍ତନ ଆଣିବେ ବୋଲି ଭାବିବା ଭୁଲ ହେବ ।

Leave a Reply