ଦାବି ପୂରଣ ନ ହେଲେ ଯୁଗ୍ମ ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ

କଟକ : କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟୁଣୀ ଠାରେ ମାହେଶ୍ୱରୀ ଇସ୍ପାତ କାରଖାନାକୁ ଷଡ଼ଯନ୍ତ୍ର କରି ହଠାତ୍ ବନ୍ଦ କରି ଦିଆଯାଇ ବିକେ ଷ୍ଟିଲ ନାମକ ଏକ ଘରୋଇ କମ୍ପାନୀକୁ ବିକ୍ରି କରି ଦିଆଯାଇଛି । କର୍ମଚାରୀମାନଙ୍କୁ କୌଣସି ନୋଟିସ୍ ନ ଦେଇ ହଠାତ୍ ଏହି ଇସ୍ପାତ କାରଖାନାକୁ ବନ୍ଦ୍ କରି ଦିଆଯାଇଛି । ଯାହା ଫଳରେ ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ଜୀବିକା ହରାଇଛନ୍ତି । ଏପରିକି ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯାଇନାହିଁ । ଏ ନେଇ ସଂଘ ପକ୍ଷରୁ ଶ୍ରମିକମାନଙ୍କର ପ୍ରାପ୍ୟ ଦାବି କରାଯାଇ କୋର୍ଟର ଆଶ୍ରୟ ନିଆଯାଇଥିଲା । ମାନ୍ୟବର ଅଦାଲତ ଏହି ମୋକଦ୍ଦମାର ବିଚାର କରି ତୁରନ୍ତ ସେମାନଙ୍କର ପ୍ରାପ୍ୟ ଦେଇ ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କାରଖାନାରେ ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଦୀର୍ଘ ବର୍ଷ ବର୍ଷ ଧରି କାମ କରି ଆସିଛନ୍ତି । ବର୍ତ୍ତମାନ କମ୍ପାନୀ କର୍ତ୍ତୃପକ୍ଷ ହଠାତ୍ ଇସ୍ପାତ କାରଖାନାକୁ ବନ୍ଦ କରି ଦେବା ଫଳରେ ଶହ ଶହ ଶ୍ରମିକ ବେରୋଜଗାର ହୋଇ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ତୁରନ୍ତ କାରଖାନାକୁ ଖୋଲିବା ଏବଂ ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ପାଇଁ ମାହେଶ୍ୱରୀ ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ କଟକ ବକ୍ସିବଜାର ସ୍ଥିତ ପାନ୍ଥ ନିବାସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଠା ବସନ୍ତ କୁମାର ସାହୁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରମ ବିଭାଗ ମାହେଶ୍ୱରୀ ଇସ୍ପାତ କାରଖାନା ବିରୁଦ୍ଧରେ ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସଂଘ ପକ୍ଷରୁ କଟକ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ସଭାପତି ଶାନ୍ତନୁ କୁମାର ମହାପାତ୍ର, ଉପସଭାପତି ଚଣ୍ଡୀ ପ୍ରସାଦ ଶତପଥୀ, ସାଧାରଣ ସମ୍ପାଦକ ପ୍ରକାଶ ରାଉତ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଦୀପକ ମହାପାତ୍ର, ସରୋଜ ଦାସ, ପ୍ରଦୀପ କୁମାର ସୁବୁଦ୍ଧି, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ସହ ପ୍ରଭାରୀ ମୁକ୍ତିକାନ୍ତ ସାହୁ , ଭାରତୀୟ ମଜଦୁର ସଂଘର କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ଉପସଭାପତି ଅଶୋକ ସ୍ୱାଇଁ, ଆଇନଜୀବୀ ରମାକାନ୍ତ ସାହୁ, ସମ୍ପାଦକ ଭାଗୀରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *