ଭାରତର ଏହି ଦ୍ୱୀପ ଉପରେ ବି ଉଡ଼ିଥିଲା ସଂଦିଗ୍ଧ ଗୁପ୍ତଚର ବେଲୁନ : ରିପୋର୍ଟ

ନୂଆଦିଲ୍ଲୀ : ଆମେରିକା ଆକାଶରେ ଚୀନ ବେଲୁନ ଉଡ଼ିବା ଓ ଆମେରିକା ବାୟୁସେନା ତାହାକୁ ଖସାଇଦେବାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । କିନ୍ତୁ ପ୍ରାୟ ବର୍ଷକ ତଳେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ ଉପରେ ବି ଏକ ବେଲୁନ ଉଡ଼ୁଥିବା ଜଣାପଡ଼ିଛି । ଏହା ମଧ୍ୟ ଚୀନର ଗୁପ୍ତଚର ବେଲୁନ ଥିବା ସଂଦେହ କରାଯାଉଛି । ନିର୍ଦ୍ଦିଷ୍ଟ ଭାବେ କେଉଁ ଦ୍ୱୀପ ଉପରେ ବେଲୁନ ଉଡ଼ୁଥିଲା ସେ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାନଥିଲେ ବି ତାହା ଗ୍ରେଟ୍ ନିକୋବର ଦ୍ୱୀପ ଆଖପାଖରେ ଥିବା କୌଣସି ଦ୍ୱୀପ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଦ୍ୱୀପରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରହିଛି । ତେବେ ସେତେବେଳେ ଉକ୍ତ ଜିନିଷଟି କ’ଣ ତାହା କେହି ଜାଣି ନଥିଲେ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଶତାଧିକ ଲୋକ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ଭାରତର ପ୍ରତିରକ୍ଷା ବିଭାଗ ସତର୍କ ହୋଇଯାଇଥିଲା । ଏହି ଦ୍ୱୀପରେ ଅନେକ ଭାରତୀୟ ରାଡାର ସିଷ୍ଟମ ମଧ୍ୟ ଥିଲା, କିନ୍ତୁ ସେମାନେ ଏହାକୁ ଠାବ କରିପାରିନଥିଲେ । ମାତ୍ର ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ ବେଲୁନଟି ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲା । ଏହି ଦ୍ୱୀପ ଶୃଙ୍ଖଳା ବଙ୍ଗୋପସାଗରରେ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ ଅଞ୍ଚଳର ନିକଟରେ ଅବସ୍ଥିତ ଏବଂ ମଲାକା ଷ୍ଟ୍ରେଟ୍ ନିକଟରେ ଅବସ୍ଥିତ, ଯାହା ଚୀନ୍ ଏବଂ ଅନ୍ୟ ଉତ୍ତର ଏସୀୟ ଦେଶଗୁଡ଼ିକୁ ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଭାବେ ପରିଚିତ ।

Leave a Reply

Your email address will not be published. Required fields are marked *