ସାମୁଦ୍ରିକ ବର୍ଜ୍ୟବସ୍ତୁରୁ ବାୟୋପ୍ଲାଷ୍ଟିକ ପ୍ରସ୍ତୁତ କଲେ ଓଡ଼ିଆ ବୈଜ୍ଞାନିକ

ସାମୁଦ୍ରିକ ବର୍ଜ୍ୟବସ୍ତୁରୁ ବାୟୋପ୍ଲାଷ୍ଟିକ ପ୍ରସ୍ତୁତ କଲେ ଓଡ଼ିଆ ବୈଜ୍ଞାନିକ
୧୦ କୋଟିର ଷ୍ଟାର୍ଟଅପ୍ ପାଇଁ ନିବେଶକଙ୍କୁ ଅପେକ୍ଷା
ବାଲେଶ୍ଵର: ସାମୁଦ୍ରିକ ବର୍ଜ୍ୟବସ୍ତୁରୁ ପ୍ଲାଷ୍ଟିକ ପ୍ରସ୍ତୁତ ପାଇଁ ଚର୍ଚ୍ଚାରେ ରହିଛି ଓଡ଼ିଶାର ପ୍ରଥମ ତଥା ବାଲେଶ୍ଵରର କମ୍ପାନୀ ‘ନାଟନାଭୋ’ । ସାମୁଦ୍ରିକ ମତ୍ସ୍ୟ ଓ ପ୍ରାଣୀମାନଙ୍କର ବର୍ଜ୍ୟବସ୍ତୁକୁ ବ୍ୟବହାର କରି କ୍ଷୟଶୀଳ ପ୍ଲାଷ୍ଟିକ ପ୍ରସ୍ତୁତ କରିବାକୁ ନୂଆ ଷ୍ଟାର୍ଟ ଅପ୍ କରାଯାଇଥିବା ନାଟ୍‌ନୋଭ୍ ବାୟୋ ସାଇନ୍ସର ନିର୍ଦେଶକ ଡ. ସିଦ୍ଧାର୍ଥ ପତି କହିଛନ୍ତି।
ପ୍ଲାଷ୍ଟିକ ସାଧାରଣତଃ ମାଟିରେ ମିଶେନାହିଁ । ଶହଶହ ବର୍ଷ ଧରି ପୃଥ‌ିବୀ ପୃଷ୍ଠରେ ପଡ଼ି ରହିଥାଏ। ଯାହା ପରିବେଶ ପ୍ରଦୂଷଣ କରିବା ସହିତ ମାନବ ଜଗତ ପ୍ରତି ବିପଦ ସୃଷ୍ଟି କରିଥାଏ। ହେଲେ ଏହି ବାୟୋପ୍ଲାଷ୍ଟିକରେ ନିର୍ମିତ ସାମଗ୍ରୀ ସହଜରେ ମାଟିରେ ଅଳ୍ପ ଦିନରେ ମିଶିଯାଇ ପାରିବ। ଯାହା ପରିବେଶ ଅନୁକୂଳ ମଧ୍ୟ। ଏହି ପ୍ରକଳ୍ପ ଏବେ ପ୍ରାୟ ୨ କୋଟି ଟଙ୍କାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ଵର ଜିଲା ଖନ୍ତାପଡ଼ା ପଞ୍ଚାୟତର ଭଗତପୁରଠାରେ ଆରମ୍ଭ ହୋଇଛି। ଅଧ‌ିକ ୧୦ କୋଟି ଟଙ୍କା ହେଲେ ଏଠାରେ ବ୍ୟବସାୟିକ ଭିଭିରେ ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ (ମାଟିରେ ସହଜରେ ମିଶି ପାରୁଥ‌ିବା ପ୍ଲାଷ୍ଟିକ) ପ୍ରସ୍ତୁତ କରାଯାଇପାରିବ ବୋଲି ଡ. ପତି କହିଛନ୍ତି ।
ନାଟନୋଭ୍ ବାଓସାଇନ୍ସର ବୈଜ୍ଞାନିକମାନେ ସାମୁଦ୍ରିକ ଖାଦ୍ୟ ବର୍ଜ୍ୟରୁ ଉତ୍ପନ୍ନ ସାମଗ୍ରୀର ବିସ୍ତାର ଉପରେ ଅନୁସନ୍ଧାନ କରି ବାଓପଲିମର ତିଆରି କରିଛନ୍ତି ଯାହା କୃଷି ଜୈବ ଉଦ୍ଦୀପକ ଓ ଔଷଧ ତିଆରି ପାଇଁ ବ୍ୟବହାର ହେଉଛି । ଯାହା ଜୈବିକ କୃଷି ପାଇଁ କୃଷକଙ୍କୁ ଉତ୍ସାହିତ କରିବ। ରାସାୟନିକ ସାର ଓ କୀଟନାଶକ ବ୍ୟବହାର ବଦଳରେ ଚାଷୀ ଜୈବିକ ଉପାୟରେ ଚାଷ କଲେ ନିଜେ ଲାଭବାନ ହେବା ସହିତ ପୁଷ୍ଟିକର ଉତ୍ପାଦ ବିକ୍ରି କରିପାରିବ ।
ନାଟନୋଭ ବାୟୋସାଇନ୍ସ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ସାମଗ୍ରୀ ତିଆରି କରି ଜୈବ ଅର୍ଥନୀତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖୁଛି। ନାଟନୋଭ ବାୟୋସାଇନ୍ସ, ଖାଦ୍ୟ ଓ ମତ୍ସ୍ୟ ବର୍ଜ୍ୟ ପରିମାଣକୁ ହ୍ରାସ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ପ୍ରୟାସ ବୃହତ ଆକାରରେ ସଫଳ ହେଲେ ପ୍ଲାଷ୍ଟିକ୍ ଉତ୍ପାଦନ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିହେବ ବୋଲି ଆଶା କରାଯାଉଛି। ଗ୍ରାଣ୍ଡ ଭିଉ ରିସର୍ଚ୍ଚ ଅନୁଯାୟୀ, ୨୦୨୧ରେ ବାୟୋପ୍ଲାଷ୍ଟିକ୍ସର ବିଶ୍ଵ ବଜାରରେ ମୂଲ୍ୟ ପ୍ରାୟ ୧୦.୨ ବିଲିୟନ ଡଲାର। ୨୦୨୨ରୁ ୨୦୩୦ ପର୍ଯ୍ୟନ୍ତ ଏହା ବାର୍ଷିକ ୧୭୧ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *