ଚିତ୍ତରଞ୍ଜନ ମହାପାତ୍ର
ସ୍ୱାଧୀନ ଭାରତର ପୁଲିସ ସଂଗଠନ ଇରେଜ ସରକାର ଅମଳର ସୃଷ୍ଟି । ଇଂରେଜ ସରକାର ସମୟରେ ଭାରତ ଶାସନକୁ ପୁଲିସ ରାଷ୍ଟ୍ର ବା ପୁଲିସରାଜ ବୋଲି କୁହାଯାଉଥିଲା । ଶାନ୍ତିଶୃଙ୍ଖଳା ନାମରେ ଲୋକଙ୍କୁ ଦମନ କରି ରଖିବା ନିମନ୍ତେ ଇଂରେଜମାନେ ଯେଉଁ ଆଇନ ଗଢ଼ିଥିଲେ ସେହି ଆଇନ ବ୍ୟବସ୍ଥାରେ କୌଣସି ନିରପରାଧ ବ୍ୟକ୍ତିକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ପାରୁଥିଲା । ସେହି ଅନୁସାରେ ତତ୍କାଳୀନ ସମୟରେ କୌଣସି ଗୋରାଲୋକମାନେ ଯେତେ ଭୁଲ କଲେ ମଧ୍ୟ ଭାରତୀୟ ନ୍ୟାୟାଳୟରେ କେବେ ଦଣ୍ଡିତ ହେବା ଦେଖାଯାଇନାହିଁ । ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତା ପରେ ମଧ୍ୟ ତତ୍କାଳୀନ ନେତୃବୃନ୍ଦ ସେହି ବ୍ୟବସ୍ଥାକୁ ଦେଶରେ ପ୍ରଚଳିତ କରିଥିଲେ । ତାହା ଆଜି ପର୍ଯ୍ୟନ୍ତ ଚାଲିଆସିଛି ।
ସୁଖର ବିଷୟ ନାଗରିକ ନ୍ୟାୟ ସଂହିତା ଦେଶରେ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଗତ ଡିସେମ୍ବର ମାସରେ ସଂଶୋଧିତ ହୋଇଥିବା ନୂଆ ଆଇନ ଯଥା ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷୀ ଅଧିନିୟମକୁ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରିି ରହି ଆସିଥିବା ଆଇପିସି, ସିଆରପିସି ଓ ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ ଭଳି ବ୍ରିଟିଶ ନିୟମ ସବୁ ହଟାଇବା ପାଇଁ ଗତ ଫେବୃଆରୀ ମାସରେ କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ଼, ଫୌଜଦାରୀ ଦଣ୍ଡବିଧି ଆଇନ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ଏବେ ଇତିହାସ ପାଲଟିବ । ଦୀର୍ଘଦିନ ପରେ ଦେଶର ଶିକ୍ଷା, ଅପରାଧ ଏବଂ ସମାଜ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ । ଆଶା କରାଯାଉଛି ଦଣ୍ଡ ବଦଳରେ ନ୍ୟାୟ ଶବ୍ଦ କେବଳ କାଗଜ କଲମରେ ରହିବ ନାହିଁ ବରଂ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ । ଭାରତୀୟ ଜୁଡିସିଆଲ୍ କୋଡ୍ ଆକ୍ଟ ମାଧ୍ୟମରେ ଏନଡିଏ ସରକାର ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି ।
ନୂଆ ଆଇନ ଓ ପୁରୁଣା ନିୟମ ମଧ୍ୟରେ ଅନେକ ତଫାତ ରହିଛି । ତଦନ୍ତରେ କିଭଳି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ ନୂଆ ଆଇନରେ ସେ ପ୍ରକାର ପ୍ରାବଧାନ ରହିଛି । ଅନଲାଇନ ଯୋଗେ ଯେ କୌଣସି ସ୍ଥାନରେ ଥାଇ ମଧ୍ୟ ଥାନାରେ ଏଫଆଇଆର ଦିଆଯାଇ ପାରିବ । ହ୍ୱାର୍ଟସ୍ଆପ, ଇ-ମେଲ ତଥା ମେସେଜ ଆଦି ମାଧ୍ୟମରେ ଏଫଆଇଆର ଗ୍ରହଣୀୟ; ପ୍ରମାଣସାପେକ୍ଷ ମଧ୍ୟ । ପୁରାତନ ଆଇନରେ ମୋକଦମା ଋଜୁ କରିବା, ଚାର୍ଜସିଟ କ୍ଳୋଜ କରିବା, ଶୁଣାଣି କରାଯିବା ତଥା ଅନ୍ତିମ ଫଇସଲା ଶୁଣାଇବା ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ନଥିଲା । ଫଳରେ ଅଭିଯୋଗକାରୀ, ପୁଲିସ, ଓକିଲ ତଥା ଜର୍ଜ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଇଚ୍ଛାନୁସାରେ ଡ଼େଟ୍ ପରେ ଡ଼େଟ୍ ଗଡ଼େଇ ଚାଲୁଥିଲେ । ଏବେ ଏସବୁ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଡ଼େଟ୍ ପରେ ଡ଼େଟ୍ ଗଡ଼େଇ ଚାଲିବା ଯୁଗ ସମାପ୍ତ ହେବାକୁ ଯାଉଛି । ପୂର୍ବରୁ ବିଚ୍ଛିନ୍ନତାବାଦ ପାଇଁ ଅଲଗା କାନୁନ ଥିଲା । ଏବେ ବିଚ୍ଛିନ୍ନତାବାଦ ପାଇଁ ଏହି ଆଇନରେ କିଛି ଦଣ୍ଡ ବ୍ୟବସ୍ଥା ରହିଛି । ପରିବେଶ ପ୍ରଦୂଷଣ, ମାନବ ଚାଲାଣ ଘଟଣା ପାଇଁ ନୂଆ ଆଇନରେ ଦଣ୍ଡ ବ୍ୟବସ୍ଥା କରାଯାଇଛି । ମହିଳା, ଶିଶୁ ଓ ରାଷ୍ଟ୍ର ସମ୍ବନ୍ଧୀୟ ବିଷୟକୁ ଅଗ୍ରାଧିକାର ଦିଆଯାଇଛି । ନୂଆ ଆଇନରେ ପୀଡ଼ିତଙ୍କ ଅଧିକାର ସହିତ ଅଭିଯୁକ୍ତର ଅଧିକାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମାମଲାର ତଦନ୍ତ ବେଳେ କୌଣସି ସ୍ଥାନର ଖାନତଲାସ, ସାମଗ୍ରୀ ଜବତ ଇତ୍ୟାଦି ପ୍ରକ୍ରିୟାର ଅଡ଼ିଓ ଭିଡ଼ିଓ ରେକର୍ଡ଼ିଂ କରାଯିବ । ଇଲେକ୍ଟ୍ରୋନିକ ଓ ଡିଜିଟାଲ ରେକର୍ଡ଼ର ଗ୍ରହଣୀୟତା ଉପର ଗୁରୁତ୍ୱାରୋପ କରାଯାଇଛି । ମୌଖିକ ବୟାନ ଇଲେକ୍ଟ୍ରୋନିକାଲ ଜଣେ ଦେଇପାରିବ ।
ଇଂରେଜ ଶାସନ ସମୟରୁ ପ୍ରଚଳିତ ଆଇପିସିରେ ମୋଟ ୫୧୧ଟି ଧାରା ରହିଥିଲା ବେଳେ ତା’ର ସ୍ଥାନ ନେବାକୁ ଯାଉଥିବା ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରା ରହିଛି । ସଂଶୋଧନ ମାଧ୍ୟମରେ ସେଥିରେ ୨୦ଟି ନୂଆ ଅପରାଧକୁ ସାମିଲ କରାଯାଇଛି । ସେହିଭଳି ଫୌଜଦାରୀ ଦଣ୍ଡ ସଂହିତା ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା କାର୍ଯ୍ୟକାରୀ ହେବ । ଦେଶଦ୍ରୋହ ପାଇଁ ଆଇପିସିରେ ଧାରା ୧୨୪ ଲାଗୁ ହେଉଥିବା ବେଳେ ନୂଆ ଆଇନରେ ଧାରା ୧୫୨ ଲାଗୁ କରାଯିବ । ଯୁଗ ଅନୁସାରେ କେତେକ ଅଲୋଡ଼ା ତଥା ଅନାବଶ୍ୟକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ପୁରୁଣା ଆଇନର ୧୨୪-କ ରାଜଦ୍ରୋହ ଦଫାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଭାରତର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିରୋଧରେ କାର୍ଯ୍ୟ ପାଇଁ ନୂଆ ଆଇନର ଧାରା ୧୫୨ରେ ଆଜୀବନ ଦଣ୍ଡ ପ୍ରଦାନ କରାଯାଇ ପାରିବ ।
ଆମ ଦେଶରେ ଏବେ ‘ଏକ ଦେଶ ଏକ ନ୍ୟାୟ ସଂହିତା’ର ଆବଶ୍ୟକ ଅଛି । ଆମେ ଆଜି ମଧ୍ୟ ଏହାଠାରୁ ବହୁ ଦୂରରେ । ମାନବ ତସ୍କରୀ, କଳାବଜାରୀ, ଧର୍ମାନ୍ତରୀକରଣ, ମାଓବାଦ, ଅନୁପ୍ରବେଶ, ରେଲୱେ ପାଇଁ ଅଲଗା ଅଲଗା କାନୁନ ରହିଛି ଏସବୁ ସମାପ୍ତ ହୋଇ ଗୋଟିଏ ଆଇନ ଅଧୀନକୁ ଯଦି ଆସିଯିବ ତେବେ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ଆସିପାରିବ । ଆଜି ମଧ୍ୟ ମିଛ ଅଭିଯୋଗ, ମିଛ ଚାର୍ଜସିଟ, ଜଜ୍ଙ୍କ ମାଧ୍ୟମରେ ମିଛ ଫଇସଲା ଶୁଣାଇବା ଆଦି ବିଷୟକୁ ଗମ୍ଭୀର ଅପରାଧ ବୋଲି ଗ୍ରହଣ କରାଯାଉ ନାହିଁ । ଯାହା ଫଳରେ ବଡ଼ ବଡ଼ ଅପରାଧୀ ମିଛର ଆଶ୍ରୟ ନେଇ ଖସିଯିବା ଦେଖିବାକୁ ମିଳୁଛି । ଏପରି କ୍ଷେତ୍ରରେ ନାର୍କୋ ପଲିଗ୍ରାଫ ଟେଷ୍ଟକୁ ଅନିବାର୍ଯ୍ୟ କରାଗଲେ ଏ ବିଷୟରେ ଅନେକ ନିରପରାଧ ବ୍ୟକ୍ତି ଉପକୃତ ହୋଇ ପାରନ୍ତେ, ତଥାପି ବର୍ତ୍ତମାନ ସରକାରଙ୍କର ଏହି ନ୍ୟାୟିକ ପରିବର୍ତ୍ତନ ଯୁଗାନ୍ତକାରୀ ।
ସଂସ୍କୃତି ଭବନ, ଚଣ୍ଡୀମନ୍ଦିର ମାର୍ଗ, କଟକ-୮
ମୋ-୯୪୩୯୫୬୧୮୫୪
-ଠ-