ଭାରତ ବିକାଶ ପରିଷଦର ରକ୍ତ ସ୍ୱଳ୍ପତା ପରୀକ୍ଷଣ ଶିବିର ଆୟୋଜନ

ଭୁବନେଶ୍ୱର: ଭାରତ ବିକାଶ ପରିଷଦ, ଚନ୍ଦ୍ର ଶେଖର ପୁର ଶାଖା ପକ୍ଷରୁ ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ କଣ୍ଟାପଡ଼ା ଠାରେ ଥିବା ” ଆଦୃତା ଶିଶୁ ସଦନ ” ପରିସରରେ ୨୬ ତାରିଖ ରବିବାର ଦିନ ସଦନ ଅନ୍ତେବାସୀମାନଙ୍କର ରକ୍ତ ସ୍ୱଳ୍ପତା ପରୀକ୍ଷଣ ଶିବିର ଆୟୋଜନ କରାଯାଇ ଥିଲା । ସାମାଜିକ କର୍ମୀ ତଥା ଟେକନିସିଆନ୍ ଶ୍ରୀ ନରେଶ ଚନ୍ଦ୍ର ଓଝା ଏହି ଶିବିରରେ ୯୧ ଜଣ ଅନ୍ତେବାସୀ ମାନଙ୍କର ରକ୍ତ ସଂଗ୍ରହ କରି ପରୀକ୍ଷଣର ବ୍ୟବସ୍ଥା କରିଥିଲେ । ଏହାର ରିପୋର୍ଟ ହସ୍ତଗତ ହେବା ପରେ ଆମ ଶାଖାର ବରିଷ୍ଠ ସଦସ୍ୟା ଡକ୍ଟର ଶ୍ରୀମତୀ ପ୍ରଭାସିନୀ ବ୍ରହ୍ମାଙ୍କ ଦ୍ୱାରା ଯାଞ୍ଚ ପରେ ଏଥିରେ ଚିହ୍ନଟ ଅନ୍ତେବାସୀଙ୍କୁ ଶାଖା ପକ୍ଷରୁ ଆବଶ୍ୟକୀୟ ଔଷଧ ପ୍ରଭୃତି ପ୍ରଦାନ କରାଯିବ ।ସଦନର ବରିଷ୍ଠ ପରିଚାଳିକା ସୁଶ୍ରୀ ସୁପ୍ରୀତି ଏହି ପରୀକ୍ଷଣ ପାଇଁ ସମସ୍ତ ଦାୟିତ୍ୱ ନେଇଥିଲେ । ପରେ ପରେ ଏ ଉପଲକ୍ଷେ ଶିଶୁ ସଦନ ର ସଭାଗୃହ ରେ ଚନ୍ଦ୍ର ଶେଖର ପୁର ଶାଖା ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଦୃତା ଶିଶୁ ସଦନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅଦିତ୍ୟ କୁମାର ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଶାଖା ପକ୍ଷରୁ ବରିଷ୍ଠ ସଦସ୍ୟ ଶ୍ରୀ ଦେବେନ୍ଦ୍ର ନାଥ ଦାଶ ପ୍ରଫେସର ମହାନ୍ତି ଙ୍କୁ ଅଙ୍ଗବସ୍ତ୍ର ସହ ସୌନ୍ଦର୍ଯ୍ୟ ବର୍ଦ୍ଧକ କ୍ଷୁଦ୍ର ପୁଷ୍ପ ବୃକ୍ଷ ଦେଇ ସମ୍ମାନିତ କରିଥିଲେ । “ସେବା ଧର୍ମ” ସଂପର୍କରେ ପ୍ରଫେସର ମହାନ୍ତି ଙ୍କ ଉପାଦେୟ ବକ୍ତବ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଶ୍ରୀମତୀ ନିନାଦିନୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରକ୍ତ ପରୀକ୍ଷଣ ସଂପର୍କୀୟ ସମସ୍ତ ଆୟୋଜନ କରି ମଞ୍ଚରେ ଉପସ୍ଥିତ ଥିଲେ ଶାଖା ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ଶାଖା ଉପାଧ୍ୟକ୍ଷ ଶ୍ରୀ ମୂରଲୀଧର ଦାସ । ଶାଖା ପୃଷ୍ଠ ପୋଷକ ଡ. ବିଶ୍ୱେଶ୍ୱର ଦାସ ରକ୍ତ ପରୀକ୍ଷଣ ର ସମସ୍ତ ଦାୟିତ୍ୱ ନେଇଥିଲେ ଏବଂ ଶାଖା ପକ୍ଷରୁ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ତଥା ଅନ୍ତେବାସୀମାନଙ୍କ ସହ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ନେଇଥିଲେ ଶାଖା ସଂଗଠନ ସଚିବ ଶ୍ରୀମତୀ ଅପର୍ଣ୍ଣା ସ୍ୱାଇଁ । ଶାଖାର କେତେକ ସଦସ୍ୟ ଅନ୍ତେବାସୀମାନଙ୍କ ପାଇଁ ରୋଷେଇ ସାମଗ୍ରୀ ମଧ୍ୟ ଯୋଗାଣ କରି ଥିଲେ । ଶାଖା ପକ୍ଷରୁ ଟେକନିସିଆନ୍ ଶ୍ରୀ ନରେଶ ଚନ୍ଦ୍ର ଓଝା ଙ୍କୁ ତାଙ୍କର ସେବା କାର୍ଯ୍ୟ ପାଇଁ ମୁଖ୍ୟ ଅତିଥି ପ୍ରଫେସର ମହାନ୍ତି ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରିଥିଲେ । ପରିଶେଷରେ ଶିଶୁ ସଦନ ର କିଶୋରୀ ମାନଙ୍କ ଦ୍ୱାରା ଦେଶଭକ୍ତି ଗୀତ ଓ ଲୋକ ଗୀତ ଉପରେ ଆଧାରିତ ଦୁଇଟି ନୃତ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥିତ ସମସ୍ତେ ନୃତ୍ୟଶିଳ୍ପୀ ମାନଙ୍କ କଳା ନୈପୁଣ୍ୟର ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ । ଶାଖା ପକ୍ଷରୁ ୩୪ ଜଣ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆନନ୍ଦ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *