Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପବିତ୍ର ଶ୍ରୀପଞ୍ଚମୀରେ ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପବିତ୍ର ଶ୍ରୀପଞ୍ଚମୀରେ ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା

ପୁରୀ : ପବିତ୍ର ଶ୍ରୀପଞ୍ଚମୀରେ ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯାଇଥିଲା । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇଥିଲା । ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପୂଜାପାଠ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିଥିଲେ । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି । ତେବେ ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨୧ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୧୦୪ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ଆସି ପହଞ୍ଚିଥିଲା । ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ପୂଜାର୍ଚ୍ଚନାରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ଼.କେ.ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ଓ ନୀତି ପ୍ରଶାସକ ଅଜ୍ଞ କୁମାର ଜେନା ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply