ମହାତ୍ମା ଗାନ୍ଧୀ ତାଙ୍କୁ ବଡ଼ ଭାଇର ସମ୍ମାନ ଦେଇ ‘ଭାରତ ନିର୍ମାତା’ର ସଂଜ୍ଞା ପ୍ରଦାନ କରିଥିଲେ । ଜବାହାରଲାଲ ନେହେରୁ ତାଙ୍କୁ ଜଣେ ମହାନ୍ ଆତ୍ମା କହୁଥିଲେ, ଯିଏକି ଆଧୁନିକ ଭାରତର ରାଷ୍ଟ୍ରୀୟତାର ମୂଳଦୂୁଆ ସୃଷ୍ଟି କରିଥିଲେ । ସେ ଆଉ କେହି ନୁହନ୍ତି, ମଦନ ମୋହନ ମାଲବ୍ୟ । ସେ ଥିଲେ ଜଣେ ମହାନ୍ ରାଜନେତା ଏବଂ ଶିକ୍ଷାବିତ୍ । ଭାରତର ସବୁଠୁ ଉତ୍ତମ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଥାପନା କରିଥିଲେ ମଦନ ମୋହନ । ସେ ଏଭଳି ଜଣେ ଦେଶଭକ୍ତ ଥିଲେ, ଯିଏ ଦେଶର ସ୍ୱାଧୀନତା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ତାଙ୍କ ବିଚାରଧାରା ଆଜିର ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛି । ଜଣେ ରାଜନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ତାଙ୍କ ଜୀବନ ଆରମ୍ଭ ହୋଇଥିଲା ୧୮୮୬ ମସିହାରେ । ସେତେବେଳେ କୋଲ୍କାତାର ଦାଦାଭାଇ ନାରୋଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନରେ ଯୋଗଦେବାକୁ ସେ ଆସିଥିଲେ । ଏହି ପ୍ରାରମ୍ଭିକ ଅଧିବେଶନରେ ତାଙ୍କ ଦ୍ୱାରା ଦିଆଯାଇଥିବା
ଭାଷଣ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଭାଷଣର ପ୍ରଭାବ ମହାରାଜା ଶ୍ରୀରାମପାଲ୍ ସିଂହଙ୍କ ଉପରେ ମଧ୍ୟ ପଡ଼ିଥିଲା । ପ୍ରଭାବିତ ହୋଇ ସେ ସାପ୍ତାହିକ ସମାଚାର ପତ୍ର ହିନ୍ଦୁସ୍ତାନର ସମ୍ପାଦକ ଏବଂ ଏହାର ପ୍ରବନ୍ଧନ ସମ୍ଭାଳିବା ଦାୟିତ୍ୱ ମଦନ ମୋହନଙ୍କୁ ଅର୍ପଣ କଲେ । କିଛି ବର୍ଷ ଏହି ଦାୟିତ୍ୱ ସମ୍ଭାଳିବା ପରେ ସେ ଏଲ୍ଏଲ୍ବି ପଢ଼ିବାକୁ ଆହ୍ଲାବାଦ୍ ଚାଲିଗଲେ । ଓକିଲାତି ପଢ଼ା ଶେଷ କରି ଆହ୍ଲାବାଦ୍ ନ୍ୟାୟାଳୟରେ ପ୍ରାକ୍ଟିସ୍ ଆରମ୍ଭ
କଲେ । ଜୀବନ ସାରା ସେ ନିଜ ବିଚାରଧାରା ଏବଂ ସଂଯମତାକୁ ଲୋକଙ୍କ ଉନ୍ନତି ଦିଗରେ ଲଗାଇଥିଲେ । ତାଙ୍କ ଚଲାପଥ ଯେତେ କଣ୍ଟକିତ ଥିଲେ ମଧ୍ୟ ଅଧୈର୍ଯ୍ୟ ନହୋଇ ଅନ୍ୟକୁ ରାସ୍ତା ଦେଖାଇବାରେ ଯଥାସାଧ୍ୟ ଚେଷ୍ଟା କରୁଥିଲେ । ୧୮୬୧ ମସିହା ଆଜିର ଦିନରେ ଏହି ମହାନ୍ ବ୍ୟକ୍ତିତ୍ୱଙ୍କର ଜନ୍ମ ହୋଇଥିଲା ।