ଅଯୋଧ୍ୟାରେ ଉଡିବ ଧର୍ମଧ୍ବଜା

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ପରିସରରେ ନଭେମ୍ବର ୨୫ ତାରିଖରେ ପତାକା ଉତ୍ତୋଳନ ଉତ୍ସବର ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ୧୯୧ ଫୁଟ ଉଚ୍ଚ ଶିଖରରେ ପତାକା ଉତ୍ତୋଳନ କରିବେ। ବୈଦିକ ମନ୍ତ୍ର ପାଠ ମଧ୍ୟରେ ଚାରି ମିନିଟ୍ ମଧ୍ୟରେ ପତାକା ଉତ୍ତୋଳନ କରାଯିବାର ବ୍ୟବସ୍ଥା ରହିଛି। 

ପତାକା ଉତ୍ତୋଳନ କାର୍ଯ୍ୟକ୍ରମର ତଦାରଖ କରୁଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ‘ପତାକା ଉତ୍ତୋଳନ ପୂର୍ବରୁ ମୋଦୀ ପ୍ରଥମେ ରାମ ମନ୍ଦିରରେ ପ୍ରବେଶ କରି ସପ୍ତ ମଣ୍ଡପମ ମନ୍ଦିରରେ ପୂଜାଅର୍ଚ୍ଚନା କରି ସମନ୍ୱୟର ବାର୍ତ୍ତା ଦେଇ ଉପସ୍ଥିତ ଥିବା ଅତିଥିମାନଙ୍କ ଅଭିବାଦନ ଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଅତିଥିମାନଙ୍କୁ ସମ୍ବୋଧିତ କରିବେ। ଏହାପରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଏକ ସ୍ୱୟଂଚାଳିତ ପ୍ରଣାଳୀ ବ୍ୟବହାର କରି ପତାକାକୁ ମନ୍ଦିର ଶିଖର ପର୍ଯ୍ୟନ୍ତ ଧୀରେ ଧୀରେ ଉଠାଯିବ। ଏହି ପ୍ରକ୍ରିୟା ଚାରି ମିନିଟର ସମୟ ନେବ। ଏହି ସମୟରେ ୨୧ଜଣ ବୈଦିକ ଆଚାର୍ଯ୍ୟ ନିରନ୍ତର ବୈଦିକ ମନ୍ତ୍ର ପାଠ କରିବେ। ରାମଧୂନ ବାଜୁଥିବା ସମୟରେ ଶିଖରରେ ପତାକା ଉତ୍ତୋଳନ କରାଯିବ।  ପତାକା ଉତ୍ତୋଳନ ହେବା ମାତ୍ରେ ପୁଷ୍ପବୃଷ୍ଟି ସହିତ ଶଙ୍ଖ ଶବ୍ଦରେ ପୂରି ଉଠିବ ମନ୍ଦିର ପରିସର । 

ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିବା ଛଅ ହଜାର ଅତିଥିଙ୍କ ପାଇଁ ସପ୍ତ ଋଷିଙ୍କ ନାମରେ ନାମିତ ମୋଟ ୧୫ଟି ବ୍ଲକ ନିର୍ମାଣ କରାଯାଇଛି। ଏଥିସହିତ ଏକ ବିଶାଳ ୨୦୦ଫୁଟର ଏଲଇଡି ସ୍କ୍ରିନ୍ ଲଗାଯାଉଛି, ଯାହା ପତାକା ଉତ୍ତୋଳନର ସିଧା ପ୍ରସାରଣ କରିବ। ଦୂରରେ ଠିଆ ହୋଇଥିବା ଅତିଥିମାନେ ମଧ୍ୟ ଐତିହାସିକ ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ନିଜ ଆଖିରେ ଦେଖି ପାରିବେ। 

Leave a Reply

Your email address will not be published. Required fields are marked *