ଚକିତ କରିଛି ଅମିରାତର ବୈଠକ

ଚକିତ କରିଛି ଅମିରାତର ବୈଠକ
ସୌମେନ୍ଦ୍ର ଜେନା

ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଏବଂ ଭାରତ ମଧ୍ୟରେ ମାତ୍ର ଦୁଇ ଘଣ୍ଟାର ଆଲୋଚନା ଏବଂ ବୁଝାମଣା ଘଟଣା ସମସ୍ତଙ୍କୁ ଚକିତ କରିଥିଲେ ମଧ୍ୟ ଆକସ୍ମିକ ଘଟଣା ନୁହେଁ । ଏହି ବୁଝାମଣା ପାଇଁ ଅମିରାତ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହ୍ୟାନ, ଦୁବାଇ କ୍ରାଉନପ୍ରିନ୍ସ ଶେଖ ହମଦାନ ବିନ ମହମ୍ମଦ ଅଲ୍ ମକତୁମ (ଉପ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ) ଶେଖ ହମିଦ ବିନ ଜାୟେଦ ଅଲ ନହ୍ୟାନ, ବିଦେଶ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାୟେଦ ଅଲ ନହ୍ୟାନ, ଶେଖ ହମଦ ବିନ ମହମ୍ମଦ ବିନ ଜାୟେଦ ଅଲ ନହ୍ୟାନ, ଶେଖ ମହମ୍ମଦ ହମଦ ବିନ ତାହନୁନ ଅହ ନହ୍ୟାନଙ୍କ ସହ ଭାରତଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିରାତର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହ୍ୟାନଙ୍କ ପାଇଁ ପ୍ରୋଟୋକଲ ବାହାରକୁ ଯାଇ ବିମାନ ବନ୍ଦରରେ ଲାଲକାର୍ପେଟରେ ସ୍ୱାଗତ କରିଥିଲେ । କେବଳ ସେତିକି ନୁହେଁ ସେ ତାଙ୍କୁ ନିଜ କାରରେ ବସାଇ ପ୍ରଧାନମନ୍ତ୍ରୀ ବାସଭବନକୁ ଆଣିଥିଲେ । ଏହି ସମୟରେ ଦୁଇନେତାଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଥିଲା । ଲୋକକଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ଅମିରାତର ରାଜପରିବାରବର୍ଗଙ୍କୁ ସ୍ୱାଗତ କରିଥିଲେ । ଅମିରାତ ରାଷ୍ଟ୍ରପତିଙ୍କୁ ଗୁଜରାଟର କାଠ ଖୋଦେଇ ଝୁଲା, କାଶ୍ମିରର ପଶମିନା ଶାଲ, ଶାଲ ରଖିବା ପାଇଁ ତେଲେଙ୍ଗାନାର ରୁପାର ବାକ୍ସ, ଶେଖ ଫାତିମା ବିଣ୍ଟ ମୁବାରକ ଅଲ କେଟେକୀଙ୍କ ପାଇଁ କାଶ୍ମିରୀ କେଶର ଆଦି ପ୍ରଦାନ କରାଯାଇଥିଲା । ଅମିରାତର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନହ୍ୟାନଙ୍କ ପାଇଁ ଏହା ଭାରତକୁ ଗତ ଦଶବର୍ଷ ମଧ୍ୟରେ ପଞ୍ଚମ ଗସ୍ତ ରହିଥିଲା । ତେବେ ଏପ୍ରିଲ ୨୦୨୫ରେ ଦୁବାଇର କ୍ରାଉନ ପ୍ରିନ୍ସ ତଥା ଅମିରାତର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶେଖ ହମିଦ ବିନ୍ ମହମ୍ମଦ ବିନ୍ ରସିଦ ଅଲ ମକତୁମ ଭାରତ ଗସ୍ତରେ ଆସିଥିଲେ । ସେହିପରି ସେପ୍ଟେମ୍ବର ୨୦୨୪ରେ ଆବୁଧାବିର କ୍ରାଉନପ୍ରିନ୍ସ ଶେଖ ଖାଲେଦ ବିନ ମହମ୍ମଦ ବିନ ଅଲ ଜାୟେଦ ଅଲ ନହ୍ୟାନ ମଧ୍ୟ ଭାରତ ଗସ୍ତରେ ଆସିଥିଲେ । ତେଣୁ ଏହି ଗସ୍ତ ଆକସ୍ମିକ ନୁହେଁ ବରଂ ଦୁଇ ରାଷ୍ଟ୍ର ମଧ୍ୟରେ ନିୟମିତ ଆଲୋଚନା, ଦ୍ୱିପାକ୍ଷିକ ସ୍ୱାର୍ଥରକ୍ଷା, ପରିବର୍ତ୍ତିତ ବିଶ୍ୱର ବଦଳୁଥିବା ପରିସ୍ଥିତି ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ବୋଲି କହିଲେ ଠିକ୍ ହେବ । ପୃଥିବୀର ପ୍ରତ୍ୟେକ ରାଷ୍ଟ୍ର ନିଜ ରାଷ୍ଟ୍ରୀୟ ସ୍ୱାର୍ଥ, ଲୋକଙ୍କ ବିକାଶ, ସାଂପ୍ରତିକ ଆହ୍ୱାନକୁ ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତି ଲାଗି ପ୍ରୟାସରତ ରହିଛନ୍ତି । ସେହି କ୍ରମରେ ଅମିରାତ ମଧ୍ୟ ନିଜ ଦେଶର ସୁରକ୍ଷା, ଆର୍ôଥକ ବିକାଶ ଏବଂ ଆଗାମୀ ଦିନରେ ସମ୍ଭାବିତ ଆହ୍ୱାନକୁ ସାମ୍‌ନା କରିବାକୁ ଏବେଠୁ ଚେଷ୍ଟା ଚଳାଇଛି । 
ଏକଥା ସତ ଯେ ଅମିରାତର ମୋଟ ଜନସଂଖ୍ୟା ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୩୭ ପ୍ରତିଶତ । ଅମିରାତର ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟଙ୍କ ସହଯୋଗୀ ଭୂମିକା ରହିଛି । ଦୁଇରାଷ୍ଟ୍ର ମଧ୍ୟରେ ବହୁପକ୍ଷୀୟ ସଂପର୍କ ଯଥା ସାଂସ୍କୃତିକ, ରାଜନୈତିକ ଏବଂ ଆର୍ôଥକ କ୍ଷେତ୍ରରେ ରହିଛି । ଦୁଇରାଷ୍ଟ୍ର ପରସ୍ପରର ପ୍ରମୁଖ ବାଣିଜ୍ୟିକ ସହଯୋଗୀ । ଦୁଇରାଷ୍ଟ୍ର ମଧ୍ୟରେ ସମନ୍ୱିତ ଆର୍ôଥକ ସହଯୋଗ ବୁଝାମଣା (ସେପା), ସ୍ଥାନୀୟ ମୁଦ୍ରାରେ ଦେଣନେଣ (ଏଲସିଏସ୍‌) ବ୍ୟବସ୍ଥା, ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଚୁକ୍ତି ରହିଛି । ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଦୀର୍ଘ ସହଯୋଗୀ ବୁଝାମଣା ରହିଛି । ପୁଞ୍ଜିନିବେଶ ଦୃଷ୍ଟିରୁ ଅମିରାତ ଭାରତର ଏକ ପ୍ରମୁଖ ସହଯୋଗୀ ରହିଆସିଛି । ୧୯ ଜାନୁଆରୀ ୨୦୨୬ ଦିନ ଏହି ଦୁଇ ଘଣ୍ଟାର ଆଲୋଚନା ଏବଂ ବୁଝାମଣା ପର୍ବର ବିସ୍ତୃତ ଚର୍ଚ୍ଚା ପଛରେ ବର୍ତ୍ତମାନର ଅସ୍ଥିର ବିଶ୍ୱର ପରିସ୍ଥିତି, ଖୁବ ଶିଘ୍ର ବଦଳୁଥିବା ରାଜନୈତିକ ଦୃଶ୍ୟପଟ୍ଟ ଏବଂ ରାଷ୍ଟ୍ରଗୁଡିକର ରଣକୌଶଳ ରହିଛି । ଆମେରିକାର ଚାପ, ମଧ୍ୟପ୍ରାଚ୍ୟର ଅସ୍ଥିରତା, ସାଉଦି ଆରବର ଚୌଧୁରୀ ହେବା ପାଇଁ ଚେଷ୍ଟା, ତୁର୍କୀର ଇସଲାମିକ ସାମ୍ରାଜ୍ୟ ସ୍ୱପ୍ନ, ପାକ୍‌ର ମୁସଲିମ ଆଣବିକ ଶକ୍ତିର ବାହାସ୍ପୋଟ, ଇରାନର ସନ୍ତ୍ରାସବାଦୀଙ୍କୁ ଭିନ୍ନ ଭିନ୍ନ ରାଷ୍ଟ୍ରରେ ପ୍ରୋତ୍ସାହନ, ଇଜିପଟ ଏବଂ ଆଫ୍ରିକୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ଦ୍ୱନ୍ଦ୍ୱ,ଗାଜା ଏବଂ ପାଲେଷ୍ଟାଇନକୁ କେନ୍ଦ୍ରକରି ଲାଗି ରହିଥିବା ଅଚଳ ପରିସ୍ଥିତି, ପାକ୍‌-ସାଉଦି-ତୁର୍କୀ ମଧ୍ୟରେ ଇସଲାମିକ ନାଟୋ ମେଣ୍ଟ ପାଇଁ ପ୍ରୟାସ ଆଦି ଅମିରାତକୁ ଏବେ ଚିନ୍ତାରେ ପକାଇଛି । ନିକଟରେ ୟେମେନରେ ଅମିରାତରୁ ରପ୍ତାନୀ ହୋଇଥିବା ସେନାଗାଡିଗୁଡିକ ଉପରେ ସାଉଦି ଆରବ ପକ୍ଷରୁ ବୋମାମାଡ ବନ୍ଦର ଉପରେ କରାଯାଇଥିଲା । ଯାହାଫଳରେ ଅମିରାତ କର୍ତ୍ତୃପକ୍ଷଙ୍କର ଅନେକ ଆର୍ôଥକ କ୍ଷତି ହୋଇଥିଲା । ୟେମେନ ମାମଲାରେ ଅମିରାତ ଏବଂ ସାଉଦି ଆରବର ମତ ଭିନ୍ନ ରହିଛି । ୟେମେନର ବିଦ୍ରୋହୀ ଗୋଷ୍ଠୀଙ୍କୁ ଅମିରାତ ସମର୍ଥନ କରୁଥିଲାବେଳେ ସାଉଦି ଆରବ ବିରୋଧ କରୁଛି । ସାଉଦି ଆରବର ସୀମା ଅମିରାତକୁ ଲାଗିରହିଥିବା ଏବଂ ନିକଟ ପଡୋଶୀ ରାଷ୍ଟ୍ର ଇରାନ ଥିବା ହେତୁ ଜନସଂଖ୍ୟାରେ ଛୋଟ ରାଷ୍ଟ୍ର ଅମିରାତର ଆଶଙ୍କା ରହିବା ସାଧାରଣ କଥା । ନିଜସ୍ୱ ଅର୍ଥବଳ ମାଧ୍ୟମରେ ତଥାକଥିତ ଇସଲାମିକ ନାଟୋ କିମ୍ବା ଇସଲାମିକ ରିପବ୍ଲିକ ଇରାନକୁ ଏକାକୀ ବିରୋଧ କରିବା ଅମିରାତ ପକ୍ଷରେ ଏତେଟା ସହଜ ହେବନାହିଁ । ତେଣୁ ସାମରିକ ଦୃଢତା, ଆଣବିକ ଅସ୍ତ୍ରର ସହଯୋଗ, ଆଗାମୀ ଦିନରେ ଆର୍ôଥକ ତଥା ବାଣିଜ୍ୟିକ ସ୍ୱାର୍ଥ ପାଇଁ ଅମିରାତ ସରକାରଙ୍କୁ ଭାରତର ସହାୟତା ନିହାତି ଆବଶ୍ୟକ । ଅନ୍ୟପକ୍ଷରେ ସଂଖ୍ୟାଧିକ ପ୍ରବାସୀ ଭାରତୀୟ ବସବାସ କରୁଥିବା ରାଷ୍ଟ୍ର ଅମିରାତର ସୁରକ୍ଷା ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି କାଶ୍ମିରରେ ଅମିରାତର ନିବେଶ, ଭାରତର କାଶ୍ମିର ନୀତିକୁ ଅମିରାତର ସମର୍ଥନ, ଭାରତକୁ ଦୀର୍ଘକାଳିନ ଗ୍ୟାସ ଯୋଗାଣ ଦୃଷ୍ଟିରୁ ଅମିରାତର ସହଯୋଗ ଭାରତ ପାଇଁ ଅପରିହାର୍ଯ୍ୟ । 
ପାକ୍ ପକ୍ଷରୁ ନିଜର ଦାରିଦ୍ର‌୍ୟତାକୁ ଲୁଚାଇ ଯେପରି ବିଦେଶରେ ପ୍ରଦର୍ଶନ କରାଯାଉଛି ତାହା ଅନେକ ରାଷ୍ଟ୍ର ପସନ୍ଦ କରୁନାହାନ୍ତି । ଅମିରାତରେ ପାକିସ୍ଥାନୀ ଭିକାରୀ ସମସ୍ୟା ସୃଷ୍ଟି କରୁଥିବାରୁ ସେମାନଙ୍କୁ ସେଠାରୁ ବାହାର କରାଯିବା ସହ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ନିକଟରେ ଅମିରାତ ସରକାର ଅମିରାତରେ ପ୍ରବେଶ ପାଇଁ ଭିସାନୀତିରେ ପରିବର୍ତ୍ତନ ଆଣିଥିବା ହେତୁ ପାକ୍ ଏବଂ ସାଉଦି ଆରବର ଲୋକେ ସେଥିରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅମିରାତ ଭାରତର ସହାୟତାରେ ପ୍ରଶାସନିକ କାର୍ଯ୍ୟକୁ ଏବେ ଡିଜିଟାଲ ସ୍ତରକୁ ନେବାଲାଗି ଆଧୁନିକୀକରଣ କାର୍ଯ୍ୟ ଜାରି ରଖିଛି, ଯାହା ଅନ୍ୟ ଆରବୀ ରାଷ୍ଟ୍ର କରିନାହାନ୍ତି । ଅମିରାତରେ ବାଣିଜ୍ୟ କରିବା ଆଳରେ ପାକ୍ ଓ ସାଉଦିଆରବରୁ ଇସଲାମିକ ମୌଳବାଦୀ ଏବଂ ସନ୍ତ୍ରାସବାଦୀ ଦେଶରେ ପ୍ରବେଶକରି ସଙ୍କଟ ସୃଷ୍ଟି କରିପାରନ୍ତି ବୋଲି ସେଠାକାର ସରକାର ଆଶଙ୍କା କରୁଛନ୍ତି । ମଧ୍ୟ ପ୍ରାଚ୍ୟରେ ସମୀକରଣ ଦ୍ରୁତଗତିରେ ବଦଳୁଥିବା ହେତୁ ଅମିରାତ ସରକାର ନିଜ ରାଷ୍ଟ୍ରର ପ୍ରତିରକ୍ଷା, ପ୍ରଶିକ୍ଷଣ, ପ୍ରସ୍ତୁତି, ପ୍ରଚଣ୍ଡ ଆଘାତ ଦେବା ପାଇଁ ଭାରତର ସହଯୋଗ ଲୋଡୁଛନ୍ତି । ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅସ୍ତ୍ରଶସ୍ତ୍ରର ଦକ୍ଷତା ପ୍ରତି ଅମିରାତର ଆକର୍ଷଣ ବୃଦ୍ଧିପାଇଛି । ଆମେରିକା, ଇସ୍ରାଏଲ, ରୁଷିଆ ଆଦି ଶକ୍ତିଶାଳୀ ରାଷ୍ଟ୍ରଗୁଡିକ ସହ ଭଲ ସଂପର୍କ ଅମିରାତର ସରକାର ରଖିଥିବା ସ୍ଥଳେ ତୁରନ୍ତ ସହାୟତା ପାଇଁ ଭାରତର ଭୂମିକାକୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି । ମଧ୍ୟପ୍ରାଚ୍ୟରେ ପାକ୍ ନିଜର ଆଣବିକ ଶକ୍ତିର ମୁଖା ପ୍ରଦର୍ଶନ କରି ଅଭାବରେ ପଡିଥିବା ରାଷ୍ଟ୍ରପାଇଁ ଅର୍ଥସଂଗ୍ରହ କରିବା ଲକ୍ଷ୍ୟରେ ରହିଛି । ଇସଲାମିକ ମେଣ୍ଟ ଆଳରେ ସାଉଦି ଆରବଠାରୁ ଅର୍ଥ ହଡପ କରିବା ଚାଲରେ ପାକିସ୍ଥାନ କାର୍ଯ୍ୟ ଆରମ୍ଭ କରିଛି । ଚୀନର ଯୁଦ୍ଧବିମାନକୁ ବିକ୍ରି କରିବାକୁ ଜୋରସୋର୍ ପ୍ରଚାର କରି ମଧ୍ୟ ଏପର୍ଯ୍ୟନ୍ତ ପାକିସ୍ଥାନ ସେମିତି କିଛି ଅର୍ଡର ପାଇପାରିନାହିଁ । ଗୋଟିଏ ପଟେ ସନ୍ତ୍ରାସବାଦକୁ ସମର୍ଥନ ଏବଂ ଅନ୍ୟପଟରେ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ରର ବାହାଦୂରୀ ଦେଖାଇ ଆର୍ôଥକ ସ୍ଥିତିକୁ ସୁଧାରିବାକୁ ପାକ୍ ଇସଲାମର ଲାଞ୍ଜ ଧରିଛି । ୧୯ ଜାନୁଆରୀ ଅପରାହ୍ନ ୪ଟା ୨୦ରୁ ସନ୍ଧ୍ୟା ୬ଟା ୪୦ମଧ୍ୟରେ ଅମିରାତ ରାଷ୍ଟ୍ରପତିଙ୍କ ଗସ୍ତକାଳରେ ୨୦୩୨ ସୁଦ୍ଧା ଦୁଇଦେଶର ବାଣିଜ୍ୟ ବର୍ତ୍ତମାନର ୧୦୦ ବିଲିଅନରୁ ୨୦୦ ବିଲିଅନ ଡଲାର ସ୍ତରକୁ ନେବାପାଇଁ ଆଲୋଚନା ହୋଇଥିଲା । ଆବୁଧାବୀ ନେସନାଲ ଅଏଲ କମ୍ପାନୀର ସହଯୋଗୀ ସଂସ୍ଥା ଏଡନୋକ ଗ୍ୟାସ ସହ ଭାରତର ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ବୁଝାମଣା ହୋଇଥିଲା । ଏଡନୋକ ଆଗାମୀ ୧୦ବର୍ଷ ଯାଏ ବାର୍ଷିକ ୫ଲକ୍ଷ ଟନ୍ ଏଲଏନଜି ଗ୍ୟାସ ହିନ୍ଦୁସ୍ଥାନ ପେଟ୍ରୋଲିୟମକୁ ଯୋଗାଇବ । ଏହି ବୁଝାମଣା ପ୍ରାୟ ୨୦ ବିଲିଅନ ଡଲାର ପରିମାଣର ହେବ । ଏଡନୋକ ବାର୍ଷିକ ୧୫.୬ ମିଲିଅନ ଟନ୍ ଗ୍ୟାସ ଉତ୍ପାଦନ କରୁଥିଲା ବେଳେ ଭାରତର କମ୍ପାନୀମାନେ ୨୦୨୯ ପରଠାରୁ ୨୦ ପ୍ରତିଶତ ଗ୍ୟାସ କ୍ରୟ କରିବେ । ଗୁଜରାଟର ଢୋଲେରାଠାରେ ବିମାନବନ୍ଦର, ଗ୍ରୀନଫିଲଡ୍ ବନ୍ଦର, ରେଳ ଯୋଗାଯୋଗ, ସହରାଞ୍ଚଳ ନିର୍ମାଣ, ପାଇଲଟ ପ୍ରଶିକ୍ଷଣ କେନ୍ଦ୍ର,ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଆଧୁନିକୀକରଣ କେନ୍ଦ୍ର ନିର୍ମାଣରେ ଅମିରାତ ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି । ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପ୍ରକ୍ଷେପଣ ଘାଟୀ ନିର୍ମାଣ, ଉପଗ୍ରହ ନିର୍ମାଣ, ଷ୍ଟାର୍ଟଅପ୍ କେନ୍ଦ୍ର ନିର୍ମାଣ, ପ୍ରଶିକ୍ଷଣ କେନ୍ଦ୍ର ଓ ଆଦାନପ୍ରଦାନ କାର୍ଯ୍ୟକ୍ରମ ଜାରି ରଖିବାକୁ ସ୍ଥିର ହୋଇଛି । ପଶ୍ଚିମ ଏସିଆ, ଆଫ୍ରିକା ଏବଂ ୟୁରେସିଆ କ୍ଷେତ୍ରରେ ବାଣିଜ୍ୟ ବୃଦ୍ଧି ପାଇଁ ଭାରତ ମାର୍ଟ. ଭାରତ-ଆଫ୍ରିକା ସେତୁ, ଭର୍ଚୁଆଲ ଟ୍ରେଡ କରିଡର ପରି ପ୍ରକଳ୍ପକୁ ଜୋର ଦେବାପାଇଁ କୁହାଯାଇଛି । ଅମିରାତର ଖାଦ୍ୟ ସୁରକ୍ଷା ପାଇଁ ଭାରତରୁ କୃଷିଜାତ ଦ୍ରବ୍ୟ ଯୋଗାଣ ଲାଗି ବୁଝାମଣା ହୋଇଛି । 
କହିବାକୁ ଗଲେ ପାକ୍‌-ସାଉଦି ସମର୍ôଥତ ଗୋଷ୍ଠୀ ଏବେ ଅନେକ ଦେଶରେ ଅମିରାତକୁ ନିନ୍ଦିତ କରିବାକୁ ଲାଗିପଡିଛନ୍ତି । ଲଣ୍ଡନରୁ ମିଡିଲ ଇଷ୍ଟ ଆଇ ନାମକ ସଂସ୍ଥା ଯେମିତି ଅମିରାତ ବିରୋଧୀ ଖବର ପ୍ରକାଶ କରିବାରେ ଲାଗିପଡିଛି ଠିକ୍ ସେମିତି ଅଭାଜ ନାମକ ଏନ୍‌ଜିଓ ପକ୍ଷରୁ ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରୀଟରେ ଡିଜିଟାଲ ବିଲବୋର୍ଡ ଲଗାଯାଇଛି, ଯାହାକି ପ୍ରତି ୮୦ ସେକେଣ୍ଡରେ ପ୍ରଦର୍ଶିତ କରାଯାଉଛି । ସେଥିରେ ଲେଖାଯାଇଛି ଯେତେବେଳେ ସେମାନେ ସୁଦାନରେ କଣ କରୁଛନ୍ତି ବୋଲି ତୁମେ ଜାଣିଯିବ ସେତେବେଳେ ଆଉ ତୁମ ସେଲ୍‌ଫି ଭଲ ଦେଖାଯିବ ନାହିଁ । ଛବିରେ ଦୁବାଇର ସମୁଦ୍ର ରହିଛି । ସେହି ସମୁଦ୍ରରେ ସ୍ନାନ କରୁଥିବା ଝିଅର ପଛପାଖେ ଦୁବାଇର ବୁର୍ଜଖଲିଫା ଦେଖାଯାଉଥିବା ସ୍ଥଳେ ପରବର୍ତ୍ତୀ ଛବିରେ ସୁଦାନରେ ନିଆଁ ଜଳୁଥିବା ଦେଖାଯାଉଛି । ଲଣ୍ଡନରେ ମଧ୍ୟ ଏହି ସଂସ୍ଥା ଗାଡିରେ ଲାଗିଥିବା ବିଲ୍‌ବୋର୍ଡକୁ ସହରସାରା ପ୍ରଦର୍ଶିତ କରୁଛି । ଗୋଟିଏ ପ୍ରକାରେ କହିଲେ ଏହି ପ୍ରଚାର ସାଉଦିର ଆର୍ôଥକ ସହଯୋଗରେ ପାକ୍ ସମର୍ôଥତ ଗୋଷ୍ଠୀ କରୁଛନ୍ତି । ଦୁବାଇର ପର୍ଯ୍ୟଟନ ଶିଳ୍ପକୁ ଦୁର୍ବଳ କରିବା ହେଉଛି ଏହି ଅପପ୍ରଚାରର ଲକ୍ଷ୍ୟ । ଏପରିକି ବ୍ରିଟେନ ସରକାର ୟୁଏଇକୁ ଅସ୍ତ୍ରଶସ୍ତ୍ର ଦେବା ବନ୍ଦ କରିବାକୁ ଏହି ଗୋଷ୍ଠୀ ପ୍ରଚାର ଚଳାଇଛନ୍ତି । ତେଣୁ ଆଗାମୀ ଦିନରେ ଭାରତଠାରୁ ଅଧିକ ଅସ୍ତ୍ରଶସ୍ତ୍ର କିଣିବା ସହ ସୁରକ୍ଷାଶକ୍ତିକୁ ସୁଦୃଢ କରିବାକୁ ଆକାଶ, ବ୍ରହ୍ମୋସ କ୍ଷେପଣାସ୍ତ୍ର ସହ ଏୟାର ଡିଫେନ୍ସ ସିଷ୍ଟମ୍ସ, ରାଡାର ଆଦି କ୍ରୟ ପାଇଁ ୟୁଏଇର ଯୋଜନା ଥିବା କଥା କୁହାଯାଉଛି । ଭାରତରେ ରାଫେଲ, ସୁଖୋଇ -୫୭ ପରି ଯୁଦ୍ଧ ବିମାନ, ଏସ-୪୦୦ ପରି ସୁରକ୍ଷା ବ୍ୟବସ୍ଥା, ପରିବହନ ବିମାନ ଆଦି ନିର୍ମାଣ ପାଇଁ ପ୍ରୟାସ ଜାରିଥିବା ବେଳେ ଅମିରାତ ଆଗାମୀ ଦିନରେ ନିଜର ଯୁଦ୍ଧାସ୍ତ୍ର ଭାରତଠାରୁ ନେବାକୁ ଲକ୍ଷ୍ୟ ରଖିଛି । ରଣନୀତିକ ସହଯୋଗ ବୃଦ୍ଧି ପରେ ମଧ୍ୟପ୍ରାଚ୍ୟରେ ଭାରତର ଭୂମିକା ସାଉଦି ଆରବର ବଡଭାଇ ପଣିଆକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବ ବୋଲି ଅମିରାତ ମନେକରୁଛି । ଗୁଜରାଟର ଗିଫ୍‌ଟ ସିଟୀଠାରେ ଡିପି ୱର୍ଲ୍ଡ ଏବଂ ଆବୁଧାବୀ ବ୍ୟାଙ୍କର ଶାଖା ଖୋଲାଯିବାକୁ ଦ୍ୱିପାକ୍ଷିକ ବୈଠକରେ ପ୍ରଶଂସା କରାଯାଇଥିଲା । ଏଆଇ ଏବଂ ଆଧୁନିକ ଟେକ୍‌ନୋଲୋଜୀ କ୍ଷେତ୍ରରେ ସହଯୋଗ, ଫେବୃଆରୀ ୨୦୨୬ରେ ଏଆଇ ଇମ୍ପାକ୍ଟ ସମିଟ ଭାରତରେ ହେଉଥିବା ଦୃଷ୍ଟିରୁ ଦୁଇଦେଶ କାର୍ଯ୍ୟକରିବାକୁ ସହମତି ପ୍ରକାଶ କରିଥିଲେ । ଅମିରାତରେ ଆଣବିକ ରିଆକଟର ବସାଇବାକୁ ଦୁଇଦେଶ କାର୍ଯ୍ୟ କରିବେ ବୋଲି ସମ୍ମତ ହୋଇଥିଲେ । ଆର୍ôଥକ ଦେଣନେଣ କ୍ଷେତ୍ରରେ ଇ-ପ୍ଲାଟଫର୍ମକୁ ସଶକ୍ତ କରିବାକୁ ଭାରତ ୟୁଏଇକୁ ସହଯୋଗ କରିବାକୁ ସହମତ ହୋଇଥିଲା । ଆଗାମୀ ଦିନରେ ଆବୁଧାବୀଠାରେ ଭାରତ ପକ୍ଷରୁ “ହାଉସ ଅଫ୍ ଇଣ୍ଡିଆ” ସ୍ଥାପନ କରାଯିବାକୁ ସ୍ଥିର ହୋଇଥିଲା, ଯାହା ଭାରତୀୟ ସଂସ୍କୃତି, କଳା, ଐତିହ୍ୟ, ସ୍ଥାପତ୍ୟ ଆଦିର ଏକ ମନୋରମ ସଂଗ୍ରହାଳୟ ଭାବେ କାର୍ଯ୍ୟକରିବ । ସେପ୍ଟେମ୍ବର ୨୦୨୩ରେ ଜି ୨୦ ବୈଠକରେ ସ୍ଥିର ହୋଇଥିବା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ôଥକ ମାର୍ଗ (ଆଇଏମଇସି) ବିଷୟରେ ମଧ୍ୟ ଦୁଇପକ୍ଷ ଆଲୋଚନା କରିଥିଲେ । ୨୦୨୬ ଶେଷ ଆଡକୁ ଜାତିସଂଘ ଜଳ ସମ୍ମିଳନୀ ୟୁଏଇ ଆୟୋଜନ କରୁଥିବା ହେତୁ ତା’ର ସଫଳତା ପାଇଁ ଭାରତ ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା । ସେହିପରି ବ୍ରିକ୍ସ ବୈଠକ ୨୦୨୬ରେ ଭାରତ ଆୟୋଜନ କରୁଥିବା ହେତୁ ଅମିରାତ ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା । ଦୁଇଦେଶ ମଧ୍ୟରେ ଏହି ଦୁଇଘଣ୍ଟାର ବୈଠକ ଆଗାମୀ ଦିନରେ ଅନେକ ସମ୍ଭାବନାର ମାର୍ଗକୁ ପ୍ରଶସ୍ଥ କରିବ ବୋଲି କୁହାଯାଇପାରେ, ଯେଉଁଥିରେ ଉଭୟ ଦେଶର ଜନସାଧାରଣ ସୁବିଧାଲାଭ କରିବେ । 

Leave a Reply