ସଂଘର କାର୍ଯ୍ୟ ଶୁଦ୍ଧ ସାତ୍ତ୍ୱିକ ପ୍ରେମ ଏବଂ ସମାଜନିଷ୍ଠା ଉପରେ ଆଧାରିତ – ସରସଂଘଚାଳକ ଜୀ

ସଂଘ ଯାତ୍ରାର ଶହେ ବର୍ଷ ଓ ନୂତନ ଦିଗନ୍ତ’ବ୍ୟାଖ୍ୟାନମାଳା – ଦ୍ୱିତୀୟ ଦିବସ
ଅନ୍ତର୍ଜାତୀୟ ବାଣିଜ୍ୟ କେବଳ ସ୍ୱେଚ୍ଛାରେ ହେବା ଉଚିତ, ଚାପରେ ନୁହେଁ – ଡଃ ମୋହନ ଭାଗବତ ଜୀ
ସଂଘର କାର୍ଯ୍ୟ ଶୁଦ୍ଧ ସାତ୍ତ୍ୱିକ ପ୍ରେମ ଏବଂ ସମାଜନିଷ୍ଠା ଉପରେ ଆଧାରିତ – ସରସଂଘଚାଳକ ଜୀ

ନୂଆଦିଲ୍ଲୀ, ୨୭ ଅଗଷ୍ଟ- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସରସଂଘଚାଳକ ଡଃ ମୋହନ ଭାଗବତ କହିଛନ୍ତି ଯେ, ସମାଜ ଏବଂ ଜୀବନରେ ସନ୍ତୁଳନ ହେଉଛି ଧର୍ମ, ଯାହା ଯେକୌଣସି ଅତିବାଦରୁ ବଞ୍ଚାଇଥାଏ। ଭାରତର ପରମ୍ପରା ଏହାକୁ ମଧ୍ୟମ ମାର୍ଗ ବୋଲି କହେ ଏବଂ ଏହା ଆଜିର ବିଶ୍ୱ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା। ସେ କହିଛନ୍ତି, ବିଶ୍ୱ ସମ୍ମୁଖରେ ଉଦାହରଣ ହେବା ପାଇଁ ସମାଜ ପରିବର୍ତ୍ତନର ଆରମ୍ଭ ଘରରୁ କରାଯିବା ଆବଶ୍ୟକ। ଏହା ପାଇଁ ସଂଘ ପଞ୍ଚ ପରିବର୍ତ୍ତନର ଆହ୍ୱାନ ଦେଇଛି । ଏଗୁଡିକ ହେଲା କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ପରିବେଶ ସଂରକ୍ଷଣ, ସ୍ୱ-ବୋଧ (ସ୍ୱଦେଶୀ) ଏବଂ ନାଗରିକ କର୍ତ୍ତବ୍ୟର ପାଳନ। ଆତ୍ମନିର୍ଭର ଭାରତ ପାଇଁ ସ୍ୱଦେଶୀକୁ ପ୍ରାଥମିକତା ଦିଅନ୍ତୁ ଏବଂ ଭାରତର ଅନ୍ତର୍ଜାତୀୟ ବ୍ୟବସାୟ କେବଳ ସ୍ୱଇଛାରେ ହେବା ଉଚିତ, କାହାର ଚାପରେ ନୁହେଁ।

ସରସଂଘଚାଳକ ଡଃ ମୋହନ ଭାଗବତ ସଂଘ ଶତାବ୍ଦୀ ବର୍ଷର ଉପଲକ୍ଷେ ବିଜ୍ଞାନ ଭବନରେ ଆୟୋଜିତ ତିନିଦିନିଆ ବ୍ୟାଖ୍ୟାନମାଳା ‘ସଂଘ ଯାତ୍ରାର ଶହେ ବର୍ଷ ଓ ନୂତନ ଦିଗନ୍ତ’ ଦ୍ୱିତୀୟ ଦିନରେ ଉଦବୋଧନ ଦେଇ ଏହା କହିଛନ୍ତି । ଏହି ଅବସରରେ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଳେ, ଉତ୍ତର କ୍ଷେତ୍ରର ପ୍ରାନ୍ତ ସଂଘଚାଳକ ପବନ ଜିନ୍ଦଲ୍ ଏବଂ ଦିଲ୍ଲୀ ପ୍ରାନ୍ତ ସଂଘଚାଳକ ଡଃ ଅନିଲ୍ ଅଗ୍ରୱାଲ୍ ମଞ୍ଚରେ ଉପସ୍ଥିତ ଥିଲେ।

ସଂଘ କାର୍ଯ୍ୟ କିପରି ଚାଲେ
ମୋହନ ଭାଗବତ ଜୀ କହିଲେ ଯେ ସଂଘର କାର୍ଯ୍ୟ ଶୁଦ୍ଧ ସାତ୍ତ୍ୱିକ ପ୍ରେମ ଏବଂ ସମାଜନିଷ୍ଠା ଉପରେ ଆଧାରିତ। “ସଂଘର ସ୍ୱୟଂସେବକ କୌଣସି ବ୍ୟକ୍ତିଗତ ଲାଭର ଆଶା ରଖନ୍ତି ନାହିଁ। ଏଠାରେ ପ୍ରୋତ୍ସାହନ ନାହିଁ, ବରଂ ଡିସ ଇନସେଂଟିଭ ବେଶି ଅଛି। ସ୍ୱୟଂସେବକମାନେ ସମାଜକାର୍ଯ୍ୟରେ ଆନନ୍ଦର ଅନୁଭବ କରି କାର୍ଯ୍ୟ କରନ୍ତି।”
ସେ ସ୍ପଷ୍ଟ କରିଛନ୍ତି ଯେ ଜୀବନର ସାର୍ଥକତା ଏବଂ ମୋକ୍ଷର ଅନୁଭୂତି ଏହି ସେବାରେ ଅଛି। ସଜ୍ଜନଙ୍କ ସହିତ ମୈତ୍ରୀ କରିବା, ଦୁଷ୍ଟମାନଙ୍କୁ ଉପେକ୍ଷା କରିବା, କେହି ଭଲ କାମ କଲେ ଆନନ୍ଦ ପ୍ରକାଶ କରିବା, ଦୁର୍ଜନଙ୍କ ଉପରେ ମଧ୍ୟ କରୁଣା କରିବା,ଏହା ହିଁ ସଂଘର ଜୀବନ ମୂଲ୍ୟ।

ହିନ୍ଦୁତ୍ୱ କ’ଣ
ହିନ୍ଦୁତ୍ୱର ମୂଳ ଭାବନା ବିଷୟରେ କୁହିଲେ ଯେ, ହିନ୍ଦୁତ୍ୱ ସତ୍ୟ, ପ୍ରେମ ଓ ଆପଣାପଣ। ଆମର ଋଷି-ମୁନିମାନେ ଆମକୁ ଶିଖାଇଥିଲେ ଯେ ଜୀବନ କେବଳ ନିଜ ପାଇଁ ନୁହେଁ। ଏହି କାରଣରୁ ଭାରତଙ୍କର ଭୂମିକା ବିଶ୍ୱରେ ଏକ ବଡ଼ଭାଇ ପରି ପଥ ପ୍ରଦର୍ଶକ ଭାବେ ଭୂମିକା ନିର୍ବାହ କରିବାକୁ ଅଛି । ଏହିଠାରୁ ହିଁ ବିଶ୍ୱକଲ୍ୟାଣର ବିଚାର ଜନ୍ମ ନେଉଛି।

ବିଶ୍ୱ କେଉଁ ଦିଗକୁ ଯାଉଛି
ସରସଂଘଚାଳକ ଉଦବେଗ ପ୍ରକାଶ କରି କହିଛନ୍ତି ଯେ , ବିଶ୍ୱ ଆଜି କଟ୍ଟରତା, କଳହ ଓ ଅଶାନ୍ତିର ଦିଗକୁ ଯାଉଛି। ଗତ ସାଢ଼େ ତିନି ଶହ ବର୍ଷରେ ଉପଭୋଗବାଦୀ ଓ ଜଡ଼ବାଦୀ ଦୃଷ୍ଟିକୋଣ ହେତୁ ମାନବଜୀବନର ଭଦ୍ରତା କ୍ଷୀଣ ହୋଇଛି। ସେ ଗାନ୍ଧୀଜୀ କହିଥିବା ସାତୋଟି ସାମାଜିକ ପାପ, “ପରିଶ୍ରମ ବିନା କାମ ., ବିବେକ ବିନା ଆନନ୍ଦ, ଚରିତ୍ର ବିନା ଜ୍ଞାନ, ନୈତିକତା ବିନା ବ୍ୟବସାୟ, ମାନବତା ବିନା ବିଜ୍ଞାନ, ବଳିଦାନ ବିନା ଧର୍ମ ଏବଂ ସିଦ୍ଧାନ୍ତ ବିନା ରାଜନୀତି” ର ଉଲ୍ଲେଖ କରି କହିଲେ ଯେ, ଏହି ସବୁହିଁ ସମାଜରେ ଅସନ୍ତୁଳନକୁ ଗଭୀର କରିଦେଇଛି।

ଧର୍ମର ମାର୍ଗ ଅନୁସରଣ କରିବାକୁ ହେବ
ସରସଂଘଚାଳକଜୀ କହିଛନ୍ତି ଯେ, ଆଜି ସାରା ବିଶ୍ୱରେ ସମନ୍ୱୟର ଅଭାବ ଅଛି ଏବଂ ସଂସାରକୁ ନିଜ ଦୃଷ୍ଟିକୋଣ ପରିବର୍ତ୍ତନ କରିବାକୁ ହେବ। ସଂସାରକୁ ଧର୍ମର ପଥ ଅନୁସରଣ କରିବାକୁ ହେବ। “ପୂଜା-ପାଠ ଓ କର୍ମକାଣ୍ଡରୁ ଅଲଗା ଧର୍ମ ରହିଛି। ସମସ୍ତ ପ୍ରକାରର ଧର୍ମ (ରିଲିଜନ୍) ଠାରୁ ଉପରେ ଧର୍ମ ଅଛି। ଧର୍ମ ଆମକୁ ସନ୍ତୁଳନ ଶିଖାଏ – ଆମକୁ ମଧ୍ୟ ବଞ୍ଚିବାକୁ ଅଛି, ସମାଜ ମଧ୍ୟ ବଞ୍ଚିବାକୁ ଅଛି ଏବଂ ପ୍ରକୃତିକୁ ମଧ୍ୟ ବଞ୍ଚିବାକୁ ଅଛି ।” ଧର୍ମ ହେଉଛି ମଧ୍ୟମ ମାର୍ଗ ଯାହା ଅତିବାଦରୁ ବଞ୍ଚାଇଥାଏ । ଧର୍ମର ଅର୍ଥ ହେଉଛି ମର୍ଯ୍ୟାଦା ଓ ସନ୍ତୁଳନ ସହିତ ଜୀଇଁବା । ଏହି ଦୃଷ୍ଟିକୋଣ ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ସ୍ଥାପିତ ହୋଇପାରିବ।

ଧର୍ମକୁ ପରିଭାଷିତ କରି ସେ କହିଛନ୍ତି , “ଧର୍ମ ହେଉଛି ତାହା ଯାହା ଆମକୁ ସନ୍ତୁଳିତ ଜୀବନ ଆଡକୁ ନେଇଯାଏ, ଯେଉଁଠାରେ ବିବିଧତାକୁ ସ୍ୱୀକାର କରାଯାଏ ଏବଂ ସମସ୍ତଙ୍କର ଅସ୍ତିତ୍ୱକୁ ସମ୍ମାନ ଦିଆଯାଏ।” ସେ ଜୋର ଦେଇ କହିଛନ୍ତି ଯେ, ଏହା ହିଁ ବିଶ୍ୱଧର୍ମ ଏବଂ ହିନ୍ଦୁ ସମାଜକୁ ସଙ୍ଗଠିତ ହୋଇ ଏହାକୁ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିବାକୁ ହେବ।

ବିଶ୍ୱର ବର୍ତ୍ତମାନ ସ୍ଥିତି ଓ ଉପାୟ
ବୈଶ୍ୱିକ ସନ୍ଦର୍ଭରେ ସେ କହିଛନ୍ତି ଯେ, ଶାନ୍ତି, ପରିବେଶ ଓ ଆର୍ଥିକ ଅସମାନତା ବିଷୟରେ ଆଲୋଚନା ହେଉଛି, ଉପାୟ ମଧ୍ୟ କୁହାଯାଉଛି କିନ୍ତୁ ସମାଧାନ ଦୂରରେ ଦିଶୁଛି। “ଏଥିପାଇଁ ପ୍ରମାଣିକତା ସହିତ ଚିନ୍ତା କରିବାକୁ ପଡିବ ଏବଂ ଜୀବନରେ ତ୍ୟାଗ ଓ ବଳିଦାନକୁ ଆଣିବାକୁ ହେବ। ସନ୍ତୁଳିତ ବୁଦ୍ଧି ଓ ଧର୍ମଦୃଷ୍ଟିର ବିକାଶ କରିବାକୁ ହେବ।”

ଭାରତ କ୍ଷତି ସହି ମଧ୍ୟ ସଂଯମତା ପାଳନ କରିଛି
ଭାରତର ଆଚରଣ ବିଷୟରେ ସରସଂଘଚାଳକ କହିଛନ୍ତି , “ଆମେ ସର୍ବଦା ନିଜର କ୍ଷତିକୁ ଅଣଦେଖା କରି ସଂଯମତା ରଖିଛୁ। ଯେଉଁମାନେ ଆମକୁ ହାନି କରିଛନ୍ତି, ସେମାନଙ୍କୁ ମଧ୍ୟ ସଙ୍କଟ ସମୟରେ ସାହାଯ୍ୟ କରିଛୁ। ବ୍ୟକ୍ତି ଓ ରାଷ୍ଟ୍ରର ଅହଂକାରରୁ ଶତ୍ରୁତା ଉତ୍ପନ୍ନ ହୁଏ, କିନ୍ତୁ ଅହଂକାରରୁ ଉର୍ଦ୍ଧ୍ୱରେ ଭାରତ ରହିଛି ।”
ସେ କହିଛନ୍ତି , ଭାରତୀୟ ସମାଜକୁ ନିଜର ଆଚରଣ ଦ୍ୱାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିବାକୁ ହେବ। ସେ ଆହୁରି କହିଛନ୍ତି ଯେ, ଆଜି ସମାଜରେ ସଂଘର ବିଶ୍ୱସନୀୟତା ରହିଛି। “ସଂଘ ଯାହା କହେ, ସମାଜ ତାହାକୁ ଶୁଣେ ।” ଏହି ବିଶ୍ୱାସ ସେବା ଓ ସମାଜ ନିଷ୍ଠା ଦ୍ୱାରା ଅର୍ଜିତ ହୋଇଛି।
ଭବିଷ୍ୟତର ଦିଗ
ଭବିଷ୍ୟତର ଦିଗ ବିଷୟରେ ସରସଂଘଚାଳକ ଜୀ କହିଛନ୍ତି ଯେ, ସଂଘର ଉଦ୍ଦେଶ୍ୟ ହେଉଛି ସମସ୍ତ ସ୍ଥାନ, ବର୍ଗ ଓ ସ୍ତରରେ ସଂଘ କାର୍ଯ୍ୟ ପହଞ୍ଚିବା। ଏଥିସହ ସମାଜରେ ଭଲ କାମ କରୁଥିବା ସଜ୍ଜନ ଶକ୍ତିମାନଙ୍କୁ ପରସ୍ପର ସହ ଯୋଡ଼ିବା। ଏହାର ଫଳରେ ସମାଜ ସ୍ଵୟଂ ସଂଘ ପରି ଚରିତ୍ର ନିର୍ମାଣ ଓ ଦେଶଭକ୍ତିର କାର୍ଯ୍ୟ କରିବ। ଏଥିପାଇଁ ଆମକୁ ସମାଜର ପ୍ରତ୍ୟେକ କୋଣ ଅନୁକୋଣକୁ ପହଞ୍ଚିବାକୁ ହେବ । ଭୌଗୋଳିକ ଦୃଷ୍ଟିରୁ ସମସ୍ତ ସ୍ଥାନ ଓ ସମସ୍ତ ବର୍ଗ-ସ୍ତରରେ ସଂଘର ଶାଖା ପହଞ୍ଚାଇବାକୁ ପଡ଼ିବ। ସଜ୍ଜନ ଶକ୍ତି ସହିତ ଆମେ ସମ୍ପର୍କ କରିବୁ ଓ ସେମାନଙ୍କୁ ପରସ୍ପର ସହ ସମ୍ପର୍କ କରାଇବୁ।
ସେ କହିଛନ୍ତି ଯେ ସଂଘର ମାନ୍ୟତା ହେଉଛି ଯେ ସମାଜରେ ସଦ୍ଭାବନା ଆଣିବାକୁ ପଡ଼ିବ ଏବଂ ସମାଜର ଓପିନିୟନ୍ ମେକର୍ସ ମାନଙ୍କ ସହିତ ନିରନ୍ତର ସାକ୍ଷାତ କରିବାକୁ ହେବ। ସେମାନଙ୍କ ମାଧ୍ୟମରେ ଏକ ଚିନ୍ତାଧାରା ବିକଶିତ କରିବାକୁ ହେବ। ସେମାନେ ନିଜ ସମାଜ ପାଇଁ କାମ କରନ୍ତୁ, ସେଥିରେ ହିନ୍ଦୁ ସମାଜ ଏକ ଅଙ୍ଗ ବୋଲି ଅନୁଭବ ସୃଷ୍ଟି ହେଉ ଏବଂ ସେମାନେ ଭୌଗୋଳିକ ପରିସ୍ଥିତି ସହିତ ଜଡିତ ଥିବା ଚ୍ୟାଲେଞ୍ଜଗୁଡ଼ିକର ସ୍ଵୟଂ ସମାଧାନ ଖୋଜନ୍ତୁ। ଦୁର୍ବଳ ବର୍ଗମାନଙ୍କ ପାଇଁ କାମ କରନ୍ତୁ। ସଂଘ ଏପରି କରି ସମାଜର ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି।
ମୋହନ ଭାଗବତ ଜୀ କହିଛନ୍ତି ଯେ ବାହାରୁ ଆସିଥିବା ଆକ୍ରମକତାର କାରଣରୁ ଧାର୍ମିକ ଚିନ୍ତାଧାରା ଭାରତରେ ପ୍ରବେଶ କଲା। କିଛି କାରଣରୁ ସେଗୁଡ଼ିକୁ କିଛି ଲୋକ ଗ୍ରହଣ କଲେ। “ସେମାନେ ଏଠାକାର ଲୋକ ଅଟନ୍ତି, କିନ୍ତୁ ବିଦେଶୀ ଚିନ୍ତାଧାରା ହେବା କାରଣରୁ ଯେଉଁ ଦୂରତା ସୃଷ୍ଟି ହୋଇଛି, ସେଗୁଡ଼ିକୁ ସମାପ୍ତ କରିବାର ଆବଶ୍ୟକତା ଅଛି। ଆମକୁ ଅନ୍ୟମାନଙ୍କର ବେଦନାକୁ ବୁଝିବାକୁ ପଡ଼ିବ। ଏକ ଦେଶ, ଏକ ସମାଜ ଏବଂ ଏକ ରାଷ୍ଟ୍ରର ଅଂଶ ହୋଇଥିବାରୁ, ବିଭିନ୍ନତା ସତ୍ତ୍ୱେ, ସମାନ ପୂର୍ବଜ ଏବଂ ସାଧାରଣ ସାଂସ୍କୃତିକ ଐତିହ୍ୟ ସହିତ ଆଗକୁ ବଢ଼ିବାକୁ ପଡ଼ିବ। ଏହା ସକାରାତ୍ମକତା ଏବଂ ସଦ୍ଭାବ ପାଇଁ ଆବଶ୍ୟକ। ଏଥିରେ ମଧ୍ୟ ଆମେ ବୁଝି- ଜାଣି ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବାର କଥା କହୁଛୁ।”
ଆର୍ଥିକ ପ୍ରଗତିର ନୂଆ ରାସ୍ତା
ଆର୍ଥିକ ଦୃଷ୍ଟି ଉପରେ ଶ୍ରୀ ଭାଗବତ କହିଛନ୍ତି ଯେ, ଛୋଟ ଛୋଟ ପ୍ରୟୋଗ ହୋଇଛି, କିନ୍ତୁ ଏବେ ରାଷ୍ଟ୍ରୀୟ ସ୍ତରରେ ଆର୍ଥିକ ମଡେଲ ଗଢିବାକୁ ପଡିବ, ଯେଉଁଥିରେ ଆତ୍ମ ନିର୍ଭରତା, ସ୍ୱଦେଶୀ ଓ ପରିବେଶର ସନ୍ତୁଳନ ହୋଇ ପାରିବ ଓ ଯଦ୍ୱାରା ଏହା ସାରା ବିଶ୍ୱ ପାଇଁ ଉଦାହରଣ ହୋଇ ପାରିବ ।
ପଡୋଶୀ ଦେଶ ମାନଙ୍କ ସହ ସମ୍ପର୍କ ବିଷୟରେ ସେ କହିଛନ୍ତି “ ନଦୀ, ପାହାଡ ଓ ଲୋକମାନେ ସେହି ସମାନ ଅଛନ୍ତି କେବଳ ମାନଚିତ୍ରରେ ଗାର ଟଣା ଯାଇଛି । ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ମୂଲ୍ୟବୋଧ ଦ୍ୱାରା ସମସ୍ତଙ୍କ ଉନ୍ନତି ହେଉ, ଏଥିପାଇଁ ତାଙ୍କୁ ଯୋଡିବାକୁ ପଡିବ । ପନ୍ଥା – ସଂପ୍ରଦାୟ ଭିନ୍ନ ହୋଇ ପାରେ ହେଲେ ସଂସ୍କାରରେ ମତଭେଦ ନାହିଁ । ।”
ପଞ୍ଚ ପରିବର୍ତ୍ତନ – ନିଜ ଘରୁ ଆରମ୍ଭ
ସେ କହିଛନ୍ତି ଯେ, ଦୁନିଆରେ ପରିବର୍ତ୍ତନ ଆଣିବା ପূର୍ବରୁ ଆମେ ନିଜ ଘରୁ ସମାଜ ପରିବର୍ତ୍ତନର ଆରମ୍ଭ କରିବା ଦରକାର। ଏଥିପାଇଁ ସଂଘ ପଞ୍ଚ ପରିବର୍ତ୍ତନ ଉଲ୍ଲେଖ କରିଛି । ଏଗୁଡିକ ହେଲା କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ପରିବେଶ ସଂରକ୍ଷଣ, ସ୍ୱ-ପରିଚୟ ଏବଂ ନାଗରିକ କର୍ତ୍ତବ୍ୟର ପାଳନ। ସେ ଉଦାହରଣ ଦେଇ କହିଛନ୍ତି ଯେ ଯେ, ପର୍ବ-ପର୍ବାଣୀରେ ପାରମ୍ପରିକ ପୋଷାକ ପିନ୍ଧନ୍ତୁ, ସ୍ୱଭାଷାରେ ହସ୍ତାକ୍ଷର କରନ୍ତୁ ଏବଂ ସ୍ଥାନୀୟ ଉତ୍ପାଦକୁ ସମ୍ମାନର ସହିତ କ୍ରୟ କରନ୍ତୁ।
ସେ କହିଛନ୍ତି ଯେ, ଆମ ପୂର୍ବ ପୁରୁଷ ମାନେ ହସି ହସି ଫାଶି ଖୁଂଟରେ ଚଢି ଗଲେ କିନ୍ତୁ ଆଜି ଆବଶ୍ୟକତା ହେଉଛି ଯେ ଆମେ 24 ଘଣ୍ଟା ଦେଶ ପାଇଁ ବଞ୍ଚିବା। “ ପ୍ରତ୍ୟେକ ପରିସ୍ଥିତିରେ ସମ୍ବିଧାନ ଏବଂ ନିୟମର ପାଳନ କରିବା ଦରକାର। ଯଦି କୌଣସି ଉତ୍ତେଜନାର ସ୍ଥିତି ଉତ୍ପନ୍ନ ହୁଏ , ତେବେ ଟାୟାର ଜଳାନ୍ତୁ ନାହିଁ, ହାତରେ ପଥର ଫିଙ୍ଗନ୍ତୁ ନାହିଁ। ଉପଦ୍ରବୀ ତତ୍ତ୍ୱ ଏହି ପ୍ରକାର କାର୍ଯ୍ୟର ଲାଭ ନେଇ ଆମକୁ ବିଭାଜିତ କରିବା ପ୍ରୟାସ କରନ୍ତି। ଆମେ କେବେ ହେଲେ ଉତ୍ତେଜନାରେ ଆସି ଏଭଳି ବେଆଇନ ଆଚରଣ କରିବା ଉଚିତ୍ ନୁହେଁ। ଛୋଟ-ଛୋଟ କଥାରେ ମଧ୍ୟ ଆମେ ଦେଶ ଏବଂ ସମାଜକୁ ଆଖି ଆଗରେ ରଖି କାର୍ଯ୍ୟ କରିବା ଉଚିତ ।”
ସେ କହିଛନ୍ତି ଯେ, ଭାରତକୁ ଆତ୍ମନିର୍ଭରତା ଦିଗରେ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ଏବଂ ଏଥିପାଇଁ ସ୍ୱଦେଶୀକୁ ପ୍ରାଥମିକତା ଦେବା ଦରକାର। ଅନ୍ତର୍ଜାତୀୟ ବ୍ୟାପାର କେବଳ ସ୍ୱଇଚ୍ଛାରେ ହେବା ଉଚିତ୍, ଚାପରେ ନୁହେଁ।
ଶେଷରେ ସରସଂଘଚାଳକ କହିଛନ୍ତି , “ସଂଘ କ୍ରେଡିଟ୍ ବୁକ୍‌ରେ ଆସିବାକୁ ଚାହେଁ ନାହିଁ। ସଂଘ ଚାହୁଁଛି ଭାରତ ଏମିତି ଲମ୍ପ ପ୍ରଦାନ କରୁ ଯେ ତାର କାୟାକଳ୍ପ ତ ହେଉ, ସମଗ୍ର ବିଶ୍ୱରେ ସୁଖ ଏବଂ ଶାନ୍ତି ମଧ୍ୟ ସ୍ଥାପିତ ହେଉ।”

Leave a Reply

Your email address will not be published. Required fields are marked *