ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ପରମ ପୂଜନୀୟ ସରସଂଘଚାଳକ ଡ. ମୋହନ ଭାଗବତଙ୍କ ବିଜୟା ଦଶମୀ ଉତ୍ସବ
ଅବସରରେ ପ୍ରଦାନ କରାଯାଇଥିବା ଉଦ୍ବୋଧନର ସାରାଂଶ
(ଆଶ୍ୱିନ ଶୁକ୍ଳ ଦଶମୀ, ମଙ୍ଗଳବାର, ୨୪ ଅକ୍ଟୋବର ୨୦୨୩)
ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆଦରଣୀୟ ଶଙ୍କର ମହାଦେବନ ଜୀ, ମଂଚ ଉପରେ ଉପସ୍ଥିତ ମାନନୀୟ ସରକାର୍ଯ୍ୟବାହ, ବିଦର୍ଭ ପ୍ରାନ୍ତର ମାନନୀୟ ସଂଘଚାଳକ, ନାଗପୁର ମହାନଗରର ମାନନୀୟ ସଂଘଚାଳକ, ନାଗପୁର ମହାନଗରର ମାନନୀୟ ସହ-ସଂଘଚାଳକ, ଅନ୍ୟ ଅଧିକାରୀଗଣ, ସଜ୍ଜନ ନାଗରିକ, ମାତା ଓ ଭଗିନୀ ତଥା ଆତ୍ମୀୟ ସ୍ୱୟଂସେବକ ବନ୍ଧୁ ।
ଦାନବତା ଉପରେ ମାନବତାର ସଂପୂର୍ଣ୍ଣ ବିଜୟର ଶକ୍ତିପର୍ବ ଭାବରେ ପ୍ରତିବର୍ଷ ଆମେ ବିଜୟା ଦଶମୀର ଉତ୍ସବ ପାଳନ କରିଥାଉ । ଏବର୍ଷ ଏହି ପର୍ବଟି ଆମ ପାଇଁ ଗୌରବ, ହର୍ଷୋଲ୍ଲାସ ଏବଂ ଉତ୍ସାହ ବୃଦ୍ଧି କରୁଥିବା ଅନେକ ଘଟଣାବଳୀ ନେଇ ଆସିଛି ।
ବିଗତ ବର୍ଷ ଆମ ଦେଶ ଜି-୨୦ ନାମକ ଅଗ୍ରଣୀ ରାଷ୍ଟ୍ରପରିଷଦର ଅଧ୍ୟକ୍ଷ ରହିଥିଲା । ବର୍ଷସାରା ଏହାର ସଦସ୍ୟ ରାଷ୍ଟ୍ର ପ୍ରମୁଖଗଣ, ମନ୍ତ୍ରୀ, ପ୍ରଶାସକ, ମନୀଷିମାନଙ୍କ ଅନେକ କାର୍ଯ୍ୟକ୍ରମ ଭାରତର ବିଭିନ୍ନ ସ୍ଥାନରେ ସଂପନ୍ନ ହୋଇଥିଲା । ଏହି ସମସ୍ତ ଦେଶ ଗୁଡିକର ସହଭାଗୀମାନଙ୍କୁ ଭାରତୀୟଙ୍କ ଆତ୍ମୀୟ ଆତିଥ୍ୟର ଅନୁଭବ, ଭାରତର ଗୌରବଶାଳୀ ଅତୀତ ତଥା ବର୍ତ୍ତମାନର ଆକାଶଛୁଆଁ ସଫଳତା ଖୁବ୍ ମାତ୍ରାରେ ପ୍ରଭାବିତ କରିଛି । ଆଫ୍ରିକୀୟ ୟୁନିୟନକୁ ଏହାର ସଦସ୍ୟ ଭାବେ ସ୍ୱୀକୃତି ପ୍ରଦାନ କରାଇବାର ପ୍ରସ୍ତାବକୁ ବୈଠକର ପ୍ରଥମ ଦିନ ପରିଷଦର ଘୋଷଣା ପତ୍ରରେ ସର୍ବସମ୍ମତି କ୍ରମେ ସ୍ୱୀକୃତ କରାଇବା ଭାରତର ପ୍ରାମାଣିକ ସଦ୍ଭାବନା ଏବଂ ରାଜନୈତିକ କୁଶଳତାର ଅନୁଭବକୁ ଦର୍ଶାଏ । ନିଜର ବିଶିଷ୍ଟ ବିଚାର ଏବଂ ଦୃଷ୍ଟିକୋଣ ଯୋଗୁଁ ସମଗ୍ର ବିଶ୍ୱ ମାନସରେ ଭାରତର ‘ବସୁଧୈବ କୁଟୁମ୍ବକମ୍’ ଗ୍ରହଣୀୟ ହୋଇ ପାରିଛି । ଜି-୨୦ର ଅର୍ଥକୈନ୍ଦ୍ରିକ ବିଚାରଧାରା ଏବେ ମାନବକୈନ୍ଦ୍ରିକ ହୋଇଯାଇଛି । ଆମର ନେତୃତ୍ୱ ଏହି ବିଚାର ମାଧ୍ୟମରେ ଭାରତକୁ ସମଗ୍ର ବିଶ୍ୱ ମଂଚରେ ଏକ ପ୍ରମୁଖ ରାଷ୍ଟ୍ରଭାବେ ଦୃଢତା ପୂର୍ବକ ସ୍ଥାପିତ କରିବାର ଅଭିନନ୍ଦନୀୟ କାର୍ଯ୍ୟ କରିପାରିଛି ।
ଏଥର ଏସୀୟ କ୍ରୀଡା ପ୍ରତିଯୋଗୀତାରେ ଆମ ଦେଶର ଖେଳାଳୀମାନେ ପ୍ରଥମଥର ପାଇଁ ୧୦୦ରୁ ଅଧିକ ପଦକ ଜିଣିଛନ୍ତି । ଖେଳାଳୀମାନେ ୨୮ଟି ସ୍ୱର୍ଣ୍ଣ, ୩୮ ରୌପ୍ୟ ତଥା ୪୧ଟି କାଂସ୍ୟ ସର୍ବମୋଟ ୧୦୭ ପଦକ ଜିତିବା ସହିତ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଆମେ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ । ପ୍ରଗତିପଥରେ ଅଗ୍ରସର ଭାରତର ଶକ୍ତି, ସାମର୍ଥ୍ୟ ଏବଂ ବୁଦ୍ଧିମତାର ଝଲକ ଚନ୍ଦ୍ରଯାନ ପ୍ରସଙ୍ଗରେ ସମଗ୍ର ବିଶ୍ୱ ଦେଖିସାରିଛି । ଆମର ବୈଜ୍ଞାନିକମାନଙ୍କ ଜ୍ଞାନକୌଶଳ, ଶାସ୍ତ୍ରଜ୍ଞାନ ସହିତ ନେତୃତ୍ୱର ଇଛାଶକ୍ତି ଯୋଡି ହୋଇ ଏହି ସଫଳତା ହାସଲ କରାଯାଇ ପାରିଛି । ଭାରତର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବା ଅନ୍ତରୀକ୍ଷ ଇତିହାସର ପ୍ରଥମ ଘଟଣା । ସମଗ୍ର ଭାରତୀୟଙ୍କ ଗୌରବ ଏବଂ ଆତ୍ମବିଶ୍ୱାସ ବଢାଇ ଥିବା ଏହି ଅଭିଯାନର ସଫଳ ବୈଜ୍ଞାନିକ ଏବଂ ତାଙ୍କୁ ପ୍ରେରଣା ଦେଇଥିବା ନେତୃତ୍ୱ ସମ୍ପୂର୍ଣ୍ଣ ଦେଶରେ ଅଭିନନ୍ଦନର ପାତ୍ର ହୋଇଛନ୍ତି ।
କୌଣସି ରାଷ୍ଟ୍ରର ପୁରୁଷାର୍ଥର ଉତ୍ସ ସେହି ରାଷ୍ଟ୍ରର ବୈଶ୍ୱିକ ପ୍ରୟୋଜନ ସିଦ୍ଧ କରୁଥିବା ରାଷ୍ଟ୍ରୀୟ ଆଦର୍ଶ ହୋଇଥାଏ । ଆମ ସମ୍ବିଧାନର ମୂଳ ପ୍ରତିଲିପି ପୃଷ୍ଠାରେ ଅଙ୍କିତ, ଧର୍ମର ମୂର୍ତ୍ତିମାନ ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟରୂପ ମନ୍ଦିର ଅଯୋଧ୍ୟାରେ ନିର୍ମିତ ହେଉଛି । ଆଗାମୀ ୨୨ ଜାନୁଆରୀ ୨୦୨୪ ଦିନ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବାର ଘୋଷଣା ହୋଇସାରିଛି । ବ୍ୟବସ୍ଥା ସମ୍ବନ୍ଧୀୟ ଅସୁବିଧା ଏବଂ ସୁରକ୍ଷା ଓ ସତର୍କତାକୁ ଦୃଷ୍ଟିରେ ରଖି ଏହି ପବିତ୍ର ଅବସରରେ ଖୁବ୍ ସୀମିତ ସଂଖ୍ୟାରେ ସହଭାଗୀ ଉପସ୍ଥିତ ରହିବେ । ଭାରତୀୟ ଜନମାନସରେ ପ୍ରଭୁ ଶ୍ରୀରାମ ମର୍ଯ୍ୟାଦା, କର୍ତ୍ତବ୍ୟ ପାଳନ, ସ୍ନେହ ଏବଂ କରୁଣାର ପ୍ରତୀକ ଅଟନ୍ତି । ନିଜ ନିଜ ଅଂଚଳରେ ଏହିଭଳି ବାତାବରଣ ନିର୍ମିତ ହେଉ, ରାମ ମନ୍ଦିରରେ ଶ୍ରୀରାମଲଲାଙ୍କ ପ୍ରବେଶଦ୍ୱାରା ପ୍ରତ୍ୟେକ ହୃଦୟରେ ନିଜର ମନର ରାମଙ୍କୁ ଜାଗୃତକରି ମନ ଅଯୋଧ୍ୟାକୁ ସଜ୍ଜିତ କରାଯିବା ଉଚିତ ଯଦ୍ୱାରା ସର୍ବତ୍ର ସ୍ନେହ, ପୁରୁଷାର୍ଥ ତଥା ସଦ୍ଭାବନାର ବାତାବରଣ ଉତ୍ପନ୍ନ ହେବ । ଏଭଳି ଆଭିମୁଖ୍ୟ ନେଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆୟୋଜନମାନ କରାଯିବା ଆବଶ୍ୟକ ।
ଶହଶହ ବର୍ଷ ଧରି ବିଭିନ୍ନ ସଂକଟ ମଧ୍ୟରେ ଗତି କରୁଥିବା ଆମ ଭାରତ ଏବେ ନିଶ୍ଚିତ ଭାବରେ ଭୌତିକ ଏବଂ ଆଧ୍ୟାତ୍ମିକ ଉନ୍ନତି ପଥରେ ଆଗେଇ ଚାଲିଛି । ଆମେମାନେ ଏସବୁର ସଂକେତ ପ୍ରଦାନ କରୁଥିବା ଘଟଣାବଳୀର ସୌଭାଗ୍ୟଶାଳୀ ସାକ୍ଷୀ ।
ଏ ବର୍ଷଟି ସମଗ୍ର ବିଶ୍ୱକୁ ଅହିଂସା, ଜୀବେଦୟା ଏବଂ ସଦାଚାର ଶିକ୍ଷା ଦେଉଥିବା, ସତ୍ପଥ ଦର୍ଶାଉଥିବା ଶ୍ରୀ ମହାବୀର ସ୍ୱାମୀଙ୍କ ୨୫୫୦ତମ ନିର୍ବାଣ ବର୍ଷ, ୩୫୦ ବର୍ଷର ବିଦେଶୀ ଆକ୍ରମଣକାରୀଙ୍କ ପରାଧୀନତାରୁ ମୁକ୍ତିର ମାର୍ଗ ଦେଖାଇ ହିନ୍ଦୁସ୍ୱରାଜର ସ୍ଥାପନା ଏବଂ ନ୍ୟାୟପୂର୍ଣ୍ଣ ଜନହିତକାରୀ ଶାସନ ଦେଇଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ୩୫୦ତମ ବର୍ଷ, ଇଂରେଜଙ୍କଠାରୁ ମୁକ୍ତି ନିମନ୍ତେ ସଂପୂର୍ଣ୍ଣ ଦେଶର ଜନମାନସରେ ନିଜ ‘ସ୍ୱ’ର ସ୍ୱରୂପକୁ ସ୍ପଷ୍ଟ ଭାବରେ ତାଙ୍କଦ୍ୱାରା ପ୍ରଣୀତ ‘ସତ୍ୟାର୍ଥ ପ୍ରକାଶ’ ମାଧ୍ୟମରେ ପଥପ୍ରଦର୍ଶନ କରାଇଥିବା ମହର୍ଷି ଦୟାନନ୍ଦଙ୍କ ୨୦୦ତମ ଜନ୍ମଜୟନ୍ତୀ ବର୍ଷ ଭାବେ ଆମେ ପାଳନ କରୁଛନ୍ତି । ଆଗାମୀ ବର୍ଷ ମଧ୍ୟ ଏହିଭଳି ରାଷ୍ଟ୍ରୀୟ ପୁରୁଷାର୍ଥର ଶାଶ୍ୱତ ପ୍ରେରଣା ସାଜିଥିବା ଦୁଇଜଣ ବିଭୂତିଙ୍କ ସ୍ମରଣର ବର୍ଷ । ସ୍ୱାଧୀନତା ଏବଂ ଅସ୍ମିତା ନିମନ୍ତେ ବଳିଦାନ ଦେଇଥିବା, ସାହସ, ଧୈର୍ଯ୍ୟ, ବୁଦ୍ଧି ଏବଂ ପରାକର୍ମ ସହିତ ପ୍ରଶାସନିକ କୁଶଳତା, ପ୍ରଜାହିତାକାଂକ୍ଷୀ ମହାରାଣୀ ଦୁର୍ଗାବତୀଙ୍କର ଏହା ହେବ ୫୦୦ତମ ଜୟନ୍ତୀ ବର୍ଷ । ସିଏ ହେଉଛନ୍ତି ଭାରତୀୟ ମହିଳାଙ୍କ କତୃତ୍ୱ, ନେତୃତ୍ୱ କ୍ଷମତା, ଜାଜ୍ୱଲ୍ୟମାନ ଦେଶଭକ୍ତିର ଦୀପ୍ତ ଆଦର୍ଶ ।
ଏହିପରି ପ୍ରଜାହିତ ଦକ୍ଷତା ଏବଂ ପ୍ରଶାସନ ପଟୁତାପୂର୍ବକ ସାମାଜିକ ବିଷମତାକୁ ମୂଳୋତ୍ପାଟନ କରିବା ପାଇଁ ସାରାଜୀବନ ସମ୍ପୂର୍ଣ୍ଣଶକ୍ତି ଲଗାଇଥିବା କୋହ୍ଲାପୁର ଶାସକ ଛତ୍ରପତି ସାହୁଜୀ ମହାରାଜଙ୍କ ଏହା ହେଉଛି ୧୫୦ତମ ଜୟନ୍ତୀବର୍ଷ ।
ନିଜ ଜୀବନର ଯୌବନକାଳରୁ ସ୍ୱୀଧୀନତାର ଅଗ୍ନିଶିଖା ପ୍ରଜ୍ୱଳିତ କରିଥିବା ଏବଂ ଗରିବଙ୍କୁ ଅନ୍ନଦାନ କାର୍ଯ୍ୟକ୍ରମ ନିମନ୍ତେ ପ୍ରଥମ ଚୁଲି ଜଳାଇଥିବା ତାମିଲନାଡୁର ସନ୍ଥ ଶ୍ରୀମଦ୍ ରାମଲିଙ୍ଗ ବଲ୍ଲଲାରଙ୍କ ୨୦୦ତମ ଜୟନ୍ତୀ ଏହି ମାସରେ ସଂପନ୍ନ ହୋଇଛି । ସେ ସ୍ୱାଧୀନତା ସହିତ ସମାଜର ଆଧ୍ୟାତ୍ମିକ, ସାଂସ୍କୃତିକ ଜାଗରଣ ଏବଂ ସାମାଜିକ ବିଷମତାର ସଂପୂର୍ଣ୍ଣ ନିବାରଣ ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିଲେ ।
ଏହିଭଳି ପ୍ରେରଣାଦାୟୀ ବିଭୂତିମାନଙ୍କ ଜୀବନୀର ସ୍ମରଣ ଆମ ସମସ୍ତଙ୍କୁ ସ୍ୱାଧୀନତାର ଅମୃତମହୋତ୍ସବ ଦିନମାନଙ୍କରେ ସାମାଜିକ ସମତା, ଏକାତ୍ମତା ଏବଂ ନିଜ ‘ସ୍ୱ’ ରକ୍ଷାନିମନ୍ତେ ବାର୍ତା ପ୍ରଦାନ କରେ ।
ନିଜ ‘ସ୍ୱ’ ତଥା ନିଜ ପରିଚୟକୁ ସୁରକ୍ଷିତ ରଖିବା ହେଉଛି ମାନବର ସ୍ୱାଭାବିକ ପ୍ରବୃତ୍ତି ଏବଂ ସହଜ ପ୍ରଚେଷ୍ଟା । ଦ୍ରୁତଗତିରେ ପରସ୍ପରର ନିକଟତର ହେଉଥିବା ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କମଧ୍ୟରେ ଏଭଳି ଚିନ୍ତା କରିବାର ପ୍ରବୃତ୍ତି ବଢିଚାଲିଛି । ସମଗ୍ର ବିଶ୍ୱକୁ ଗୋଟିଏ ରଙ୍ଗରେ ରଙ୍ଗେଇବାର, ଏକ ରୂପ କରିବାର କୌଣସି ପ୍ରଚେଷ୍ଟା ଆଜି ଯାଏ ନା ସଫଳ ହୋଇଛି, ନା ଆଗକୁ ସଫଳ ହେବ । ଭାରତର ପରିଚୟ ହିନ୍ଦୁ ସମାଜର ଅସ୍ମିତାକୁ ଅକ୍ଷୁଣ୍ଣ ରଖିବାର ବିଚାର ନିଶ୍ଚିତ ଭାବରେ ସ୍ୱାଭାବିକ । ଅଧୁନା ବିଶ୍ୱର ବର୍ତ୍ତମାନର ଆବଶ୍ୟକତା ଗୁଡିକୁ ପୂରଣକରିବା ନିମନ୍ତେ ଭାରତ ନିଜ ସ୍ୱ-ମୂଲ୍ୟ ଆଧାରିତ, ସମୟୋପଯୋଗୀ ବିଚାରକୁ ନୂଆ ରୂପ ରଙ୍ଗଦେଇ ଛିଡ଼ାହେବା ଉଚିତ, ଆଉ ଏହା ସମଗ୍ର ବିଶ୍ୱର ଆଶା ଓ ଅପେକ୍ଷା ମଧ୍ୟ । ମତ-ସଂପ୍ରଦାୟକୁ ନେଇ ଉତ୍ପନ୍ନ କଟ୍ଟରତା, ଅହଂକାର ଓ ଉନ୍ମାଦର ଦଂଶନ ଏବେ ବିଶ୍ୱ ଭୋଗୁଛି । ନିଜ ନିଜ ସ୍ୱାର୍ଥର ସଂଘର୍ଷ ଏବଂ ଅତିବାଦୀ ବିଚାରଧାରା ଯୋଗୁଁ ଉତ୍ପନ୍ନ ହୋଇଥିବା ୟୁକ୍ରେନ ଏବଂ ଗାଜାପଟିର ଯୁଦ୍ଧ ଭଳି କଳହର କୌଣସି ସମାଧାନ ଦେଖାଯାଉ ନାହିଁ । ପ୍ରକୃତି ବିରୁଦ୍ଧ ଜୀବନଶୈଳୀ, ସ୍ୱଚ୍ଛନ୍ଦତା ତଥା ଅନିୟନ୍ତ୍ରିତ ଉପଭୋଗ ଯୋଗୁଁ ନୂଆ ନୂଆ ଶାରୀରିକ ଓ ମାନସିକ ରୋଗମାନ ସୃଷ୍ଟି ହେଉଛି, ବିଭିନ୍ନ ପ୍ରକାରର ବିକୃତି ଓ ଅପରାଧ ମଧ୍ୟ ବଢିଚାଲିଛି । ଅତ୍ୟଧିକ ବ୍ୟକ୍ତିବାଦ ଯୋଗୁଁ ପରିବାର ବ୍ୟବସ୍ଥା ଭାଙ୍ଗି ପଡୁଛି । ପ୍ରକୃତିର ମାତ୍ରାଧିକ ଶୋଷଣ ଯୋଗୁଁ ପ୍ରତିବର୍ଷ ପ୍ରଦୂଷଣ, ବିଶ୍ୱତାପମାନର ବୃଦ୍ଧି, ଋତୁଚକ୍ରର ଅସୁନ୍ତଳନ ଏବଂ ତଦ୍ଜନିତ ପ୍ରାକୃତିକ ବିପର୍ଯ୍ୟୟମାନ ବଢିଚାଲିିଛି । ଆତଙ୍କବାଦ, ଶୋଷଣ ଏବଂ ନିରଙ୍କୁଶତାକୁ ସତେ ଯେମିତି ଖୋଲା ଯୁଦ୍ଧକ୍ଷେତ୍ର ମିଳିଯାଇଛି । ନିଜର ଅସମ୍ପୂର୍ଣ୍ଣ ଦୃଷ୍ଟିଭଙ୍ଗୀକୁ ଆଧାର କରି ବିଶ୍ୱ ଯେ ଏଗୁଡିକର ସମ୍ମୁଖୀନ ହୋଇ ପାରିବ ନାହିଁ ତାହା ସ୍ପଷ୍ଟ ହୋଇ ଯାଇଛି । ଭାରତ ନିଜର ସନାତନ ମୂଲ୍ୟବୋଧ ଏବଂ ସଂସ୍କାରକୁ ଆଧାର କରି ନିଜସ୍ୱ ଉଦାହରଣ ପ୍ରସ୍ତୁତ ପୂର୍ବକ ପ୍ରକୃତପକ୍ଷେ ସୁଖଶାନ୍ତିର ସମଗ୍ର ବିଶ୍ୱକୁ ନୂତନ ପଥ ଦେଖାଉ ଏଭଳି ଆଶା ଜାଗ୍ରତ ହୋଇଛି ।
ଏହିଭଳି ପରିସ୍ଥିତି ଗୁଡିକର ଏକ ଛୋଟ ଘଟଣା ଆମ ଭାରତ ବର୍ଷରେ ମଧ୍ୟ ଘଟିଛି । ଉଦାହରଣ ସ୍ୱରୂପ ନିକଟରେ ହିମାଳୟ ଅଂଚଳର ହିମାଚଳ, ଉତ୍ତରାଖଣ୍ଡ ଠାରୁ ଆରମ୍ଭ ହୋଇ ସିକିମ୍ ଯାଏଁ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ଅକଳ୍ପନୀୟ କ୍ଷୟକ୍ଷତି ଆମେ ଦେଖିଛନ୍ତି । ଭବିଷ୍ୟତର କିଛି ଗଭୀର ଏବଂ ବ୍ୟାପକ ସଂକଟର ପୂର୍ବାଭାଷର ଆଶଙ୍କାକୁ ନେଇ ଏହି ଘଟଣା ଗୁଡିକ ମଧ୍ୟ ଚର୍ଚ୍ଚାରେ ରହିଛି ।
ଦେଶର ସୀମା ସୁରକ୍ଷା, ଜଳ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ନିମନ୍ତେ ଭାରତର ଉତ୍ତର ସୀମାନ୍ତକୁ ନିର୍ଦ୍ଦେଶ କରୁଥିବା ଏହି ଅଂଚଳ ଅତ୍ୟନ୍ତ ସଂବେଦନଶୀଳ । ଯେକୌଣସି ମୂଲ୍ୟ ଦେଇ ଏହାର ରକ୍ଷା କରିବା ନିହାତି ଜରୁରୀ । ଏହି ସଂପୂର୍ଣ୍ଣ ଅଂଚଳର ସୁରକ୍ଷା, ପରିବେଶ, ଜନସଂଖ୍ୟା ଏବଂ ବିକାଶ ଆଧାରରେ ଏକକ କ୍ଷେତ୍ର ମାନି ନେଇ ଆମକୁ ସମଗ୍ର ହିମାଳୟ ବିଷୟରେ ବିଚାର କରିବାକୁ ପଡିବ । ଏହି ରମଣୀୟ ପ୍ରାକୃତିକ କ୍ଷେତ୍ରଟି ଭୂଗର୍ଭଶାସ୍ତ୍ରୀଙ୍କ ଦୃଷ୍ଟିରେ ନୂତନ ତଥା ପରିବର୍ତ୍ତନଶୀଳ, ତେଣୁ ଏହା ଏକ ଅସ୍ଥିର କ୍ଷେତ୍ର ମଧ୍ୟ । ଏହି ଅଂଚଳର ଭୂପୃଷ୍ଠୀୟ ନିର୍ମାଣ, ଭୂଗର୍ଭ ସଂରଚନା, ଜୈବ ବିବିଧତା ଏବଂ ଜଳସଂପଦର ବିଶେଷତ୍ୱ ବିଷୟରେ ବିସ୍ତୃତ ଜ୍ଞାନ ଆହରଣ ନକରି ମନଇଛା ଯୋଜନା ଗୁଡିକ ଲାଗୁ କରିଦିଆ ଯାଇଛି । ଏହି ଅପାରଗତା ଯୋଗୁଁ ଏ ଅଂଚଳ ସମେତ ସମଗ୍ର ଦେଶ ଆଜି ସଂକଟର ସମ୍ମୁଖିନ ହେବାକୁ ଯାଉଛି । ଆମେ ସମସ୍ତେ ଜାଣନ୍ତି ଯେ ଏହି ଅଂଚଳଟି ଭାରତ ବ୍ୟତୀତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ମହାଦେଶର ପ୍ରାୟ ସବୁ ଦେଶକୁ ଜଳ ଯୋଗାଣ କରିଥାଏ । ଭାରତର ଉତ୍ତର ସୀମାରେ ଏହି ଅଂଚଳରେ ଚୀନର ହସ୍ତକ୍ଷେପ ଗତ କିଛି ବର୍ଷଧରି ଚାଲୁ ରହିଛି । ତେଣୁ ଭୌଗୋଳିକ, ସାମରିକ ଏବଂ ଶାସନତନ୍ତ୍ର ଦୃଷ୍ଟିକୋଣରୁ ମଧ୍ୟ ଏହି କ୍ଷେତ୍ର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଅତଏବ ଏସବୁକୁ ଧ୍ୟାନରେ ରଖି ଏହି ଅଂଚଳପ୍ରତି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ନେଇ ବିଚାର କରିବାକୁ ହେବ ।
ଯଦିଓ ଏହି ଘଟଣା ଗୁଡିକ ହିମାଳୟ ଅଂଚଳରେ ଅଧିକ ପରିମାଣରେ ଘଟୁଛି କିନ୍ତୁ ସଂପୂର୍ଣ୍ଣ ଦେଶ ପ୍ରତି ଏହା ଏକ ସ୍ପଷ୍ଟ ସଂକେତ ମଧ୍ୟ ପ୍ରଦାନ କରେ । ଅନ୍ୟକୁ ଶୋଷଣ କରିବାର ଉପଭୋଗବାଦୀ ଦୃଷ୍ଟିକୋଣ ଏବଂ ଅସମ୍ପୂର୍ଣ୍ଣ, ନିପଟ ଜଡତା ଆଧାରିତ ବିକାଶର ପଥ ଆପଣେଇବା ଯୋଗୁଁ ସମଗ୍ର ମାନବତା ଏବଂ ପ୍ରକୃତି ନିଶ୍ଚିତ ଭାବରେ ବିନାଶ ଆଡକୁ ଗତି କରୁଛି । ଏହାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତିତ । ଏହି ଅସଫଳ ପନ୍ଥା ତ୍ୟାଗ ପୂର୍ବକ ଅଥବା ଧିରେ ଧିରେ ଏଥିରୁ ନିବୃତ୍ତ ହୋଇ ଭାରତୀୟ ମୂଲ୍ୟବୋଧ ଏବଂ ସମଗ୍ର ଏକାତ୍ମ ଦର୍ଶନ, ସମୟୋପଯୋଗୀ, ନୂତନ, ନିଜସ୍ୱ ବିକାଶ ପଥ ଆମକୁ ହିଁ ନିର୍ମାଣ କରିବାକୁ ହେବ । ଏହା ଭାରତ ନିମନ୍ତେ ସର୍ବଥା ଉପଯୋଗୀ ହେବା ସହିତ ସଂପୂର୍ଣ୍ଣ ବିଶ୍ୱପାଇଁ ମଧ୍ୟ ଅନୁକରଣୀୟ ହୋଇ ପାରିବ । ଆମକୁ ଅନ୍ଧାନୁକରଣ, ଚିରାଚରିତ ଅସଫଳତାର ମାର୍ଗ ଅନୁସରଣ, ଜଡତା ଏବଂ ତୁଚ୍ଛାନିଷ୍ଠାର ପ୍ରବୃତ୍ତି ଛାଡି ଦେବାକୁ ହେବ । ଉପନିବେଶିକ ମାନସିକତାରୁ ମୁକ୍ତ ହୋଇ ବିଶ୍ୱ ପାଇଁ ଯାହା ଅନୁକୂଳ ସେହି ପଥ ଆପଣେଇବାକୁ ହେବ । ଆମ ଦେଶରେ ଯାହା ସବୁ ଉପଲବ୍ଧ ତାକୁ ଯୁଗୋପଯୋଗୀ କରି ଆମକୁ ‘ସ୍ୱ’ ଆଧାରିତ ବିକାଶପଥ ନିର୍ମଣ କରିବାକୁ ହେବ । ଏହା ହିଁ ସମୟର ଆହ୍ୱାନ । ଏହି ଦୃଷ୍ଟି ଭଙ୍ଗୀନେଇ ବିଗତ ଦିନ ଗୁଡିକରେ କିଛି ନୀତିଗତ ପରିବର୍ତ୍ତନ ହୋଇଛି ବୋଲି ଜଣାପଡେ । କୃଷି, ଉଦ୍ୟୋଗ, ବ୍ୟାପାର ଏବଂ ତତ୍ ସମ୍ବନ୍ଧିତ ସେବାକ୍ଷେତ୍ରରେ ସମବାୟ ଏବଂ ସ୍ୱରାଜ କ୍ଷେତ୍ରରେ ନୂଆ ନୂଆ ସଫଳ ପ୍ରୟୋଗର ସଂଖ୍ୟା ମଧ୍ୟ ନିରନ୍ତର ବଢିଚାଲିଛି । କିନ୍ତୁ ପ୍ରଶାସନ ସହିତ ସାମଗ୍ରିକ କ୍ଷେତ୍ର ଗୁଡିକୁ ନେଇ ଚିନ୍ତନ, ମନନ ଏବଂ ଦେଶକୁ ମାର୍ଗଦର୍ଶନ ଦେଉଥିବା ବୁଦ୍ଧିଜୀବୀଙ୍କ ମଧ୍ୟରେ ଏ ପ୍ରକାରର ଜାଗରଣ ଆହୁରି ଅଧିକ ଆବଶ୍ୟକ ମନେହୁଏ । ଶାସନରେ ‘ସ୍ୱ’ ଆଧାରିତ ଯୁଗାନୁକୂଳ ନୀତି, ପ୍ରଶାସନିକ ତତ୍ପରତା, ସୁସଂଗତ ଏବଂ ଲୋକାଭିମୁଖୀ ଦୃଷ୍ଟିଭଙ୍ଗୀ, ତଥା ମନ-ବଚନ-କର୍ମ ଦ୍ୱାରା ସାମାଜିକ ସହଭାଗିତା ହିଁ ଦେଶକୁ ପରିବର୍ତ୍ତନ ଦିଗରେ ଆଗେଇ ନେବ ।
କିନ୍ତୁ ଏ ପ୍ରଚେଷ୍ଟା ଯେପରି ସଫଳ ନହେଉ ଏଥିପାଇଁ ସମାଜର ସାମୂହିକତାକୁ ନଷ୍ଟ କରିବା, ସଂଘର୍ଷ ଓ ବିଚ୍ଛିନ୍ନତାବାଦକୁ ପ୍ରଶୟଦେବାର କୁଚେଷ୍ଟା ମଧ୍ୟ ବଢିଚାଲିଛି । ଅଜ୍ଞାନ, ଅବିବେକ, ପରସ୍ପର ଅବିଶ୍ୱାସ ଅଥବା ଅସାବଧାନତା ଯୋଗୁଁ ସମାଜରେ ଅପ୍ରତ୍ୟାଶିତ ଉପଦ୍ରବ ଏବଂ ବିଭେଦ ବଢିଚାଲିଛି । ଭାରତ ଉତ୍ଥାନର ପ୍ରୟୋଜନ ବିଶ୍ୱକଲ୍ୟାଣ ନିମନ୍ତେ ଅଭିପ୍ରେତ । କିନ୍ତୁ ଏହି ଉତ୍ଥାନର ସ୍ୱାଭାବିକ ପରିଣାମକୁ ନେଇ ଆଶଙ୍କିତ ଶକ୍ତି ଗୁଡିକ ଛଳ-କପଟ ଆଧାରରେ ନିଜ ସ୍ୱାର୍ଥହାସଲ ନିମନ୍ତେ ନିରନ୍ତର ଏହାର ବିରୋଧ କରି ଆସୁଛନ୍ତି । ଏହି ଶକ୍ତି ଗୁଡିକ କୌଣସି ନା କୌଣସି ବିଚାରଧାରାର ଆବରଣ ତଳେ ଲୁଚିରହି ଛଦ୍ମବେଶ ଧାରଣ ପୂର୍ବକ ମନଲୋଭା ଘୋଷଣାମାନ କରନ୍ତି ଯଦିଓ ତାଙ୍କର ବାସ୍ତବିକ ଉଦ୍ଦେଶ୍ୟ କିଛି ଭିନ୍ନ ରହିଥାଏ । ପ୍ରାମାଣିକତା ସହିତ ନିଃସ୍ୱାର୍ଥପର ଭାବରେ କାମ କରୁଥିବା ଲୋକେ ଏମାନଙ୍କ ପାଇଁ ବାଧକ ସାଜିଥାନ୍ତି ।
ଆଜିକାଲି ଏହି ସର୍ବଭକ୍ଷୀ ପ୍ରବୃତ୍ତିର ଶକ୍ତିଶାଳୀ ଲୋକମାନେ ନିଜକୁ ସାଂସ୍କୃତିକ ମାର୍କ୍ସବାଦୀ ବା ଜାଗରୁକ ଅଥବା woke ବୋଲି କହିଥାନ୍ତି । କିନ୍ତୁ ପ୍ରକୃତପକ୍ଷେ ସେମାନେ ୧୯୨୦ ମସିହାରୁ ମାର୍କ୍ସଙ୍କୁ ମଧ୍ୟ ଭୁଲି ଯାଇଛନ୍ତି । ବିଶ୍ୱର ସମସ୍ତ ସୁବ୍ୟବସ୍ଥା, ମଙ୍ଗଳମୟ କାର୍ଯ୍ୟକଳାପ, ସଂସ୍କାର ତଥା ସଂଯମତାକୁ ସେମାନେ ବିରୋଧ କରିଥାନ୍ତି । ସମଗ୍ର ମାନବଜାତି ଉପରେ କିଛି ହାତଗଣତି ଲୋକଙ୍କ ନିୟନ୍ତ୍ରଣ ରହୁ ଏଥିପାଇଁ ସେମାନେ ଅରାଜକତା ତଥା ବିରୋଧୀ ଶକ୍ତିମାନଙ୍କୁ ପୁରସ୍କୃତ କରିଥାନ୍ତି ଏବଂ ସେମାନଙ୍କର ପ୍ରଚାର ପ୍ରସାର ମଧ୍ୟ କରନ୍ତି । ବିଭିନ୍ନ ଗଣମାଧ୍ୟମ ତଥା ଶିକ୍ଷା ଅନୁଷ୍ଠାନ ଗୁଡିକୁ ନିଜ ହାତରେ ରଖି ଦେଶମାନଙ୍କର ଶିକ୍ଷା, ସଂସ୍କାର, ରାଜନୀତି ଓ ସାମାଜିକ ବାତାବରଣ ମଧ୍ୟରେ ଭ୍ରମ ସୃଷ୍ଟିକରିବା ଓ ବ୍ୟବସ୍ଥାକୁ ଦୁର୍ନୀତିର ଶିକାର କରାଇବା ସେମାନଙ୍କର କାର୍ଯ୍ୟଶୈଳୀ ଅଟେ । ଏଭଳି ବାତାବରଣରେ ହିଁ ଅସତ୍ୟ, ବିପର୍ଯ୍ୟସ୍ତ ତଥା ଅତିରଂଜିତ ପ୍ରଚାର ଦ୍ୱାରା ଭୟ, ଭ୍ରମ ତଥା ଦ୍ୱେଷ ଭାବନା ଖୁବ୍ ସହଜରେ ବ୍ୟାପିଥାଏ । ପାରସ୍ପରିକ ବିବାଦରେ ଛନ୍ଦି ହୋଇଥିବା ଦୁର୍ବଳ ତଥା ଦ୍ୱନ୍ଦଗ୍ରସ୍ତ ବିଭାଜିତ ସମାଜ ଅଜାଣତରେ ଏହି କ୍ଷମତା ଲୋଭୀ ବିନାଶକାରୀ ଶକ୍ତିମାନଙ୍କର ଶିକାର ହୋଇଥାନ୍ତି । ଆମ ପରମ୍ପରାରେ ଏହି ଢଙ୍ଗରେ କୌଣସି ରାଷ୍ଟ୍ରରେ ଜନସାଧାରଣମାନଙ୍କ ମଧ୍ୟରେ ଅବିଶ୍ୱାସ, ଦ୍ୱନ୍ଦ ଓ ପରସ୍ପର ଦ୍ୱେଷ ଉତ୍ପନ୍ନ କଲାଭଳି କାର୍ଯ୍ୟ ପ୍ରଣାଳୀକୁ ‘ମନ୍ତ୍ର ବିପ୍ଲବ’ କୁହାଯାଏ । ନିହିତ ସ୍ୱାର୍ଥ କାରଣରୁ ନିଜର ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିବା ନିମନ୍ତେ ଏଭଳି ଅବାଂଚ୍ଛିତ ଶକ୍ତିମାନଙ୍କ ସହିତ ମେଣ୍ଟ କରିବା ଅବିବେକତା ଅଟେ । ଭେଦଭାବରେ ଜର୍ଜରିତ ଆତ୍ମବିସ୍ମୃତ ସମାଜ ଆରମ୍ଭରୁ ସ୍ୱାର୍ଥ ସାଧନ ପାଇଁ ଭୟଙ୍କର ପ୍ରତିଯୋଗିତା, ଇର୍ଷା ଏବଂ ଘୃଣାରେ ଛନ୍ଦି ହୋଇ ରହିଛି । ସମାଜ ତଥା ରାଷ୍ଟ୍ରକୁ ବିଭାଜିତ କରିବାକୁ ଚାହୁଁଥିବା ଆସୁରୀ ଶକ୍ତିମାନଙ୍କୁ ଏଥିପାଇଁ ଦେଶ ଭିତରୁ ଏବଂ ବାହ୍ୟଶକ୍ତିଙ୍କ ଠାରୁ ସହାୟତା ମଧ୍ୟ ମିଳିଥାଏ ।
ମଣିପୁରର ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏକଥା ସ୍ୱତଃ ମନକୁ ଆସେ ଯେ, ପ୍ରାୟ ଏକ ଦଶନ୍ଧିଧରି ଶାନ୍ତିପୂର୍ଣ୍ଣ ରହିଥିବା ମଣିପୁରରେ ହଠାତ ଏଭଳି ପାରସ୍ପରିକ ମତଭେଦ କିପରି ଉପନ୍ନ ହୋଇଗଲା ? ଯେଉଁମାନେ ହିଂସାରେ ଲିପ୍ତଥିଲେ ସେମାନଙ୍କ ମଧ୍ୟରେ କିଛି ସୀମା ସେପାରିର ଉଗ୍ରବାଦୀ ଥିଲେ କି ? ନିଜର ଅସ୍ତିତ୍ୱର ଭବିଷ୍ୟତକୁ ନେଇ ଭୟଭୀତ ମଣିପୁରର ମୈତେଇ ସମାଜ ଓ କୁକି ସମାଜ ମଧ୍ୟରେ ଚାଲିଥିବା ପାରସ୍ପରିକ ସଂଘର୍ଷକୁ କିଏ ବା ସାଂପ୍ରଦାୟିକ ରୂପ ଦେବା ପାଇଁ ପ୍ରୟାସ କଲା ଓ କେଉଁମାନଙ୍କ ଦ୍ୱାରା ଏହା ସମ୍ଭବ ହେଲା? ସମାନ ଦୃଷ୍ଟିଭଙ୍ଗୀ ନେଇ ବର୍ଷ ବର୍ଷ ଧରି ସେଠାରେ ସମସ୍ତଙ୍କର ସେବା କରୁଥିବା ସଂଘ ଭଳି ପବିତ୍ର ସଂଗଠନକୁ କାହା ସ୍ୱାର୍ଥରେ ବିନା କାରଣରେ ଏହି ହିଂସା ସହିତ ଜଡିତ କରି ଦିଆଯାଇଥିଲା ? ସୀମାନ୍ତ ଅଚଂଳରେ ନାଗାଭୂମି ଏବଂ ମିଜୋରାମ ମଧ୍ୟରେ ଅବସ୍ଥିତ ମଣିପୁରରେ ଏପରି ଅଶାନ୍ତି ଓ ଅସ୍ଥିରତାରୁ ଫାଇଦା ଉଠାଇବାକୁ କେଉଁ କେଉଁ ବିଦେଶୀ ଶକ୍ତି ଚେଷ୍ଟିତ ଅଛନ୍ତି ? ଏହି ଘଟଣା ପଛରେ ଦକ୍ଷିଣପୂର୍ବ ଏସିଆର ଭୂମି-ରାଜନୀତିର କିଛି ଭୂମିକା ଅଛି କି ? ଦେଶରେ ଏକ ଶକ୍ତିଶାଳୀ ସରକାର ଥିବା ସତ୍ତ୍ୱେ ଏହି ହିଂସା ଏତେ ଦିନ ଧରି ଅବାଧ ଭାବରେ କାହା ପ୍ରରୋଚନାରେ ଚାଲୁ ରହିଛି ? ଗତ ୯ ବର୍ଷ ଧରି ରହିଥିବା ଶାନ୍ତିପୂର୍ଣ୍ଣ ସ୍ଥିତିକୁ ବଜାୟ ରଖିବାକୁ ଚାହୁଁଥିବା ଏକ ରାଜ୍ୟ ସରକାର ଥାଇ ମଧ୍ୟ ଏଭଳି ହିଂସା କାହିଁକି ଏତେ ଉଗ୍ରରୂପ ଧାରଣ କଲା ଏବଂ ଚାଲୁ ରହିଲା ? ସଂଘର୍ଷରତ ଉପରୋକ୍ତ ଦୁଇ ପକ୍ଷ ଆଜିର ପରିସ୍ଥିତିରେ ଯେତେବେଳେ ଶାନ୍ତି ଚାହୁଁଛନ୍ତି, ଏହି ଦିଗରେ ଯେତେବେଳେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଉଛି ଠିକ୍ ସେ ସମୟରେ କେଉଁ ଶକ୍ତିମାନେ ପୁଣିଥରେ ହିଂସା ଘଟାଇ ବିଦ୍ୱେଷର ବାତାବରଣ ସୃଷ୍ଟି କରୁଛନ୍ତି ? ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବହୁମୁଖୀ ପ୍ରଚେଷ୍ଟା ଆବଶ୍ୟକ । ଏଥିନିମନ୍ତେ ରାଜନୈତିକ ଇଛାଶକ୍ତି, ତଦନୁସାର ସକ୍ରିୟତା ଏବଂ ଦକ୍ଷତା ହେଉଛି ସମୟର ଆହ୍ୱାନ, ଏହା ସହିତ ଦୁଭାଗ୍ୟପୂର୍ଣ୍ଣ ପରିସ୍ଥିତି କାରଣରୁ ପରସ୍ପର ମଧ୍ୟରେ ଉତ୍ପନ୍ନ ଅବିଶ୍ୱାସ ଜନିତ ଦୂରତାକୁ ସମାପ୍ତ କରିବା ପାଇଁ ସମାଜର ପ୍ରବୁଦ୍ଧ ନେତୃତ୍ୱକୁ ମଧ୍ୟ ବିଶେଷ ଭୂମିକା ତୁଲାଇବାକୁ ପଡିବ । ସଂଘର ସ୍ୱୟଂସେବକମାନେ ନିରନ୍ତର ଭାବରେ ସମସ୍ତଙ୍କର ସେବା ଓ ରିଲିଫ କାର୍ଯ୍ୟ ଚାଲୁରଖିଥିବା ବେଳେ ଶାନ୍ତି ସ୍ଥାପନା ପାଇଁ ସଜ୍ଜନଶକ୍ତିମାନଙ୍କୁ ଆହ୍ୱାନ କରୁଛନ୍ତି । ସମସ୍ତଙ୍କୁ ଆପଣେଇ,ବୁଝାଇ-ସୁଝାଇ, ସୁରକ୍ଷିତ- ବ୍ୟବସ୍ଥିତ, ସଦ୍ଭାବନା ଯୁକ୍ତ ତଥା ଶାନ୍ତି ପୂର୍ଣ୍ଣ ବାତାବରଣ ରଖିବା ପାଇଁ ସଂଘର ପ୍ରୟାସ ଜାରି ରହିଛି । ଏଭଳି ଏକ ଭୟଙ୍କର ତଥା ଉଦ୍ବିଗ୍ନ କରିଦେବା ଭଳି ପରିସ୍ଥିତିରେ ଥାଇ ମଧ୍ୟ ଆମର ସ୍ୱୟଂସେବକମାନେ ଯେଉଁଭଳି ମୁଣ୍ଡ ଥଣ୍ଡା ରଖି ସମସ୍ତଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁ ।
ଏହି ‘ମନ୍ତ୍ର ବିପ୍ଲବ’ର ଠିକଣା ଜବାବ ସାମାଜିକ ଏକତାରୁ ହିଁ ମିଳିପାରେ । ଯେକୌଣସି ପରିସ୍ଥିତିରେ ସମାଜର ବିବେକକୁ ଜାଗୃତ ରଖିବା ହେଉଛି ଏହି ଏକତାର ଭାବନା । ଏହି ଭାବାତ୍ମକ ଏକତାର ପ୍ରାପ୍ତିକୁ ସମ୍ବିଧାନରେ ମଧ୍ୟ ଏକ ମାର୍ଗଦର୍ଶକ ତତ୍ତ୍ୱ ଭାବରେ ଉଲ୍ଲେଖ କରାଯାଇଛି । ଏହିଭଳି ଏକତାର ଭାବ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ଦେଶରେ ନିଜ ନିଜର ପୃଥକ ଆଧାର ରହିଛି । କେଉଁଠି ଦେଶର ଭାଷା, ସେଠାରେ ବସବାସ କରୁଥିବା ବ୍ୟକ୍ତିଙ୍କର ଏକ ସମାନ ପୂଜା ପଦ୍ଧତି ଓ ବିଶ୍ୱାସ, ସମାନ ବାଣିଜ୍ୟିକ ସ୍ୱାର୍ଥ ଏବଂ ଏକ ସୁଦୃଢ କେନ୍ଦ୍ରୀୟ କ୍ଷମତାର ବନ୍ଧନ ସେହି ଦେଶର ଲୋକମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ । କିନ୍ତୁ ମଣିଷଦ୍ୱାରା ନିର୍ମିତ କୃତ୍ରିମ ଆଧାର ହେଉ ଅଥବା ସମାନ ସ୍ୱାର୍ଥ ସିଦ୍ଧି ଆଧାରରେ ଗଢି ଉଠୁଥିବା ଏକତାର ବନ୍ଧନ ବେଶୀ ଦିନ ରହେନାହିଁ । ଆମ ଦେଶରେ ଏତେ ବିବିଧତା ଭରି ରହିଛି ଯେ, ଲୋକମାନଙ୍କୁ ଏ ଦେଶର ଅସ୍ତିତ୍ୱ ସଂପର୍କରେ ବୁଝାଇବା ପାଇଁ ଅନେକ ସମୟ ଲାଗିଥାଏ । କିନ୍ତୁ ଏକ ରାଷ୍ଟ୍ର, ଏକ ସମାଜ ଭାବରେ ଆମର ଏହି ଦେଶ ବିଶ୍ୱ ଇତିହାସର ସମସ୍ତ ଉତ୍ଥାନ ପତନକୁ ଅତିକ୍ରମ କରି ଆଜି ମଧ୍ୟ ନିଜ ପୁରାତନ ପରମ୍ପରା ସହିତ ଅବିଚ୍ଛିନ୍ନ ସଂପର୍କ ବଜାୟ ରଖି ଜୀବନ୍ତ ହୋଇ ରହିଛି ।
‘ୟୁନାନ୍ ମିଶ୍ର ରୋମା ସବ୍ ମିଟ ଗୟେ ଜହାଁ ସେ, ଅବତକ ମଗର ହେ ବାକି ନାମୋ ନିଶାଁ ହମାରା
କୁଛ ବାତ ହୈ କି ହସ୍ତି ମିଟତି ନେହିଁ ହମାରୀ, ସଦିେିାଁ ରହା ହୈ ଦୁଶମନ ଦୌରେ ଜହାଁ ହମାରା’
ଆମେ ଏପରି ଏକ ଏକତାସମ୍ପନ୍ନ ପରମ୍ପରାର ଉତ୍ତରାଧିକାରୀ, ଯାହା ଦେଖି ଭାରତ ବାହାରେ ଥିବା ଲୋକେ ଚକିତ ହୋଇଯାଆନ୍ତି ଓ ତାଙ୍କ ମନ ଭାରତ ପ୍ରତି ଆକର୍ଷିତ ହୁଏ । ଏହାର ରହସ୍ୟ କଣ ହୋଇପାରେ? ନିଃସନ୍ଦେହ ଏହା ହେଉଛି ଆମର ସର୍ବସମାବେଶୀ ସଂସ୍କୃତି । ଏହା ହେଉଛି ପୂଜା,ପରମ୍ପରା, ଭାଷା, ପ୍ରାନ୍ତ, ଜାତି ଇତ୍ୟାଦି ବିଭେଦରୁ ଉପରକୁ ଉଠି, ନିଜ କୁଟୁମ୍ବରୁ ସଂପୂର୍ଣ୍ଣ ବିଶ୍ୱ କୁଟୁମ୍ବ ଯାଏଁ ଆତ୍ମୀୟତାର ବିସ୍ତାର ଦେଉଥିବା ଆମର ଆଚରଣ ଏବଂ ଜୀବନ ଜିଇଁବାର ପଦ୍ଧତି । ଆମର ପୂର୍ବପୁରୁଷମାନେ ଅସ୍ତିତ୍ୱର ଏକତାର ସତ୍ୟତାକୁ ଅନୁଭବ କରିଥିଲେ । ଯାହା ଫଳ ସ୍ୱରୂପ ଶରୀର, ମନ, ବୁଦ୍ଧିିକୁ ଏକସଙ୍ଗେ ଉନ୍ନତ କରି ଏହି ତିନୋଟିକୁ ସୁଖ ଦେଉଥିବା, ଅର୍ଥ, କାମ ସହିତ ମୋକ୍ଷ ଆଡକୁ ଅଗ୍ରସର କରାଉଥିବା ଧର୍ମତତ୍ତ୍ୱ ବିଷୟରେ ଅବଗତ ହେଲେ । ଏହାକୁ ହୃଦୟଙ୍ଗମ କରି ସେମାନେ ଧର୍ମତତ୍ତ୍ୱର ଚାରୋଟି ଶାଶ୍ୱତ ମୂଲ୍ୟ ଗୁଡିକୁ (ସତ୍ୟ, କରୁଣା, ଶୁଚିତା ଓ ତପସ) ଆଚରଣରେ ଅଙ୍ଗୀକାର କରିବାର ସଂସ୍କୃତି ବିକଶିତ କଲେ । ଚତୁର୍ଦ୍ଦିଗରୁ ସୁରକ୍ଷିତ ତଥା ସମୃଦ୍ଧ ଆମ ମାତୃଭୂମିର ଅନ୍ନ, ଜଳ, ବାୟୁ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ସେଥିପାଇଁ ଆମ ଭାରତ ଭୂମିକୁ ଆମେ ସଂସ୍କାରର ଅଧିଷ୍ଠାତ୍ରୀ ମାତା ମାନିନେଇ ତାଙ୍କୁ ଭକ୍ତି କରୁଛୁ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଏଇ ନିକଟରେ ସ୍ୱତନ୍ତ୍ରତା ସଂଗ୍ରାମରେ ଭାଗ ନେଇଥିବା ମହାପୁରୁଷମାନଙ୍କୁ ଆମେ ସ୍ମରଣ କରିଛୁ । ଧର୍ମ, ସଂସ୍କୃତି, ସମାଜ ଓ ଦେଶର ସୁରକ୍ଷା ନିମନ୍ତେ ସମୟ ସମୟରେ ଆବଶ୍ୟକ ହେଉଥିବା ସଂସ୍କାର, ବୈଭବର ସମ୍ବର୍ଦ୍ଧନ ଯେଉଁ ମହାପୁରୁଷମାନଙ୍କ କାରଣରୁ ହୋଇଥିଲା, ଆମର ସତ୍କୃତି ସମ୍ପନ୍ନ ସେହି ପୂର୍ବପୁରୁଷମାନେ, ଆମ ସମସ୍ତଙ୍କ ନିମନ୍ତେ ଗୌରବର ଅଧିକାରୀ ତଥା ଅନୁକରଣୀୟ ଅଟନ୍ତି । ଆମ ଦେଶରେ ପ୍ରଚଳିତ ଥିବା ସମସ୍ତ ଭାଷା, ପ୍ରାନ୍ତ, ପନ୍ଥ, ସଂପ୍ରଦାୟ, ଜାତି, ଉପଜାତି ଇତ୍ୟାଦି ବିିବିଧତାକୁ ଏକ ସୂତ୍ରରେ ବାନ୍ଧି ରଖି ଏକ ରାଷ୍ଟ୍ର ରୂପରେ ଏହାକୁ ପ୍ରସିଦ୍ଧ କରାଇବା ଭଳି ତିନୋଟି ତତ୍ତ୍ୱ (ମାତୃଭୂମିର ଭକ୍ତି, ପୂର୍ବପୁରୁଷଙ୍କ ଗୌରବ ଓ ସମସ୍ତଙ୍କର ସମାନ ସଂସ୍କୃତି) ଆମ ଏକତାର ଅକ୍ଷୁଣ୍ଣ ସୂତ୍ର ଅଟେ ।
ସମାଜର ସ୍ଥାୟୀ ଏକତା ଆତ୍ମୀୟତାରୁ ହିଁ ସୃଷ୍ଟି ହୋଇଥାଏ, ସ୍ୱାର୍ଥ ଭାବନା ଦ୍ୱାରା ନୁହେଁ । ଆମର ସମାଜ ବହୁତ ବିଶାଳ, ବହୁ ବିବିଧତାରେ ପରିପୂର୍ଣ୍ଣ । କାଳକ୍ରମେ କିଛି ବିଦେଶୀ ଆକ୍ରାମକ ପରମ୍ପରା ମଧ୍ୟ ଆମ ଦେଶରେ ପ୍ରବେଶ କରିଯାଇଥିଲା । ତଥାପି ଆମ ସମାଜ ଉପରୋକ୍ତ ଏହି ତିନି ନୀତି ଆଧାରରେ ଏକ ସମାଜ ଭାବେ ତିଷ୍ଠି ରହିଛି । ଏଥିପାଇଁ ଆମେ ଯେତେବେଳେ ଏକତା ବିଷୟରେ ଚର୍ଚ୍ଚା କରୁ ସେତେବେଳେ ଧ୍ୟାନ ଦେଉ ଯେ, ଏହି ଏକତା କୌଣସି ନେବା-ଦେବା କାରଣରୁ ସୃଷ୍ଟି ହୋଇ ପାରିବ ନାହିଁ । ଯଦି ଯୋର ଜବରଦସ୍ତ ସୃଷ୍ଟି କରାଯାଏ ତାହାହେଲେ ଏହା ବାରମ୍ବାର ବିଗିଡିଯିବ । ଆଜିର ପରିସ୍ଥିତିରେ ସମାଜ ମଧ୍ୟରେ କଳହ ସୃଷ୍ଟି କରିବାର ବିଭିନ୍ନ ପ୍ରୟାସ ଦେଖି ଅନେକ ଲୋକ ସ୍ୱାଭାବିକ ଭାବରେ ଚିନ୍ତିତି । ନିଜକୁ ହିନ୍ଦୁ କହୁଥିବା ସଜ୍ଜନ ମାନେ ମଧ୍ୟ ଆମ ସହ ସାକ୍ଷାତ କରୁଛନ୍ତି, ଯେଉଁମାନଙ୍କୁ ସେମାନଙ୍କ ଉପାସନା କାରଣରୁ ମୁସଲମାନ, ଖ୍ରୀଷ୍ଟିଆନ୍ କହିଥାଉ ସେମାନେ ମଧ୍ୟ ସାକ୍ଷାତ କରୁଛନ୍ତି । ସେମାନଙ୍କର ବିଚାର ହେଲା ଦଙ୍ଗାଗୋଳ ଛାଡି ସହମତି ଭାଇଚାରା ଓ ଶାନ୍ତି ମାର୍ଗ ଆପଣେଇବା ହିଁ ଶ୍ରେଷ୍ଠତା ଅଟେ । ଏହି ଆଲୋଚନାରେ ଧ୍ୟାନ ଦେବା ଭଳି ପ୍ରଥମ କଥା ହେଲା, ସଂଯୋଗ କ୍ରମେ ଆମେ ଏକ ଭୂଖଣ୍ଡରେ ସମସ୍ତେ ଏକାଠି ରହୁଛନ୍ତି, ଏହାର ଅର୍ଥ ନୁହେଁ ଯେ ଏଥିରେ ବିଭିନ୍ନ ସମ୍ପ୍ରଦାୟଗୁଡିକ ଏକ ହୋଇଯିବେ । ଆମେ ସମସ୍ତେ ସମାନ ପୂର୍ବ ପୁରୁଷଙ୍କର ବଂଶଜ, ଏକ ମାତୃଭୂମିର ସନ୍ତାନ, ଏକ ସଂସ୍କୃତିର ଉତ୍ତରାଧିକାରୀ ହୋଇ ମଧ୍ୟ ପରସ୍ପର ଏକତାକୁ ଭୁଲିଗଲେ । ଏହି ମୁଳ ଏକତ୍ୱକୁ ବୁଝି ଏହାର ଆଧାରରେ ପୁଣି ଆମକୁ ଏକାଠି ହେବାର ଅଛି ।
ଆମ ନିଜ ନିଜ ଭିତରେ କଣ ସମସ୍ୟା ନାହିଁ ? ନିଜ ବିକାଶ ପାଇଁ କଣ ଆମର କିଛି ଆବଶ୍ୟକତା, ଅପେକ୍ଷା ନାହିଁ ? ବିକାଶ ପାଇଁ କଣ ଆମ ମଧ୍ୟରେ ପ୍ରତିଯୋଗିତା ଚାଲୁନି ? ଆମମାନଙ୍କ ଭିତରେ କଣ ସମସ୍ତେ ମନ, ବଚନ, କର୍ମ ଏହି ଏକାତ୍ମତାର ସୂତ୍ରକୁ ମାନି ବ୍ୟବହାର କରୁଛନ୍ତି ? ସମସ୍ତେ ଜାଣିଛନ୍ତି ଯେ ସମସ୍ତଙ୍କ କ୍ଷେତ୍ରରେ ଏଭଳି ହୁଏ ନାହିଁ । କିନ୍ତୁ ଏଭଳି ହେଉ ଏହି ଇଛା ରଖୁଥିବା ଲୋକଙ୍କୁ ଏମିତି କହି ଦେଲେ ଚଳିବ ନାହିଁ ଯେ, ପ୍ରଥମେ ସମସ୍ୟାଗୁଡିକ ସମାପ୍ତ ହେଉ,ପ୍ରଶ୍ନ ଗୁଡିକର ସମାଧାନ ହେଉ, ତାପରେ ଆମେ ଏକତାର କଥା ପାଇଁ ଧ୍ୟାନ ଦେବା । ଆମ ସମସ୍ତଙ୍କୁ ଏହା ବୁଝିନେବାକୁ ହେବ ଯେ ଆମେ ଆତ୍ମୀୟତାପୂର୍ଣ୍ଣ ଦୃଷ୍ଟି ଭଙ୍ଗୀକୁ ଆପଣେଇ ନେଇ ତଦନୁସାରେ ବ୍ୟବହାର ଆରମ୍ଭ କଲେ ଯାଇ ସମସ୍ୟା ଗୁଡିକର ସମାଧାନର ବାଟ ବାହାରିବ । ଏଠି ସେଠି ଘଟୁଥିବା କିଛି ଘଟଣା ଗୁଡିକରେ ବିଚଳିତ ନହୋଇ ଶାନ୍ତି ତଥା ସଂଯମ ପୂର୍ବକ କାମ କରିବାକୁ ପଡିବ । ବାସ୍ତବରେ ସମସ୍ୟା ରହିଛି, କିନ୍ତୁ ଏହା କେବଳ ଜାତି, ବର୍ଗରେ ସୀମିତ ହୋଇ ରହିନାହିଁ । ଏସବୁର ସମାଧାନର ପ୍ରଚେଷ୍ଟା କରିବା ସହିତ ଆତ୍ମୀୟତା ଓ ଏକତାର ମାନସିକତା ମଧ୍ୟ ନିର୍ମାଣ କରିବାକୁ ପଡିବ । ନିଜକୁ ପୀଡିତ ଦର୍ଶାଇବାର ମାନସିକତା, ଜଣେ ଅନ୍ୟ ଜଣଙ୍କୁ ଅବିଶ୍ୱାସ ଦୃଷ୍ଟିରେ ଦେଖିବା ଏବଂ ରାଜନୈତିକ ଲାଭ ପାଇଁ ହେଉଥିବା କପଟପୂର୍ଣ୍ଣ ଆଚରଣ ଠାରୁ ଦୁରେଇ ରହି ଚାଲିବାକୁ ହେବ । ରାଜନୀତି ହିଁ ଏହିସବୁ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏହାର ଶରଣାପନ୍ନ ହେବା ଅଥବା ବାଧ୍ୟବାଧକତା କରିବା ଭଳି କଥା ନୁହେଁ କିମ୍ବା ଯୁଦ୍ଧରେ ଲିପ୍ତ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ବିରତିର କଥା ବି ନୁହେଁ । ସମସ୍ତ ବିବିଧତା ସତ୍ୱେ ଭାରତରେ ପରସ୍ପର ଏକତାର ଯେଉଁ ସୂତ୍ର ବିଦ୍ୟମାନ ତାହା ହେଲା ଏକତ୍ୱର ସ୍ୱର । ଆମ ସ୍ୱାଧୀନ ଭାରତର ସମ୍ବିଧାନକୁ ମଧ୍ୟ ୭୫ତମ ବର୍ଷ ଚାଲିିଛି । ଏହି ସମ୍ବିଧାନ ଆମର ମାର୍ଗ ଦର୍ଶନ କରୁଛି । ପୂଜ୍ୟ ଡ. ବାବା ସାହେବ ଆମ୍ବେଦକରଜୀଙ୍କ ଦ୍ୱାରା ସମ୍ବିଧାନ ପ୍ରଦାନ କରିବା ସମୟରେ ସମ୍ବିଧାନ ସଭାରେ ଯେଉଁ ଦୁଇଟି ଭାଷଣ ଦିଆଯାଇଥିଲା ଯଦି ଆମେ ତାହାକୁ ଧ୍ୟାନ ପୂର୍ବକ ଶୁଣିବା ତେବେ ଯାଇ ତାହାର ସାରତତ୍ତ୍ୱ ବୁଝିପାରିବା ।
ଏହା ହଠାତ୍ ହୋଇଗଲା ଭଳି କାର୍ଯ୍ୟନୁହଁ । ପୁରୁଣା ସଂଘର୍ଷର କଟୁ ଅନୁଭବ ସମ୍ପନ୍ନ ସ୍ମୃତିମାନ ଏବେ ମଧ୍ୟ ସାମୂହିକ ମନରେ ବିଦ୍ୟମାନ । ବିଭାଜନର ଦାରୁଣ ବିଭିଷିକା ଜନିତ ଯନ୍ତ୍ରଣାର କ୍ଷତ ବହୁତ ଗଭୀର । ତାହାର କ୍ରିୟା ପ୍ରତିକ୍ରିୟା ଯୋଗୁଁ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହେଉଛି ତାହା କଥା ଓ ଆଚରଣରେ ପ୍ରକଟିତ ହେଉଛି । ଜଣେ ଅନ୍ୟ ଜଣଙ୍କ ବସ୍ତିରେ ଘର ପାଇବାରେ ସକ୍ଷମ ନହେବା ତଥା ପରସ୍ପର ପ୍ରତି ଉଚ୍ଚନୀଚ୍ଚ ଭାବ ରଖିବା, ତିରସ୍କାର ପୂର୍ଣ୍ଣ ବ୍ୟବହାର ଭଳି ଅନେକ ତିକ୍ତ ଅନୁଭବ ରହିଛି । ହିଂସା, ଦଙ୍ଗା, ନିର୍ଯ୍ୟାତନା ଇତ୍ୟାଦି ଘଟଣା ପାଇଁ ପରସ୍ପରକୁ ଦାୟୀ କରିବାର ପ୍ରସଙ୍ଗ ମଧ୍ୟ ଅଛି । କିଛିଲୋକଙ୍କର କାର୍ଯ୍ୟ ସମଗ୍ର ସମାଜର କାର୍ଯ୍ୟ ବୋଲି ବିବେଚନା କରି ବାଣୀ ଓ ବିଚାର ଦ୍ୱାରା ଏହା ଲୋକଙ୍କ ମନରେ ଭରି ଦିଆଯାଉଛି । ଆହ୍ୱାନ, ପ୍ରତି ଆହ୍ୱାନ ଦିଆଯାଉଛି, ଯାହା ଉତ୍ତେଜନା ସୃଷ୍ଟି କରିଥାଏ ।
ଦେଶ ବିଭାଜନକାରୀ ଶକ୍ତିମାନେ ଆମକୁ ନିଜ ନିଜ ଭିତରେ ଲଢେଇ ପୂର୍ଣ୍ଣ ଫାଇଦା ଉଠାଇଥାନ୍ତି । ଗୋଟେ ଛୋଟ ଘଟଣାକୁ ଦେଖୁ ଦେଖୁ ବଡ ରୂପ ଦେଇ ପ୍ରଚାର କରାଯାଇଥାଏ । ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ଭଳି ତଥା ଚେତାବନୀ ଦେବା ଭଳି ବକ୍ତବ୍ୟମାନ ଦେଶ ବିଦେଶରେ ପ୍ରଦାନ କରାଯାଏ । ହିଂସା ସୃଷ୍ଟି କରୁଥିବା ‘ଟୁଲକିଟ୍ସ’ ସକ୍ରିୟ ହୋଇଯାଇ ପରସ୍ପର ମଧ୍ୟରେ ଅବିଶ୍ୱାସ ଓ ଘୃଣାର ବାତାବରଣ ବୃଦ୍ଧି କରିଥାନ୍ତି । ସମାଜରେ ସମନ୍ୱୟ ଚାହୁଁଥିବା ସମସ୍ତଙ୍କୁ ଏହିଭଳି ମାରାତ୍ମକ ଖେଳର ମାୟାରୁ ବଂଚିବାକୁ ପଡିବ । ଏହିସବୁ ସମସ୍ୟାର ସମାଧାନ ଧିରେ ଧିରେ ବାହାରିବ । ଏଥିପାଇଁ ପୂର୍ବସର୍ତ୍ତଟି ହେଲା ଦେଶରେ ବିଶ୍ୱାସ ତଥା ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟିକରିବା । ମନକୁ ସ୍ଥିର ରଖି ବିଶ୍ୱାସର ସହିତ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରିବା, ପରସ୍ପରକୁ ବୁଝିବା, ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନ ସୃଷ୍ଟି କରିବା, ଆମକୁ ସମସ୍ତଙ୍କ ମଧ୍ୟରେ ମିଳାମିଶା ବୃଦ୍ଧିକରିବା ଭଳି ମନ-ବଚନ-କର୍ମକୁ ନେଇ ଚାଲିବାକୁ ହେବ । ପ୍ରଚାର କିମ୍ବା ଅନୁମାନପୂର୍ବକ ନୁହେଁ ବରଂ ଯଥାସ୍ଥିତିକୁ ନେଇ ଚାଲିବାକୁ ହେବ । ଧୈର୍ଯ୍ୟ ପୂର୍ବକ ସଂଯମ ଓ ସହନଶୀଳତାର ସହିତ ନିଜ ବାଣୀ ଓ କାର୍ଯ୍ୟରେ ଅହଂକାର, କ୍ରୋଧ ତଥା ଭୟକୁ ତ୍ୟାଗକରି ଦୃଢତାପୂର୍ବକ, ସଂକଳ୍ପବଦ୍ଧ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସତତ ପ୍ରଚେଷ୍ଟା କରିବା ଅନିବାର୍ଯ୍ୟ । ତେବେ ଯାଇ ଶୁଦ୍ଧ ମନରେ କରାଯାଇଥିବା ସତ୍ୟ ସଂକଳ୍ପ ପୂର୍ଣ୍ଣ ହୋଇପାରିବ ।
ଯିିଏ ଯେତେ ଉନ୍ମାଦିତ କରୁ ପଛକେ ଆଇନ ଶୃଙ୍ଖଳା, ନାଗରିକ ଶୃଙ୍ଖଳା ତଥା ସମ୍ବିଧାନର ଅନୁପାଳନ କରିବା ପ୍ରତ୍ୟେକ ପରିସ୍ଥିତିରେ ଅନିବାର୍ଯ୍ୟ ଅଟେ । ଏକ ସ୍ୱାଧୀନ ଦେଶରେ ଏଭଳି ଆଚରଣକୁ ଦେଶ ପ୍ରେମର ଏକ ଅଭିବ୍ୟକ୍ତି ବୋଲି ବିବେଚନା କରାଯାଏ । ଗଣମାଧ୍ୟମକୁ ବ୍ୟବହାର କରି ଉତ୍ତେଜନା ସୃଷ୍ଟି କରୁଥିବା ଭାଷଣର ଅପପ୍ରଚାର, ସେଥିରୁ ସୃଷ୍ଟ ଆରୋପ ଓ ପ୍ରତ୍ୟାରୋପର ପ୍ରତିଯୋଗିତାରେ ସାମିଲ ହେବା ଉଚିତ ନୁହେଁ, ସମାଜରେ ସତ୍ୟ ଓ ଆତ୍ମୀୟତାର ପ୍ରସାର କରିବା ପାଇଁ ଗଣମାଧ୍ୟମର ଉପଯୋଗ ହେଉ । ହିଂସା ଓ ଗୁଣ୍ଡାଗର୍ଦ୍ଦିର ସଠିକ୍ ସମାଧାନ ହେଲା ସଂଗଠିତ ଶକ୍ତି ସଂପନ୍ନ ସମାଜ ଦ୍ୱାରା ଆଇନଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଶାସନ ପ୍ରଶାସନକୁ ଉପଯୁକ୍ତ ସମର୍ଥନ ଦେବା । ଆଗାମୀ ୨୦୨୪ ମସିହାର ପ୍ରାରମ୍ଭିକ କାଳରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଭାବ ପ୍ରବଣତା ସୃଷ୍ଟିକରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟ ହାତେଇବାର ପ୍ରୟାସ ଉଚିତ ନୁହେଁ, କିନ୍ତୁ ଏପରି ହିଁ ହେଉଛି । ସମାଜକୁ ବିଭାଜନ କରୁଥିବା ଏସବୁ ପ୍ରଚେଷ୍ଟାରୁ ଆମକୁ ଦୁରେଇ ରହିବାକୁ ପଡିବ । ମତଦାନ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଅଟେ । ଏହା ପାଳନ କରିବା ଜରୁରୀ । ଦେଶର ଏକତା, ଅଖଣ୍ଡତା, ଅସ୍ମିତା ଏବଂ ବିକାଶ ପ୍ରସଙ୍ଗକୁ ବିଚାର କରି ଭୋଟଦେବା ଉଚିତ ।
୨୦୨୫ରୁ ୨୦୨୬ ବର୍ଷ ହେଉଛି ସଂଘର ୧୦୦ ବର୍ଷ ପୂରଣ ହେବାର ପରବର୍ଷ । ଉପରୋକ୍ତ ସମସ୍ତ କାର୍ଯ୍ୟରେ ସଂଘର ସ୍ୱୟଂସେବକ ନିଷ୍ଠାର ସହିତ ଆଗକୁ ବଢିବେ । ସାମାଜିକ ଆଚରଣ-ଉଚ୍ଚାରଣରେ ସଂପୂର୍ଣ୍ଣ ସମାଜ ତଥା ଦେଶ ପାଇଁ ଆତ୍ମୀୟତାର ଭାବନା ସୃଷ୍ଟି ହେଉ । ମନ୍ଦିର, ଶ୍ମଶାନ, ନିଆଁପାଣିରେ ମଧ୍ୟ କୌଣସି ଭେଦଭାବ ନରହୁ । ପରିବାରର ସମସ୍ତ ସଦସ୍ୟମାନଙ୍କ ଭିତରେ ପ୍ରତିଦିନ ମଙ୍ଗଳମୟ କଥାବାର୍ତ୍ତା, ସଂସ୍କାରିତ ବ୍ୟବହାର ଓ ସମ୍ବେଦନଶୀଳତା ରହିଥାଉ ଏବଂ ଏହା ବଢୁଥାଉ ତଥା ସେମାନଙ୍କ ଦ୍ୱାରା ସମାଜରେ ମଧ୍ୟ ସେବା କାର୍ଯ୍ୟ ଚାଲୁରହୁ । ପ୍ରକୃତି ସହିତ ନିଜ ସମ୍ବନ୍ଧର ପରିପ୍ରକାଶ ନିଜ ଘରେ ପାଣି ବଂଚାଇ, ପାଷ୍ଟିକ ହଟାଇ ତଥା ଘର ଅଗଣା ଏବଂ ପାଖାପାଖି ଅଂଚଳରେ ସବୁଜିମା ସୃଷ୍ଟି କରି ତିଆରି ହେଉ । ସ୍ୱଦେଶୀ ଆଚରଣରେ ‘ସ୍ୱ’ ନିର୍ଭରତା ଓ ସ୍ୱାବଲମ୍ବନ ବଢୁ , ବଦଖର୍ଚ୍ଚ ବନ୍ଦ ହେଉ । ଦେଶରେ ରୋଜଗାର ବଢୁ ତଥା ଦେଶର ପଇସା ଦେଶ କାମରେ ଆସୁ । ସେଥିପାଇଁ ସ୍ୱଦେଶୀର ବ୍ୟବହାର ପ୍ରଥମେ ନିଜ ଘରୁ ଆରମ୍ଭ ହେବା ଉଚିତ । ଆଇନ ବ୍ୟବସ୍ଥା ଓ ନାଗରିକ କର୍ତ୍ତବ୍ୟର ପାଳନ ହେଉ ତଥା ସମାଜରେ ପରସ୍ପର ପ୍ରତି ସଦ୍ଭାବ ଓ ସହଯୋଗର ପ୍ରବୃତ୍ତି ବ୍ୟାପକ ହେଉ । ସମସ୍ତେ ଚାହାଁନ୍ତି ଏହି ପାଂଚଟି କଥା ପ୍ରତ୍ୟେକଙ୍କ ବ୍ୟବହାରରେ ପ୍ରକଟିତ ହେଉ । ହେଲେ ଛୋଟ ଛୋଟ କଥାରୁ ଆରମ୍ଭ କରି ନିରନ୍ତର ଅଭ୍ୟାସ ଦ୍ୱାରା ଏହି ଆଚରଣ ଗୁଡିକୁ ସ୍ୱଭାବରେ ପରିଣତ କରିବା ନିମନ୍ତେ ଲଗାତାର ପ୍ରୟାସ କରିବା ଜରୁରୀ । ସଂଘର ସ୍ୱୟଂସେବକ ଆଗାମୀ ଦିନମାନଙ୍କରେ ସମାଜର ଅଭାବଗ୍ରସ୍ତ ବନ୍ଧୁମାନଙ୍କର ସେବା କରିବା ସହିତ, ନିଜେ ଏହି ପାଂଚ ପ୍ରକାର ସାମାଜିକ ବ୍ୟବସ୍ଥାକୁ ବ୍ୟବହାର କରି ସମାଜକୁ ବି ଏଥିରେ ସହଭାଗୀ ଏବଂ ସହଯୋଗୀ କରିବା ପାଇଁ ଚେଷ୍ଟା କରିବେ । ସମାଜର ଉନ୍ନତି ନିମନ୍ତେ ଶାସନ, ପ୍ରଶାସନ ତଥା ସମାଜର ସଜ୍ଜନଶକ୍ତି ଯାହା କିଛି ପ୍ରୟାସ କରୁଛନ୍ତି, ଅଥବା କରିବାକୁ ଚାହୁଁଛନ୍ତି ସେଥିରେ ସଂଘ ସ୍ୱୟଂସେବକଙ୍କର ନିତ୍ୟ ନୈମିତ୍ତିକ ଯୋଗଦାନ ରହିବ ।
ସମାଜର ଏକତା, ଜାଗରୁକତା ଏବଂ ସର୍ବବିଧ ନିଃସ୍ୱାର୍ଥ ଉଦ୍ୟମ, ଜନହିତକାରୀ ଶାସନ, ଲୋକାଭିମୁଖି ପ୍ରଶାସନ, ଯଦି ‘ସ୍ୱ’ର ଅଧିଷ୍ଠାନରେ ଛିଡା ହୋଇ ପରସ୍ପର ସହଯୋଗ ପୂର୍ବକ ପ୍ରୟାସରତ ରୁହନ୍ତି, ତେବେ ଯାଇ ରାଷ୍ଟ୍ର ଶକ୍ତି ଓ ବୈଭବ ସମ୍ପନ୍ନ ହୋଇଥାଏ । ଶକ୍ତି ଏବଂ ବୈଭବ ସମ୍ପନ୍ନ ରାଷ୍ଟ୍ର ନିକଟରେ ଯେବେ ସମସ୍ତଙ୍କୁ ନିଜ ପରିବାରର ସଦସ୍ୟ ଭାବିବା, ଅନ୍ଧାରରୁ ପ୍ରକାଶ ଆଡକୁ ନେଇ ଯାଉଥିବା, ଅସତ୍ୟରୁ ସତ୍ୟ ଆଡକୁ ମାର୍ଗ ଦର୍ଶନ କରୁଥିବା ତଥା ମର୍ତ୍ତ୍ୟ ଜୀବନରୁ ଅମୃତ ଜୀବନର ସାର୍ଥକତା ଆଡକୁ ବାଟ ଦେଖାଉଥିବା ଆମର ସନାତନ ସଂସ୍କୃତି ଭଳି ସଂସ୍କୃତି ରହିଥାଏ ତେବେ ଯାଇ ସେ ରାଷ୍ଟ୍ର, ବିଶ୍ୱରେ ହଜିଯାଇଥିବା ପୂର୍ବ ସନ୍ତୁଳନକୁ ଫେରାଇ ଆଣି ସମଗ୍ର ବିଶ୍ୱକୁ ସୁଖଶାନ୍ତିମୟ ନବଜୀବନର ବରଦାନ ପ୍ରଦାନ କରିଥାଏ । ବର୍ତ୍ତମାନ ସମୟରେ ଆମ ଅମର ରାଷ୍ଟ୍ରର ନବୋତ୍ଥାନର ଏହା ହିଁ ପ୍ରୟୋଜନ ।
“ଚକ୍ରବର୍ତ୍ତିୟୋଁ କୀ ସନ୍ତାନ, ଲେ କର ଜଗଦ୍ଗୁରୁ କା ଜ୍ଞାନ,
ବଢେ ଚଲେ ତୋ ଅରୁଣ ବିହାନ, କରନେ କୋ ଆଏ ଅଭିଷେକ,
ପ୍ରଶ୍ନ ବହୁତ ସେ ଉତ୍ତର ଏକ”
“ ଭାରତ ମାତା କୀ ଜୟ”