Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାରସ୍ପରିକ ସମନ୍ୱୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରାଯାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାରସ୍ପରିକ ସମନ୍ୱୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରାଯାଉ


ଭୁବନେଶ୍ୱର,୧୭/୭: କୋଏମ୍ବାଟୁର ନିକଟସ୍ଥ ଓଟି ଠାରେ ଆୟୋଜିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ ସାମାଜିକ ଦାୟିତ୍ୱ ଅନୁଯାୟୀ ସଂଘ ଶାଖାଗୁଡିକ ଅଧିକ ସକ୍ରିୟ କରିବା ପାଇଁ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ସଂଘର ଏହି ବୈଠକ ଚଳିତ ବର୍ଷ ୧୩,୧୪ ଓ ୧୫ ଜୁଲାଇ ୨୦୨୩ରେ କୋଏମ୍ବାଟୁର ନିକଟ ଓଟି (ନୀଳଗିରି) ତାମିଲନାଡୁ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ମଣିପୁରର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରାଯାଇଥିଲା । ମଣିପୁରରେ ସଂଘର ସ୍ୱୟଂସେବକ ସମାଜର ପ୍ରବୁଦ୍ଧ ଲୋକଙ୍କ ସହ ମିଶି ଶାନ୍ତି ଏବଂ ପାରସ୍ପରିକ ବିଶ୍ୱାସର ବାତାବରଣ ସୃଷ୍ଟି କରିବା ଏବଂ ଦୁଃଖୀ ଭାଇମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ଏହି ବୈଠକରେ ସଂଘ ସ୍ୱୟଂସେବକମାନଙ୍କ ଦ୍ୱାରା ପୀଡିତ ଲୋକମାନଙ୍କ ନିମନ୍ତେ ଚାଲିଥିବା ସହାୟତା କାର୍ଯ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ବିଚାର କରାଯାଇଥିଲା । ପାରସ୍ପରିକ ସମନ୍ୱୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ସମାଜର ସମସ୍ତ ବର୍ଗକୁ ଅନୁରୋଧ କରାଯାଇଥିଲା । ଏହା ସହିତ ସ୍ଥାୟୀ ଶାନ୍ତି ଏବଂ ପୁନର୍ବାସ ପାଇଁ ସମସ୍ତ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଏକ ଆବେଦନ କରାଯାଇଥିଲା ।
ଏହି ବୈଠକରେ ହିମାଚଳର ମଂଡି, କୁଲ୍ଲୁ ଆଦି ଜିଲ୍ଲା, ଉତରାଖଣ୍ଡ ଏବଂ ଦିଲ୍ଲୀରେ ସାମ୍ରତିକ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସଂଘ ଦ୍ୱାରା କରାଯାଉଥିବା ସେବାକାର୍ଯ୍ୟର ସମୀକ୍ଷା କରାଯାଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଅତୀତରେ ଘଟିଥିବା ଅନ୍ୟ ବିପର୍ଯ୍ୟୟରେ କରାଯାଇଥିବା କାର୍ଯ୍ୟ ବିଷୟରେ ବିଭିନ୍ନ ପ୍ରଦେଶ ଦ୍ୱାରା ସମସ୍ତଙ୍କୁ ଅବଗତ କରାଯାଇଥିଲା ।
ସଂଘ ଶାଖାଗୁଡିକର ସାମାଜିକ ଦାୟିତ୍ୱ ଅନୁଯାୟୀ ଅନେକ ସାମାଜିକ ଏବଂ ସେବାକାର୍ଯ୍ୟ ସମୟ ସମୟରେ ସେମାନଙ୍କ ଆଖପାଖ ଅଂଚଳର ଆବଶ୍ୟକତା ଅନୁଯାୟୀ କରାଯାଇଥାଏ । ବୈଠକରେ ଏହିପରି କାର୍ଯ୍ୟଗୁଡିକର ବିବରଣୀ ସହିତ ଅନୁଭବ ମଧ୍ୟ ଆଦାନ ପ୍ରଦାନ କରାଯାଇଥିଲା ଏବଂ ସଂଘର ପ୍ରତ୍ୟେକ ଶାଖାକୁ ଏହି ଦିଗରେ ଅଧିକ ସକ୍ରିୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।
ଏହି ବର୍ଷ ୨୦୨୩ରେ ସଂଘର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷ ସମେତ ସମୁଦାୟ ୧୦୫ଟି ସଂଘ ଶିକ୍ଷାବର୍ଗ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୨୧୫୬୬ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଏଥିମଧ୍ୟରୁ ଚାଳିଶ ବର୍ଷରୁ କମ୍ ୧୬୯୦୮ ଶିକ୍ଷାର୍ଥୀ ଏବଂ ଚାଳିଶରୁ ଷାଠିଏ ବର୍ଷ ବୟସର ୪୬୫୮ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ ।
ବୈଠକରେ ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ୩୯୪୫୧ ସ୍ଥାନରେ ସଂଘର ୬୩୭୨୪ ଦୈନିକ ଶାଖା ଏବଂ ଅନ୍ୟ ସ୍ଥାନରେ ୨୩୨୯୯ ସାପ୍ତାହିକ ମିଳନ ଏବଂ ୯୫୪୮ ମାସିକ ମଣ୍ଡଳି ଚାଲୁଅଛି । ଏହି ବୈଠକରେ ସଂଘର ବିଭିନ୍ନ ଗତିବିଧି ସହିତ ଆଗାମୀ ଶତାବ୍ଦୀ ବର୍ଷର କାର୍ଯ୍ୟ ବିସ୍ତାର ଏବଂ ଶତାବ୍ଦୀ ବିସ୍ତାରକ ଯୋଜନା ମଧ୍ୟ ସମୀକ୍ଷା କରାଯାଇଥିଲା ।
ସାଂଗଠନିକ ବିଷୟଗୁଡିକ ଉପରେ ମୁଖ୍ୟତଃ ବୈଠକରେ ଚର୍ଚ୍ଚା ହୋଇଥିଲା । ପ୍ରାନ୍ତ ପ୍ରଚାରକମାନଙ୍କ ସହିତ ସରସଂଘଚାଳକ ଡ. ମୋହନ ଭାଗବତ, ସରକାର୍ଯ୍ୟବାହ ଦତାତ୍ରେୟ ହୋସୱାଲେ, ସମସ୍ତ ସହସରକାର୍ଯ୍ୟବାହ ଏବଂ ଅନ୍ୟ ସମସ୍ତ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଏହା ସହିତ ସଂଘ ପ୍ରେରିତ ବିବିଧ ସଂଗଠନର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

Leave a Reply