Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଶାଳାରୁ ଚୋରି ଅଭିଯୋଗରେ ୭ ଜଣ ଗିରଫ ; ୫ ଗୋରୁ ଓ ପିକ ଅପ୍ ଭ୍ୟାନ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଶାଳାରୁ ଚୋରି ଅଭିଯୋଗରେ ୭ ଜଣ ଗିରଫ ; ୫ ଗୋରୁ ଓ ପିକ ଅପ୍ ଭ୍ୟାନ ଜବତ

କଟକ : ଜଗତପୁର ଥାନା ଅଂଚଳରେ ଥିବା ଏକ ଗୋଶାଳାରୁ ଗୋରୁ ଚୋରି କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଗୋରୁ ଉଦ୍ଧାର କରିବା ସହିତ ଏକ ପିକ ଅପ୍ ଭ୍ୟାନ(ଓଡି୦୫ବିଏଚ୭୭୮୩) ଓ ୨ଟି ଧାରୁଆ ଅସ୍ତ୍ର ଜବତ କରିଛି । ଏହି ଅପରାଧରେ ସାମିଲ ଅଭିଯୋଗରେ ପୋଲିସ ୭ ଜଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେହି ୭ ଜଣ ହେଲେ ଖୋର୍ଦ୍ଦା ଥାନା ମୁକୁନ୍ଦପ୍ରସାଦ ର ଅବଦୁଲ ମନସୁର(୨୫), ସମିର ଖାନ(୧୯), ବସିର ଅଲ୍ଲୀ(୧୯), ବେଗୁନିଆ ଥାନା ବେଗୁନିଆ କୁସପୋଳର ପ୍ରଭାତ ଭୋଇ(୨୭), ବୁଲୁ ନାୟକ(୧୯), ରଣଜିତ ନାୟକ(୧୯) ଓ ସେକ ଓସିମ(୧୯) । ଜଗତପୁର ନୂତନ ଶିଳ୍ପାଂଚଳ ରେ ଥିବା ଅନ୍ନପୂର୍ଣ୍ଣା ଗୋଶାଳାର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ନାହୁ ଗ୍ରାମର ଶ୍ରୀକାନ୍ତ ନାୟକ(୩୭) ଜଗତପୁର ଥାନାରେ ଦେଇଥିବା ଲିଖିତ ଏତଲା ଆଧାରରେ ଗତ ୧୯ ତାରିଖରେ ଆଇପିସିର ୩୯୫ ଦଫାରେ ରୁଜୁ ହୋଇଥିବା ୫୨୦/୨୦୨୩ ନମ୍ବର ମାମଲାର ବିବରଣୀ ଅନୁସାରେ ଗତ ୧୮ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ମିନିଟ ସମୟରେ ଶ୍ରୀ ନାୟକ ସେହି ଗୋଶାଳା ରେ ଶୋଇଥିବା ବେଳେ ୩ ନମ୍ବର ଗୁହାଳରେ ଥିବା ଗୋରୁମାନଙ୍କର ରଡି ଶୁଣିଥିଲେ । ସେହି ଶବ୍ଦ ଶୁଣି ସେ୪ ନିଦରୁ ଉଠି ସେହି ଗୁହାଳ ନିକଟରେ ପହଂଚି ଦେଖିଲେ ଯେ ଗୋଶାଳା ପଛପଟେ ଏକ ମହିନ୍ଦ୍ରା ପିକ ଅପ୍ ଭ୍ୟାନ ଠିଆ ହୋଇ ରହିଛି । ପ୍ରାୟ ୫/୭ ଜଣ ଲୋକ ସେହି ପିକ ଅପ୍ ଭ୍ୟାନରେ ଗୋରୁ ବୋଝେଇ କରୁଛନ୍ତି । ଏହା ଦେଖି ସେ ବଡ ପାଟିରେ ଚିତ୍କାର କରି ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ । ତେବେ ତାଙ୍କ ପାଟି ଶୁଣି ଗୋଶାଳାର ଅନ୍ୟ କର୍ମଚାରୀମାନେ ସେଠାରେ ପହଂଚି ଯିବାରୁ ସେମାନେ ସେଠାରୁ ପଳାଇଯାଇଥିଲେ । ତେବେ କୌଣସି ପ୍ରକାରେ ସେ ଉକ୍ତ ଭ୍ୟାନର ନମ୍ବର ଓଡି୦୫ବିଏଚ୭୭୮୩ ବୋଲି ଜାଣିବାକୁ ପାଇଥିଲେ । ତାପରେ ସେ ଅନ୍ୟ କିଛି ଉପାୟ ନ ପାଇ ୧୯ ତାରିଖରେ ଜଗତପୁର ଥାନାରେ ଦେଇଥିବା ଲିଖିତ ଏତଲା ଆଧାରରେ ଆଇଆଇସି ଆରଏନ ମେହେର ଉପରୋକ୍ତ ମାମଲା ରୁଜୁପୂର୍ବକ ଏସଆଇ ଦିଲୀପ କୁମାର ମହାନ୍ତିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ପୋଲିସ ଉକ୍ତ ଅଂଚଳରେ ଥିବା ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସାକ୍ଷ୍ୟପ୍ରମାଣ ଆଦି ଆଧାରରେ ମାମଲାର ଛାନଭିନ ତଦନ୍ତ କରି ଗୁଜରପୁର ଅଂଚଳରୁ ୨୦ ତାରିଖ ସକାଳେ ଅଭିଯୁକ୍ତ ୭ ଜଣଙ୍କୁ ଗିରଫ କରିଥିଲେ । ତେବେ ସେମାନେ ସମସ୍ତେ ଖୋର୍ଦ୍ଦା ଜିଲ୍ଲାର ବାସିନ୍ଦା ହୋଇଥିଲେ ହେଁ ଗତ ୧ ମାସ ହେଲା ପୀରବଜାର ଅଂଚଳରେ ଏକ ଘର ଭଡା ନେଇ ରହିବା ସହ ଅନ୍ୟାୟଭାବେ ଅର୍ଥ ଉପାର୍ଜନ ନିମନ୍ତେ କଟକର ବିଭିନ୍ନ ଅଂଚଳରୁ ଏମିତି ଗାଈଗୋରୁ ଚୋରି କରୁଥିବାର ପୋଲିସ ତଦନ୍ତରୁ ଜଣାପଡିଛି । ପୋଲିସ ସେହି ଅଭିଯୁକ୍ତମାନଙ୍କୁ ଆଇପିସିର ୪୫୦/୩୯୫ ଦଫାରେ କୋର୍ଟଚାଲାଣ କରିବା ସହ ମାମଲାର ତଦନ୍ତ ଜାରି ରଖିଛି ।

Leave a Reply