Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହର୍ମିଲାନ ବେନ୍ସ ଓ ଅବିନାଶଙ୍କୁ ରୌପ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହର୍ମିଲାନ ବେନ୍ସ ଓ ଅବିନାଶଙ୍କୁ ରୌପ୍ୟ

ହାଙ୍ଗଝୌ: ପାରୁଲ ଚୌଧୁରୀଙ୍କ ପରେ ଦୌଡ଼ ଇଭଣ୍ଟରେ ଡବଲ ପଦକ ଜିତିଛନ୍ତି ଭାରତର ଷ୍ଟାର ଆଥଲେଟ ହର୍ମିଲାନ ବେନ୍ସ ଓ ଅବିନାଶ ସାବଲେ । ଆଜି ହର୍ମିଲାନ ମହିଳା ୮୦୦ ମିଟର ଦୌଡ଼ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ୨୫ ବର୍ଷୀୟ ହର୍ମିଲାନ ଧାର୍ଯ୍ୟ ଦୂରତାକୁ ୨.୦୩.୭୫ ମିନିଟରେ ଅତିକ୍ରମ କରି ଏପରି ସଫଳତା ହାସଲ କରିଛନ୍ତି । ଚଳିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ଭାବେ ହର୍ମିଲାନ ବେନ୍ସ ଦ୍ୱିତୀୟ ପଦକ ଜିତିଛନ୍ତି । ଏହାପୂର୍ବରୁ ୧୫ ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସେ ରୌପ୍ୟ ଜିତିଥିଲେ । ଏବେ ସେ ୮୦୦ ମିଟର ଦୌଡ଼ରେ ମଧ୍ୟ ରୌପ୍ୟ ଜିତିଛନ୍ତି । ଶେଷ ରାଉଣ୍ଡ ଯାଏ ହର୍ମିଲାନ ତୃତୀୟ ସ୍ଥାନରେ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଚାଇନାର ୱାଙ୍ଗଙ୍କୁ ପଛରେ ପକାଇ ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଶ୍ରୀଲଙ୍କାର ଏମ ତରୁଶି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ତାଙ୍କ ଟାଇମିଂ ୨.୦୩.୨୦ ମିନିଟ ଥିଲା । ସେହିପରି ୫୦୦୦ ମିଟର ପୁରୁଷ ଦୌଡ଼ରେ ଭାରତର ଅବିନାଶ ସାବଲେ ରୌପ୍ୟ ପଦକ ଜିତିଛନ୍ତି । ଏହା ଚଳିତ ଏସିଆନ ଗେମ୍ସରେ ତାଙ୍କର ଦ୍ୱିତୀୟ ପଦକ । ଏହାପୂର୍ବରୁ ୩ ହଜାର ମିଟର ଷ୍ଟିପଲଚେଜରେ ଅବିନାଶ ସ୍ୱର୍ଣ୍ଣ ଭେଟି ଦେଇଥିଲେ । ସେ ଷ୍ଟିପଲଚେଜ ପ୍ରତିଯୋଗିତାରେ ଏସିଆନ୍ ଗେମ୍ସ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ସେ ୮ ମିନିଟ୍ ୧୯.୫୦ ସେକେଣ୍ଡରେ ଧାର୍ଯ୍ୟ ଟାର୍ଗେଟ ପୂରଣ କରି ପୂର୍ବର ସବୁ ରେକର୍ଡ ଭାଙ୍ଗିଥିଲେ । ଆଜି କୁସ୍ତିରୁ ଭାରତକୁ ପ୍ରଥମ ବ୍ରୋଞ୍ଜ ମିଳିଛି । ୮୭ କେଜି(ଏକ୍ସରମକ୍ଟ-ଜକ୍ଟଜ୍ଞବଦ୍ଭ) କୁସ୍ତିରେ ଭାରତର ସୁନୀଲ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ କିରିଗିଜିସ୍ତାନର କୁସ୍ତିଯୋଦ୍ଧାଙ୍କୁ ୨-୧ରେ ହରାଇ ଏପରି ସଫଳତା ପାଇଛନ୍ତି । ଅନ୍ୟପକ୍ଷରେ ପୁରୁଷ ଏକକ ସ୍ୱାଶରେ ସୌରଭ ଘୋଷାଲ ଫାଇନାଲରେ ପ୍ରବେଶ କରିଛନ୍ତି । ସେ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ସ୍କ୍ୱାଶରେ ଆଉ ଏକ ପଦକ ପକ୍କା କରିଛନ୍ତି ।

Leave a Reply