୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ରବିବାର ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି । ୧୧ଟି ରାଜ୍ୟ ଦେଇ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଯିବ ।ଏହି ଅବସରରେ ପୁରୀ- ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି । ଭର୍ଚୁଆଲ୍ ମୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି । ଏଯାବତ୍ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି । ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ । ବନ୍ଦେ ଭାରତ ଏକ୍ସପ୍ରେସ୍ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ ।’ ‘ବନ୍ଦେ ଭାରତ ପହଞ୍ଚୁଥିବା ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢୁଛି । ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ରୋଜଗାର ମଧ୍ୟ ବଢୁଛି । ରେଲ୍‌?ୱେ ଗରିବ ଓ ମଧ୍ୟବିତ୍ତଙ୍କ ଭରସାଯୋଗ୍ୟ ସହଯାତ୍ରୀ । ପୂର୍ବ ସରକାର ଏହାକୁ ଧ୍ୟାନ ଦେଇ ନଥିଲେ, ଆମେ କାୟା ବଦଳାଇଲୁ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ପୁରୀ-ରାଉରକେଲା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଯୋଗୁ ପୁରୀ ଓ ରାଉରକେଲା ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ । ଫଳରେ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ବିଶେଷ ଭାବେ ଉପକୃତ ହେବେ । ଏହି ଟ୍ରେନ୍ ଶନିବାରକୁ ଛାଡିଦେଲେ ସପ୍ତାହରେ ବାକି ୬ ଦିନ ଚାଲିବ । ଏହା ପ୍ରତ୍ୟହ ପୁରୀରୁ ସକାଳ ୫ଟାରେ ଛାଡ଼ି ରାଉରକେଲାରେ ୧୨ଟା ୪୫ରେ ପହଞ୍ଚିବ । ପରେ ରାଉରକେଲାରୁ ୨ଟା ୧୦ରୁ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ । ଏହି ସେମି ହାଇସ୍ପିଡ୍ ଅତ୍ୟାଧୁନିକ ଟ୍ରେନ୍ ଚାଲିବା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ୍ ରନ୍ ସରିଛି । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଡ଼ି ହୋଇଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି ।ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ଆରାମ ପାଇଁ ଅଧିକ ଉନ୍ନତ ତଥା ଆରାମଦାୟକ ସୁବିଧା ବିଶେଷତ୍ୱ ରହିଛି । ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଞ୍ଚଳର ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ କରିବ । ଏହି ଟ୍ରେନ୍ ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ ।

Leave a Reply

Your email address will not be published. Required fields are marked *