ଜାତିସଂଘରେ ବାଇଡେନ୍ ୟୁକ୍ରେନ୍ ଯୁଦ୍ଧ ଉପରେ କହିଲା ବେଳେ ‘ଫୋନ୍‌’ରେ ଖେଳୁଥିଲେ ରୁଷୀୟ ରାଷ୍ଟ୍ରଦୂତ

ଜାତିସଂଘ: ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ମହାସଭା (ୟୁଏନ୍‌ଜିଏ) ୟୁକ୍ରେନ୍ ସଙ୍କଟ ଉପରେ ଅଭିଭାଷଣ ଦେବା ବେଳେ ଜାତିସଂଘସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିୟା ମୋବାଇଲ୍ ଫୋନ୍ ‘ସ୍କ୍ରଲ୍‌’ କରୁଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଅଭିଭାଷଣ ଦେବା ସମୟରେ ବାଇଡେନ୍ ରୁଷ୍‌କୁ ଆକ୍ରମଣକାରୀ ଏବଂ ଶାନ୍ତିର ପଥ ଅବରୋଧକାରୀ ବୋଲି କହୁଥିଲେ । ସେତେବେଳେ ଶ୍ରୋତାମାନଙ୍କ ମଧ୍ୟରେ ଭ୍ଲାଦିମିର ଜେଲେନ୍‌ସ୍କି ବି ଉପସ୍ଥିତ ଥିଲେ । ଅଭିଭାଷଣରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଆହୁରି ମଧ୍ୟ କହିଲେ ଯେ, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ତାଙ୍କ ସେନା ଆଶା କରୁଛନ୍ତି ଯେ, ୟୁକ୍ରେନ୍‌କୁ ସମର୍ଥନ କରି କରି ବିଶ୍ୱ କ୍ଳାନ୍ତ ହୋଇଯିବ । ଉପସ୍ଥିତ ଶ୍ରୋତାମାନେ ବାଇଡେନ୍‌ଙ୍କ କଥାକୁ ସ୍ୱୀକୃତି ଦେଇ ମୁଣ୍ଡ ଟୁଙ୍ଗାରୁ ଥିବା ବେଳେ ନେବେଞ୍ଜିୟା ସେଥିପ୍ରତି ତିଳେ ମାତ୍ର ଧ୍ୟାନ ନ ଦେଇ ବା ଖାତର ନ କରି ନିଜ ମୋବାଇଲ୍ ଫୋନ୍‌କୁ ଚାହିଁ ରହିଥିଲେ ।

Leave a Reply