Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିବ ମହିଳା ସଂରକ୍ଷଣ ବିଲ୍ । ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ । ଏହି ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି । ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟ ବିଧାନସଭାରେ ଏଣିକି ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ହେବ । ଆଜିଠାରୁ ସଂସଦର ନୂଆ ବିଲଡିଂରେ ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟ ଆରମ୍ଭ ହେବ । ଏହି ସମୟରେ ସରକାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି । ହେଲେ ସରକାର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରି ନାହାନ୍ତି । ସାଧାରଣତଃ କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀମାନେ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଅନ୍ତି । ହେଲେ ବୌଠକ ପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସାମ୍ବାଦିକ ସମ୍ମିଳନୀ କରାଯାଇ ନାହିଁ । କିନ୍ତୁ ସରକାରୀ ସୂତ୍ର ଅନୁସାରେ କ୍ୟାବିନେଟ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ଦେଇଛି । ଅନ୍ୟପକ୍ଷରେ ଆଜିଠାରୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ । ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ୨୨ ତାରିଖ ଯାଏ ନୂଆ ବିଲଡିଂରେ ଚାଲିବ । ପୁରୁଣା ବିଲଡିଂ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ବନିଥିଲା । ଏହି ବିଲଡିଂରେ ଦେଶର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିଥିଲେ ।

Leave a Reply