Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ

ମୁମ୍ବାଇ: ଭାରତୀୟ ନୌସେନାର ନୂଆ ଯୁଦ୍ଧପୋତ ଆଇଏନଏସ୍ ମହେନ୍ଦ୍ର ଗିରିର ଶୁକ୍ରବାର ଜଳାବତରଣ ହୋଇଛି । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ ଓ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ଉପସ୍ଥିତିରେ ମୁମ୍ବାଇର ମଝଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡରେ ଏହି ଜଳାବତରଣ ହୋଇଛି । ଏହା ପ୍ରେଜେକ୍ଟ-୧୭-ଏର ସପ୍ତମ ଯୁଦ୍ଧପୋତ । ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୧୭ ତାରିଖରେ ଏହି ପ୍ରକଳ୍ପର ଷଷ୍ଠ ଯୁଦ୍ଧପୋତ ବିନ୍ଧ୍ୟଗିରିକୁ ଲୋକାର୍ପିତ କରିଥିଲେ । ପ୍ରୋଜେକ୍ଟ ୧୭-ଏରେ ନିର୍ମିତ ଏହି ଯୁଦ୍ଧପୋତରେ ଅନେକ ପ୍ରକାରର ବିଶେଷତା ରହିଛି । ଏଥିରେ ଉନ୍ନତ ଶ୍ରେଣୀର ଅସ୍ତ୍ରଶସ୍ତ୍ର ସମେତ ସେନସର ଓ ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ସିଷ୍ଟମ ରହିଛି । ଏହା ସହିତ ଯୁଦ୍ଧପୋତର ଗୋପନୀୟତା ସମ୍ପର୍କିତ ଅନ୍ୟ ଫିଚର୍ସ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ପ୍ରୋଜେକ୍ଟ ୧୭-ଏ ଅନ୍ତର୍ଗତ ୫ଟି ଯୁଦ୍ଧପୋତକୁ ୨୦୧୯ରୁ ୨୦୨୨ ମଧ୍ୟରେ ଲଞ୍ଚ କରାଯାଇଥିଲା । ପ୍ରଥମତଃ ଏହି ଯୁଦ୍ଧପୋତର ଆକାର ଅତି ବିଶାଳକାୟ ଓ ବହୁତ ଶକ୍ତିଶାଳୀ । ଅଧିକାରୀଙ୍କ ଅନୁସାରେ ଏହା ୧୪୯ ମିଟର ଲମ୍ବା ହୋଇଥିବା ବେଳେ ୧୭.୮ ମିଟର ଚୌଡା । ଏହାର ସର୍ବାଧିକ ବେଗ ୨୮ ନଟ୍ ରହିବ । ପ୍ରୋଜେକ୍ଟ ୧୭-ଏ ର ମହେନ୍ଦ୍ରଗିରି ଶେଷ ଯୁଦ୍ଧପୋତ । ପ୍ରକଳ୍ପ ଅନୁସାରେ ୪ଟି ଯୁଦ୍ଧପୋତ ମଝଗାଓଁ ଡକ୍‌ରେ ନିର୍ମିତ ହୋଇଛି । ଏହା ଛଡା ଅନ୍ୟଗୁଡିକୁ ଗାର୍ଡନରିଚ୍ ଶିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସଇ) କୋଲକାତାରେ ନିର୍ମାଣ କରାଯାଇଛି । ପ୍ରୋଜେକ୍ଟ ୧୭-ଏର ସବୁ ଯୁଦ୍ଧପୋତ ବର୍ତ୍ତମାନ ନିର୍ମାଣର ଅଲଗା ଅଲଗା ଅବସ୍ଥାରେ ଅଛନ୍ତି । ଆଶା କରାଯାଉଛି ୨୦୨୪ରୁ ୨୦୨୬ ମଧ୍ୟରେ ଏ ଗୁଡିକୁ ନେଭିକୁ ଦେଇ ଦିଆଯିବ । ଏକ ବୟାନରେ ଭାରତୀୟ ନୌସେନା କହିଛନ୍ତି ଯେ ବୈଷୟିକ ରୂପେ ମହେନ୍ଦ୍ରଗିରି ଏକ ଉନ୍ନତ ଯୁଦ୍ଧପୋତ । ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧପୋତ ଏପରି ଏକ ସମୟରେ ଲୋକାର୍ପିତ ହୋଇଛି ଯେତେବେଳେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ଅଣ୍ଟା ଭିଡିଛନ୍ତି ।

Leave a Reply