ନୂଆଦିଲ୍ଲୀ: ଭାରତ ଅଟା ଏବଂ ଭାରତ ଡାଲି ପରେ ସରକାର ଏବେ ଭାରତ ବ୍ରାଣ୍ଡ ଜରିଆରେ ରିହାତିରେ ଚାଉଳ ବିକ୍ରି କରିବାକୁ ଯାଉଛନ୍ତି । ଖାଦ୍ୟ ସାମଗ୍ରୀର ଦରବୃଦ୍ଧିକୁ ନଜର ରଖି ସରକାର ଏଫସିଆଇ ଚାଉଳକୁ ୨୫ ଟଙ୍କା ପ୍ରତିକିଲୋ ବିକ୍ରି କରିବା ପାଇଁ ଯୋଜନା କରାଯାଉଛି । ଗତ କିଛି ମାସରେ ସରକାର ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା କରାଯାଇଥିବା ଇ-ନିଲାମୀ ମାଧ୍ୟମରେ ଓପନ ମାର୍କେଟରେ ବିକ୍ରି ବଢାଇ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ଅନ୍ୟପଟେ କିନ୍ତୁ ଚାଉଳ ମୂଲ୍ୟ ବୃଦ୍ଧି ଥମି ନାହିଁ । ନଭେମ୍ୱରରେ ଖାଦ୍ୟାନ୍ନର ମୂଲ୍ୟରେ ୧୦.୨୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହି କାରଣରୁ ନଭେମ୍ୱରରେ ଖାଦ୍ୟ ମୁଦ୍ରାସ୍ଫୀତି ବଢି ୮.୭୦ ପ୍ରତିଶତ ହୋଇଥିଲା । ଅକ୍ଟୋବରରେ ଏହା ୬.୬୧ ପ୍ରତିଶତ ଥିଲା । ଚାଉଳ ଦରବୃଦ୍ଧି ହାର ବାର୍ଷିକ ଆଧାରରେ ୧୩ ପ୍ରତିଶତ ଅଧିକ ରହିଛି ଓ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରମୁଖ ଖାଦ୍ୟ ମୂଲ୍ୟକୁ ନେଇ ଚିନ୍ତିତ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଓପନ୍ ମାର୍କେଟ୍ ସେଲ୍ ସ୍କିମ୍ (ଙଗଝଝ) ଜରିଆରେ ବର୍ତ୍ତମାନ ସମୟରେ ୨୯ ଟଙ୍କା ପ୍ରତିକିଲୋ ହିସାବରେ ଚାଉଳ ବିକ୍ରି କରାଯାଉଛି । ଆଗାମୀ ଦିନରେ ସରକାର ଏଥିରେ କୌଣସି ପରିବର୍ତ୍ତନ କରିବେ ନା ନାହିଁ, ତାହା ଉପରେ ନିଷ୍ପତ୍ତି ଆସିବାର ଅଛି । ତେବେ ଇକୋନମିକ୍ ଟାଇମ୍ସ ରିପୋର୍ଟ ଅନୁସାରେ ସରକାର ଏହି ମୂଲ୍ୟକୁ ୨୫ ଟଙ୍କା ପ୍ରତିକିଲୋ ବିକ୍ରି କରିପାରନ୍ତି । ଏଫସିଆଇ ଚଳିତ ବର୍ଷ ଏବେ ସୁଦ୍ଧା ଙଗଝଝ ଅଧିନରେ କେବଳ ୩.୦୪ ଲକ୍ଷ ଟନ୍ ଚାଉଳ ବିକ୍ରି କରିପାରିଛି । ସରକାରୀ ଡାଟା ଅନୁସାରେ ଗହମ ମୂଲ୍ୟରେ ନୋଡାଲ୍ ଏଜେନ୍ସି ଙଗଝଝ ଅଧିନରେ ୮୨.୮୯ ଲକ୍ଷ ଟନ୍ ଗହମ ବିକ୍ରି କରିଛି ।