ଓଡ଼ିଆ ଗଳ୍ପ ଜଗତରେ ନୂଆ ଧାରାର ଆବହାକ ଭାବେ ପରିଚିତ ଥିଲେ ଜଗଦୀଶ ମହାନ୍ତି । ୧୯୫୧ ମସିହା ଫେବୃଆରୀ ୧୭ରେ ବେଲପାହାଡ଼ରେ ଜନ୍ମଗ୍ରହଣ କରିଥିଲେ ସେ । ପିଲାଟି ଦିନରୁ ଲେଖାଲେଖି ପ୍ରତି ବିଶେଷ ରୁଚି ରଖିଥିଲେ ଜଗଦୀଶ । ଏହି ଧାରା ବଜାୟ ରଖି ଭବିଷ୍ୟତରେ ଅନେକଗୁଡ଼ିଏ ଉପନ୍ୟାସ, କ୍ଷୁଦ୍ରଗଳ୍ପ ମାନ ରଚନା କରିଥିଲେ । ଏହାସହ ସେ ଥିଲେ ଜଣେ ଉଚ୍ଚକୋଟୀର ଅନୁବାଦକ । ତାଙ୍କ ଲେଖା ଶୈଳୀ ଥିଲା ଖୁବ୍ ପରିମାର୍ଜିତ ଏବଂ ବୋଧଗମ୍ୟ । ଖୁବ୍ ସରଳ ଭାଷାରେ ସେ ନିଜ ରଚନାକୁ ପାଠକଙ୍କ ପାଇଁ ଉପସ୍ଥାପନ କରୁଥିଲେ । କନିଷ୍କ କନିଷ୍କ, ନିଜ ନିଜ ପାନିପଥ, ଉତ୍ତରାଧିକାର, ଦୁର୍ଦ୍ଦିନ ଏବଂ ଅଦୃଶ୍ୟ ସକାଳ ଭଳି ଉପନ୍ୟାସ ସେ ରଚନା କରିଥିଲେ; ଯାହା ବେଶ୍ ପାଠକୀୟ ଆଦୃତ୍ତିଲାଭ କରିଥିଲା । ଏହାଛଡ଼ା ଏକାକୀ ଅଶ୍ୱରୋହୀ, ଦକ୍ଷିଣ ଦୁଆରୀ ଘର, ଆଲବମ୍, ଦିପହର ଦେଖିନଥିବା ଲୋକଟିଏ, ସୁନା ଇଲିସି, ସୁନ୍ଦରତମ ପାପ, ସତୁରୀର ଜଗଦୀଶ, ବୀଜ ବୃକ୍ଷ ଛାୟା ଇତ୍ୟାଦି ଭଳି ଅନେକଗୁଡ଼ିଏ କ୍ଷୁଦ୍ରଗଳ୍ପ ରଚନା କରିଥିଲେ । ସୁନା ଇଲିସି ପାଇଁ ତାଙ୍କୁ ୨୦୦୩ରେ ମିଳିଥିଲା ଶାରଳା ପୁରସ୍କାର । କନିଷ୍କ କନିଷ୍କ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ସେ । ଏହାବ୍ୟତୀତ ତାଙ୍କୁ ଝଙ୍କାର ସମ୍ମାନ, ଉତ୍କଳ ସାହିତ୍ୟ ସମାଜ କଥା ସମ୍ମାନ ଏବଂ ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ କରାଯାଇଛି । ୨୦୧୩ ମସିହା ଆଜିର ଦିନରେ ଏହି ମହାନ୍ ବ୍ୟକ୍ତିତ୍ୱ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।