ସୁରଟ: ସମଗ୍ର ବିଶ୍ୱରେ ଜୁନ ୨୧ ତାରିଖ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି । ଭାରତରେ ମଧ୍ୟ ଉତ୍ସାହର ସହ ଏହି ଦିବସ ପାଳନ କରାଯାଇଛି । ଏହିକ୍ରମରେ ଗୁଜରାଟର ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମ ବିଶ୍ୱ ରେକର୍ଡ କରିଛି । କାର୍ଯ୍ୟକ୍ରମ ସ୍ଥଳରେ ଏକକାଳୀନ ୧.୫୩ ଲକ୍ଷ ଲୋକ ଯୋଗ ଦେଇ ଯୋଗ କରିଛନ୍ତି । ଗିନିଜ ୱାର୍ଲ୍ଡ ରେକର୍ଡ ସୂଚନା ଦେଇଛି ଯେ, ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୧.୫୩ ଲକ୍ଷ ଲୋକ ଯୋଗ ଦେଇଥିଲେ । ଏହା ପୂର୍ବରୁ ଏହି ରେକର୍ଡ ରାଜସ୍ଥାନର କୋଟା ସହର ନାମରେ ଥିଲା । ୨୦୧୮ରେ କୋଟାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୧ ଲକ୍ଷ ୯୮୪ ଜଣ ଯୋଗ ଯୋଗ କରିଥିଲେ । ଏବେ ଏହାର ରେକର୍ଡ କାଟିଛି ସୁରଟ । ଗୁଜରାଟର ଗୃହ ମନ୍ତ୍ରୀ ହର୍ଷ ସାଙ୍ଘଭି କହିଛନ୍ତି, ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଏକଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଥିଲେ । ସୁରଟର ଦୁମାସ ଅଞ୍ଚଳରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଯୋଗ ଦେଇଥିଲେ । ରାଜ୍ୟ ସରକାର ଯୋଗ କାର୍ଯ୍ୟକ୍ରମରେ ୨.୨୫ ଲକ୍ଷ ଲୋକ ଯୋଗ ଦେବେ ବୋଲି ଲକ୍ଷ୍ୟ ରଖିଥିଲେ । ହେଲେ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ସ୍ପଷ୍ଟ କରିଛି ଯେ, ୧.୫୦ ଲକ୍ଷରୁ ଅଧିକ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହି ଯୋଗ କରିଥିଲେ ବୋଲି ସୁରଟ ମ୍ୟୁନିସିପାଲଟି କମିଶନର ଶାଲିନି ଅଗ୍ରୱାଲ୍ କହିଛନ୍ତି । କାର୍ଯ୍ୟକ୍ରମ ପରେ ସେଠାରେ ଉପସ୍ଥିତ ଗିନିଜ୍ ବୁଲ୍ ଅଫ୍ ୱାର୍ଲ୍ଡ ରେକର୍ଡର ପ୍ରତିନିଧି ନୂତନ ବିଶ୍ୱ ରେକର୍ଡ ପାଇଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଛି ବୋଲି ସୁରଟ ଜିଲ୍ଲାପାଳ ଆୟୂଷ ଓକା କହିଛନ୍ତି । ଯୋଗ ସେସନରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁ୍ୟଆର କୋଡ୍ ସହ ଏକ ରିଷ୍ଟବ୍ୟାଣ୍ଡ ଦିଆଯାଇଥିଲା, ଯାହା ଏଣ୍ଟ୍ରି ସମୟରେ ସ୍କାନ କରାଯାଇଥିଲା ।