ହନୁମାନ ବାଟିକା ପାଚେରୀରେ ହିନ୍ଦୁ ଦେବା ଦେବୀଙ୍କ ଫଟୋଚିତ୍ର ଆଙ୍କିବା ମାମଲା ଲିଭାଇବାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଲିଭା ନଯିବାରୁ ଲିଗାଲ ନୋଟିସ ପଠାଗଲା

ରାଉରକେଲା : ଗତକିଛି ମାସ ତଳେ ସମାପ୍ତ ହୋଇଥିବା ହକି ବିଶ୍ୱକପକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ପ୍ରକାରର ପଦକ୍ଷେପ ମାନ ନେଇଥିଲେ । ଏହି କ୍ରମରେ ଇସ୍ପାତ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ପାଇଁ ରାସ୍ତା ଘାଟର ଦୁଇ ପାଶ୍ୱର୍ରେ ଅନେକ ସ୍ଥାନରେ ପାର୍କ ନିର୍ମାଣ କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ଥିବା ରାସ୍ତା କଡ ପାଚେରୀ ତଥା ମନ୍ଦିର ଆଖପାଖ ପାଚେରୀକୁ ମଧ୍ୟ ରଙ୍ଗ ଦିଆଯାଇଥିଲା । ତେବେ ସେତେବେଳେ ଅର୍ଥାତ୍ ଗତ ଡିସେମ୍ବର ମାସରେ ରଘୁନାଥପା୍ଲୀ ଥାନା ଅଞ୍ଚଳର ସିଭିଲଟାଉନସିପ ଠାରେ ଥିବା ହନୁମାନ ବାଟିକା ପାଚେରୀରେ ବିଭିନ୍ନ ଦେବା ଦେବୀଙ୍କ ଚିତ୍ର ମଧ୍ୟ ଅଙ୍କା ଯାଇଥିଲା । ହନୁମାନ ବାଟିକା କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ମହାନଗର ନିଗମ ରାଜ୍ୟର ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଙ୍କିଥିବା ଏହି ଫଟୋଚିତ୍ର ହିନ୍ଦୁ ସମାଜର ଭାବନାରେ କୁଠାରଘାତ ବୋଲି କହି ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ବ୍ୟକ୍ତି ବିଶେଷ ମଧ୍ୟ ବିରୋଧ କରିଥିଲେ । ତେବେ ଏହି ବିରୋଧର ମାତ୍ର କିଛି ଦିନ ପରେ ସେହି ଫଟୋଚିତ୍ରରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ଅଟକି ପରିସ୍ରା କରିବା ଘଟଣାକୁ ନେଇ ପୁଣିଥରେ ବିରୋଧ ତୀବ୍ର ରୂପ ନେଇଥିଲା । ଫଳରେ ଫଟୋଚିତ୍ରକୁ ଯଥାଶୀଘ୍ର ଲିଭାଇବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀମାନେ ଆରଏମସି କମିଶନରକୁ ସାକ୍ଷାତ କରି କହିବା ସହ ହନୁମାନ ବାଟିକା ପରିଚାଳନା ସମିତିର ସଂପାଦକ ଶୁଭ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ହକି ବିଶ୍ୱକପରେ ଲିଭେଇ ଦିଆଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିନିଧି ମଣ୍ଡଳୀକୁ ପ୍ରତିଶୃତି ମିଳିଥିବାବେଳେ ଫଟୋଚିତ୍ରରେ ଯେପରି କେହି ଛେପ ନ ପକାଇବା ଏବଂ କେହି ଯେପରି ପରିସ୍ରା ନକରିବେ ସେନେଇ ଉଚିତ ବ୍ୟବସ୍ଥା କରିବା ପାଇଁ ସଂପାଦକ ଶ୍ରୀ ପଟ୍ଟନାୟକ ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରତି ଦେଇଥିଲେ । ତେବେ ହକି ଖେଳ ସରିବାର ୪ ମାସ ବିତିଯାଇଥିବା ସତ୍ତ୍ୱେ ଫଟୋଚିତ୍ର ଲିଭାଯାଇ ନଥିବାବେଳେ ପୁଣି ଥରେ ସେହି ଚିତ୍ରରେ ଲୋକେ ପରିସ୍ରା କରୁଥିବା କଥା ପଦାକୁ ଆସିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ସହରର ସମାଜସେବୀ ନବୀନ ଗୁପ୍ତା, ଦୀପକ ଯାଦବ, ଅଶୋକ ଗିରି, ରାଜେଶ ସାହୁ ପ୍ରମୁଖ ମିଶି ନିଜ ଓକିଲ ବିଭୁତିଭୂଷଣ ପଲେଇଙ୍କ ମାଧ୍ୟମରେ ହନୁମାନ ବାଟିକାର ସଭାପତି ଶୁଭ ପଟ୍ଟନାୟକଙ୍କୁ ଏକ ଲିଗାଲ ନୋଟିସ ଜାରି କରି କୈଫିତ ମାଗିବା ସହ ୭ ଦିନ ମଧ୍ୟରେ ଉକ୍ତ ଫଟୋଚିତ୍ରକୁ ନଲିଭାଇଲେ ତାଙ୍କ ବିରୁଦ୍ଧରେ ଆଇପିସିର ଧାରା -୨୯୫ (ଏ), ୧୫୩ (ଆଇ) (ଏ) ଏବଂ (ବି)ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ମଧ୍ୟ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *