ଶୋକବାର୍ତ୍ତା
ଗତକାଲି ରାତି ୯ଘଟିକା ୧୫ ମିନିଟ ସମୟରେ ଦିଲ୍ଲୀ AIIMS ରେ ଚିକିତ୍ସାଧିନ ଅବସ୍ଥାରେ ପଦ୍ମଶ୍ରୀ ପ୍ରଫେସର ଅଶୋକ ମହାପାତ୍ରଙ୍କର ଦେହାନ୍ତ ସମ୍ବାଦ ଆମ ସମସ୍ତଙ୍କୁ ସ୍ତବ୍ଧ କରିଛି । ଓଡିଶା ମାଟିର ସନ୍ତାନ ଭାବରେ ଯେଉଁ କେତେଜଣଙ୍କୁ ନେଇ ସମଗ୍ର ଓଡିଆ ଜାତି ଗର୍ବ କରିଥାଏ ତନ୍ମଧ୍ୟରୁ ପ୍ରଫେସର ମହାପାତ୍ର ହେଉଛନ୍ତି ଅନ୍ୟତମ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପାରଦର୍ଶିତା ତାଙ୍କୁ ଯେତେ ମହାନ କରି ଗଢିତୋଳିଛି ତାଠାରୁ ଅଧିକ ପୂଜ୍ୟ କରିଛି ତାଙ୍କର ମାନବୀୟ ଦର୍ଶନ ଓ ସମାଜ ମଙ୍ଗଳ ପାଇଁ ଅନବଦ୍ୟ ନିଷ୍ଠା । ଚିକିତ୍ସା ବିଜ୍ଞାନର ଶୀର୍ଷରେ ପହଁଚି ଥିବା ଡ. ମହାପାତ୍ର ମୁକ୍ତକଣ୍ଠରେ କହୁଥିଲେ ଯେ, ବିଜ୍ଞାନର ଉର୍ଦ୍ଧ୍ୱରେ ଅଧ୍ୟାତ୍ମ ଏବଂ ଚିକିତ୍ସାରେ ସଫଳତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ ଗୁରୁତ୍ୱପୂର୍ଣ୍ଣ ।
ଦିଲ୍ଲୀ ବାହାରେ ଭୁବନେଶ୍ୱର ଠାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଭାବରେ ଯେଉଁ ପ୍ରଥମ ସ୍ୱାସ୍ଥ୍ୟସଂସ୍ଥାନAIIMS ଆଜି ମୁଣ୍ଡଟେକି ଛିଡା ହୋଇଛି ତାହାକୁ ଗଢିତୋଳିବା ପାଇଁ ଯେଉଁ ଉତ୍ସର୍ଗୀକୃତ ପ୍ରଚେଷ୍ଟା ପ୍ରଫେସର ମହାପାତ୍ର କରିଥିଲେ ତାହା କାଳକାଳ ଧରି ତାଙ୍କୁ ଅମର କରି ରଖିବ ।
ସଂଘ ବିଚାରପରିବାର ସହତି ତାଙ୍କର ସଂପର୍କ ଥିଲା ଅତ୍ୟନ୍ତ ଆପଣାର ।
ତାଙ୍କର ବିୟୋଗ ଦେଶର ରାଷ୍ଟ୍ରବାଦୀ ବିଚାରପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ତଥା ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।