ସେବା ଦିବସ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି (UBSS) ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ବର,୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ‘ସେବା ଦିବସ’ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି (UBSS) ଆନୁକୂଲ୍ୟରେ ସମିତିର ମଞ୍ଚେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏମ୍ସ ର ହେମାଟୋଲୋଜୀ ବିଭାଗୀୟ ମୁଖ୍ୟ ଡା. ଆଶୁତୋଷ ପାଣିଗ୍ରାହୀ ମୁଖ୍ୟ ଅତିଥି , ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ମୁଖ୍ୟ ବକ୍ତା ,ସମିତିର ସଭାପତି ଶ୍ରୀ ଅଭୟ ସାମନ୍ତରାୟ ଦୀପ ପ୍ରଜ୍ବଳନ କରି ଏହି ଶିବିରକୁ ଉଦ୍ଘାଟନ କରିଥିଲେ।
ମୁଖ୍ୟ ଅତିଥି ଡା. ଆଶୁତୋଷ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରକ୍ତଦାତାଙ୍କ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି କାରଣ ରକ୍ତ ଥିଲେ ହିଁ ଜଣେ ଡାକ୍ତର ରୋଗୀର ଜୀବନ ବଞ୍ଚାଇ ପାରିବ। ରକ୍ତ ଦେବାକୁ ଅଧିକାଂଶ ଲୋକ ଭୟ କରିନ୍ତି। ସମସ୍ତଙ୍କୁ ନିର୍ଭୟରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଥିଲେ। ଅସ୍ଥିମଜ୍ଜା ପ୍ରଦାନ କରିବାକୁ ମଧ୍ୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ମୁଖ୍ୟ ବକ୍ତା ଡ. ଅନୀଲ କୁମାର ମିଶ୍ର ପଣ୍ଡିତ ଗୋପବନ୍ଧୁଙ୍କର ନିସ୍ବାର୍ଥ ସେବା ବିଷୟରେ ଆଲୋକ ପାତ କରିଥିଲେ। ସେବା ଆଧ୍ୟାତ୍ମ ଓ ଭାତୃତ୍ବ ଭାବ ହେଲେ ହିଁ ସମ୍ଭବ ବୋଲି କହିଥିଲେ। ସମଗ୍ର ସମାଜକୁ ଏକତ୍ରିତ କରିବା ଏବଂ ପ୍ରତିଦାନରେ କୌଣସି ଅପେକ୍ଷା ନ ରଖୁବା ପାଇଁ ଆହ୍ୱାନ କରିଥିଲେ।
ଏହି ଜୟନ୍ତୀ ପାଳନ ଅବସରରେ ବହୁମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ। ସଂଯୋଜକ ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ଶିବିରକୁ ସଂଚାଳନ କରିଥିଲେ। ଉକ୍ତ ଶିବିରରେ ମୋଟ୍ ୪୦ ୟୁନିଟ୍ର ରକ୍ତ ସଂଗୃହିତ ହୋଇ କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା