ଇଣ୍ଡିଆର ପ୍ରଥମ ସ୍ୱଦେଶୀ ବୁଲେଟ୍ ଟ୍ରେନ୍ ବଡି ଫ୍ରେମ୍ ପ୍ରସ୍ତୁତ: ୨୦୨୭ ମେ”ରେ ହେବ ଟ୍ରାକ୍ ଟେଷ୍ଟିଂ, ଘୋଷଣା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ଜ୍ଞାନକୌଶଳରେ ନିର୍ମିତ ସ୍ୱଦେଶୀ ବୁଲେଟ୍ ଟ୍ରେନର ବଡି ଫ୍ରେମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ଏବଂ ଆସନ୍ତା ୨୦୨୭ ମେ’ କିମ୍ବା ଜୁନ୍ ସୁଦ୍ଧା ଏହା ଟ୍ରାକ୍ରେ ପରୀକ୍ଷାମୂଳକ ଚାଲିବ। ମଙ୍ଗଳବାର ଗୁଜରାଟର ଭଦୋଦରାଠାରେ ଆୟୋଜିତ ‘ନମୋ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୫,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି।

ସଭାକୁ ସମ୍ବୋଧିତ କରି ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ, ସ୍ୱଦେଶୀ ବୁଲେଟ୍ ଟ୍ରେନର ବଡି ଫ୍ରେମ୍ ନିର୍ମାଣ ଶେଷ ହେବା ପରେ ଏହାକୁ ”ସ୍କୁଇଜ୍ ଟେଷ୍ଟ” ପାଇଁ ପଠାଯାଇଛି। ଆସନ୍ତା ବର୍ଷ ମେ’ କିମ୍ବା ଜୁନ୍ ମାସ ସୁଦ୍ଧା ଏହା ପରୀକ୍ଷାମୂଳକ ଭାବେ ଟ୍ରାକକୁ ଆସିବ ଏବଂ ୨ରୁ ୪ ମାସର କଠିନ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନିଜେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ। ଏହି ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେବା ପରେ ଭଦୋଦରାରୁ ମୁମ୍ବାଇ ଯାତ୍ରା ସମୟ ହ୍ରାସ ପାଇ ମାତ୍ର ୧ ଘଣ୍ଟା ୩୦ ମିନିଟରେ ପହଞ୍ଚିବ। ଏଥିସହିତ ଗୁଜରାଟର ସୁରଟରୁ ବିଲିମୋରା ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ପ୍ରଥମ ପର୍ଯ୍ୟାୟ ସେବା ଆସନ୍ତା ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଦାଦ୍ରିରୁ ଜେଏନପିଟି ପର୍ଯ୍ୟନ୍ତ ”ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର” ସମ୍ପର୍କରେ ଆଲୋଚନା କରି ରେଳମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହି କରିଡରର ପରିକଳ୍ପନା କରାଯାଇଥିଲା। ମାତ୍ର ପରବର୍ତ୍ତୀ କଂଗ୍ରେସ ସରକାରଗୁଡ଼ିକ ଏହା ପ୍ରତି ଧ୍ୟାନ ଦେଇନଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିବା ବେଳକୁ କରିଡରର ଗୋଟିଏ କିଲୋମିଟର କାମ ମଧ୍ୟ ଶେଷ ହୋଇନଥିଲା। ମୋଦୀ ସରକାର ଆସିବା ପରେ ପାଣ୍ଠି, ଡିଜାଇନ୍ ଏବଂ ଜମି ଅଧିଗ୍ରହଣ ଜନିତ ସମସ୍ତ ଜଟିଳ ସମସ୍ୟାର ସମାଧାନ କରି ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇଛନ୍ତି।

Leave a Reply

Your email address will not be published. Required fields are marked *