ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ
ଭଦ୍ରକ: ବିଶ୍ୱହିନ୍ଦୁ ପରିଷଦ ତରଫରୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଏବଂ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସୀତାରାମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ତଥା ଧର୍ମାନ୍ତରୀକରଣ ବିରୋଧରେ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଓ ଲଢେଇ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ମୁଖ୍ୟଅତିଥି ଭାବେ ରାମାୟଣ ଓ ଗୀତା ଭାଗବତ କଥାବାଚକ ସ୍ୱାମୀ ମୁକୁନ୍ଦଦେବ ଜୀ ମହାରାଜ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହତ୍ତ୍ୱ, ସନାତନ ଧର୍ମର ବୈଶିଷ୍ଟ୍ୟ ଓ ଧର୍ମ ରକ୍ଷା ଉପରେ ଆଶୀର୍ବଚନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା ପୂର୍ବ ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଓ କାର୍ଯ୍ୟପନ୍ଥା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଶିକ୍ଷାବିତ୍ ତଥା ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋବିନ୍ଦଚନ୍ଦ୍ର ରାଉତ ସଭା ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମ କୃଷ୍ଣ ଆଶ୍ରମର ଓଡ଼ିଶା ମୁଖ୍ୟ ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜ ଏବଂ ପୂଜ୍ୟ ସନ୍ଥ ଜଗବନ୍ଧୁ ମହାରାଜ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବନବାସୀ ଓ ହରିଜନସାହିର ଶତାଧିକ ମୁରବୀ ଓ ମୁଖିଆମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୁ ସମାଜ ଭିତରେ ସାମାଜିକ ସମରସତା, ଏକତା ବଜାୟ ରଖିବା ତଥା ସମସ୍ତଙ୍କୁ ଏକାଠି ବାନ୍ଧି ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ଛଡ଼ା ଗାନ୍ଧୀ ପଡ଼ିଆ କାର୍ଯ୍ୟାଳୟରେ ଜନ୍ମାଷ୍ଟମୀ ଉପଲକ୍ଷେ ହୋମଯଜ୍ଞ କରାଯାଇଥିଲା।
କାର୍ଯ୍ୟକ୍ରମରେ ନିରଞ୍ଜନ ସାହୁ, ତ୍ରିଲୋଚନ ନାୟକ, ବୃନ୍ଦାବନ ଜେନା, ମାନସ ବାରିକ, ଶରତ ପଢିଆରି, ଶିବଶଙ୍କର ଦାସ, ପୁରୁଷୋତ୍ତମ ମହାନ୍ତି, ସୁବାସ ମିଶ୍ର, ରବିନାରାୟଣ ସାହୁ, ଶ୍ରୀକାନ୍ତ ଲେଙ୍କା, ସରୋଜିନୀ ଦାସ, ନିର୍ମଳ ରାଉତ, ସଞ୍ଜୀବ ମହାନ୍ତି, ବିଧୁକଲ୍ୟାଣ ସ୍ୱାଇଁ, ପ୍ରଦୀପ ପୁହାଣ, ବିଶ୍ୱରଞ୍ଜନ ଦାସ, ଓଁକାର ମହାନ୍ତି, ଦେବାପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାଧୀନସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।