ଭୁବନେଶ୍ୱର ମହଙ୍ଗା ପଡିଲା ଦେଶଦ୍ରୋହ କାର୍ଯ୍ୟ କରିବା । କେଇଟା ଟଙ୍କା ପାଇଁ ଓଡିଶାର ଗୋପନୀୟ ତଥ୍ୟ ପାକିସ୍ତାନୀ ଗୁଇନ୍ଦା- ଆଇଏସଆଇକୁ ଦେବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି । ଖାଲି ସେତିକି ନୁହେଁ, ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ପଟେ ପାକିସ୍ତାନୀ ଗୁଇନ୍ଦା (ଆଇଏସଆଇ) ହାତରେ ଓଡ଼ିଶା ସିମକାର୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର କାର୍ଯ୍ୟବଳ (ଏସଟିଏଫ) ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ନୟାଗଡ ଅଞ୍ଚଳରୁ ଗିରଫ କରି ଗୁରୁବାର ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ନୟାଗଡ ଜିଲା ନୂଆଗାଁ ଥାନା ମହିତମା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ (୩୨) । ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସଟିଏଫ ତଦନ୍ତକୁ ଜୋରଦାର କରିଛି । ପୂର୍ବରୁ ଗିରପ ଦୁଇ ଅଭିଯୁକ୍ତଙ୍କୁ ଏଟିଏଫ୍ ୭ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ଏହି ସିମକାର୍ଡ ଘଟଣାରେ ଆଉ କିଛି ଯୁବକଙ୍କ ସଂପୃକ୍ତି ଥିବା ଏସଟିଏଫ୍ ସୂଚନା ପାଇଛି । ସେମାନଙ୍କୁ ଧରିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଏସଟିଏଫ୍ ଆଶା ରଖିଛି । ସୂଚନାଯୋଗ୍ୟ, ପୂର୍ବରୁ ଗିରଫ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ପ୍ରଦ୍ୟୁମ୍ନ ୫୦୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ ଓ ୧୫୦ରୁ ଅଧିକ ୱାଲେଟ ଦେଇଥିଲା । ପ୍ରଦ୍ୟୁମ୍ନ ପୂର୍ବରୁ ଘରୋଇ ମୋବାଇଲ ସର୍ଭିସ ପ୍ରୋଭାଇଡର ସଂସ୍ଥା ଆଇଡିଆ ଓ ଜିଓ ପଏଣ୍ଟରେ ପରିଚାଳକ (ମ୍ୟାନେଜର) ଭାବେ କାମ କରୁଥିଲା । ଏହି ସଂସ୍ଥାର ପ୍ରି-ଆକଟିଭେଟଡ୍ ସିମ୍ ଏବଂ ୱାଲେଟ ଭିତରୁ କିଛି ସିମ୍ ପାକିସ୍ତାନର କରାଚି, ବାଲୁଚିସ୍ତାନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ବ୍ୟବହାର କରୁଥିବା ତଦନ୍ତ ବେଳେ ଏସଟିଏଫ ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତ ସିମ୍ ଗ୍ରାହକଙ୍କ ନାମରେ ଏକାଧିକ ସିମ ହାତଉ ଥିଲା । ସେସବୁକୁ ସେ ପଠାଣିସାମନ୍ତକୁ ଦେଉଥିଲା । ପଠାଣିସାମନ୍ତ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇ ଦୁଇ ପଇସା ପାଉଥିଲା । ଏନେଇ ତଦନ୍ତକାରୀ ସଂସ୍ଥା ୱାଲେଟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ।