ଆସମ ବନ୍ୟା – ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସଂଘ ଏବଂ ସଂଘ ପ୍ରେରିତ ସଂଗଠନର କାର୍ଯ୍ୟକର୍ତ୍ତା
୩୭୮ଟି ଗ୍ରାମରେ ୧,୯୧୨ ଜଣ କାର୍ଯ୍ୟକର୍ତ୍ତା ୪୦,୧୬୮ ପରିବାର ନିକଟରେ ପହଞ୍ଚାଇଲେ ସହାୟତା
ଗୁଆହାଟୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ଏବଂ ସଂଘ ପ୍ରେରିତ ସଂଗଠନଗୁଡ଼ିକର କାର୍ଯ୍ୟକର୍ତ୍ତା ଆସମର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ପ୍ରଭାବିତ ଶିବସାଗର, ଚରାଇଦେଓ ଏବଂ ଯୋରହାଟ ଜିଲ୍ଲାର ହଜାର ହଜାର ପରିବାର ବେଘର ହୋଇପଡ଼ିଛନ୍ତି ଏବଂ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସୁରକ୍ଷିତ ଆଶ୍ରୟ ଓ ଜରୁରୀକାଳୀନ ଚିକିତ୍ସା ସେବାର ଅଭାବର ସାମ୍ନା କରୁଛନ୍ତି। ଏପରି ବିପଦ ସମୟରେ ସ୍ୱୟଂସେବକମାନେ ନିରନ୍ତର ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଇ ଦେଉଛନ୍ତି।
ଜୁଲାଇ ୨୦ ରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିଭିନ୍ନ ସଂଗଠନର ପ୍ରାୟ ୧,୯୧୨ ଜଣ ସ୍ୱୟଂସେବକ ଉଦ୍ଧାର, ରିଲିଫ୍, ଘର ନିର୍ମାଣ ଓ ସଫେଇ ଅଭିଯାନରେ ନିୟୋଜିତ ଅଛନ୍ତି। ବନ୍ୟା ପ୍ରଭାବିତ ଶିବସାଗର, ଚରାଇଦେଓ ଏବଂ ଯୋରହାଟ ଜିଲ୍ଲାର ପ୍ରାୟ ୩୭୮ଟି ଗ୍ରାମର ୪୦,୧୬୮ ପରିବାରକୁ ସ୍ୱୟଂସେବକମାନେ ରିଲିଫ୍ ସାମଗ୍ରୀ ଯୋଗାଇଦେବା ସହ ବିଭିନ୍ନ ପ୍ରକାରର ସହାୟତା ପହଞ୍ଚାଇଛନ୍ତି।
ଉଦ୍ଧାର ଓ ରିଲିଫ୍ ଅଭିଯାନର ବିବରଣୀ
- ଉଦ୍ଧାର କାର୍ଯ୍ୟ: ଶିବସାଗର ଜିଲ୍ଲାର ବେତବାରୀ ଅଞ୍ଚଳର କାକତୀ ଗ୍ରାମ, ଡି-ଗ୍ରାମ, ୨ ନମ୍ବର କୋଁୱର ଗ୍ରାମ, ନେପାଳୀ ଖୁଣ୍ଟି, ବିହୁବୋର ଏବଂ ଚେତିଆ କୈବର୍ତ୍ତ ଗ୍ରାମରେ ସ୍ୱୟଂସେବକମାନେ ଉଦ୍ଧାର ଅଭିଯାନ ଚଳାଇ ୨୦୦ରୁ ଅଧିକ ଲୋକଙ୍କୁ ବନ୍ୟାର ଦାଉରୁ ରକ୍ଷା କରି ସୁରକ୍ଷିତ ସ୍ଥାନ ଓ ରିଲିଫ୍ ଶିବିରକୁ ସ୍ଥାନାନ୍ତରିତ କରିଛନ୍ତି।
- ରିଲିଫ୍ ବଣ୍ଟନ: ସୁନ୍ଦର ପୁଖୁରୀ, ବାମୁନ ପୁଖୁରୀ, ଗେଲେକୀ ଏବଂ ରାଜାବାରୀ ପରି ଜଳମଗ୍ନ ଅଞ୍ଚଳଗୁଡ଼ିକରେ ଛୋଟ ଡଙ୍ଗା ସାହାଯ୍ୟରେ ଫସି ରହିଥିବା ପରିବାରଗୁଡ଼ିକ ନିକଟରେ ପହଞ୍ଚି ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଜୀବନରକ୍ଷାକାରୀ ଔଷଧ, ଲୁଗାପଟା ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।
- ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ: ଯୋରହାଟ ଜିଲ୍ଲାର ଏଲେଙ୍ଗମୋରା, କାତିରାମ ଚୁକ୍, କୁଲାଇ ଚୁକ୍, ନାଲିଆ ଚୁକ୍, ଶେନଚୋୱା ଚୁକ୍ ଏବଂ ଚାରିଘରିଆ ଚୁକ୍ରେ ମଧ୍ୟ ରିଲିଫ୍ ଅଭିଯାନ ଜାରି ରହିଛି।
ପ୍ରଦାନ କରାଯାଉଥିବା ମୁଖ୍ୟ ରିଲିଫ୍ ସାମଗ୍ରୀ
ବନ୍ୟା ପୀଡ଼ିତ ପରିବାରଗୁଡ଼ିକୁ ଦିଆଯାଉଥିବା ମୁଖ୍ୟ ସାମଗ୍ରୀଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ:
- ଖାଦ୍ୟ ସାମଗ୍ରୀ: ଚାଉଳ, ଚିନି, ଡାଲି, ଶିଶୁ ଖାଦ୍ୟ, ଲୁଣ, ଆଳୁ, ଶୁଖିଲା ଖାଦ୍ୟ, ବିସ୍କୁଟ, ବିଶୁଦ୍ଧ ପାନୀୟ ଜଳ।
- ଆଶ୍ରୟ ଓ ପୋଷାକ: ପିନ୍ଧିବା ଓ ବିଛାଇବା ପାଇଁ ଲୁଗା , କପଡା, ବେଡସିଟ, ଦରି, ବାସନକୁସନ, ତିରପାଲ, ମୋମବତି।
- ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା: ମଶା ଧୂପ, ସାବୁନ୍, ଫିଟିକିରି ଏବଂ ଆବଶ୍ୟକୀୟ ଔଷଧ।
ସ୍ୱାସ୍ଥ୍ୟ ସେବା ଓ ପୁନର୍ବାସ
- ସ୍ୱାସ୍ଥ୍ୟ ଶିବିର: ବନ୍ୟା ପ୍ରଭାବିତ ଅଞ୍ଚଳରେ ନ୍ୟାସନାଲ ମେଡିକୋଜ୍ ଅର୍ଗାନାଇଜେସନ୍ (NMO) ର ସହଯୋଗରେ ସ୍ୱୟଂସେବକମାନେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଚିକିତ୍ସା ଶିବିର ଆୟୋଜନ କରି ସେବା ଯୋଗାଇ ଦେଇଛନ୍ତି।
- ଜରୁରୀକାଳୀନ ସହାୟତା: ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱୟଂସେବକମାନେ ଛୋଟ ଡଙ୍ଗା ମାଧ୍ୟମରେ ଜଳମଗ୍ନ ଘରଗୁଡ଼ିକୁ ଖାଦ୍ୟ-ପାଣି ପହଞ୍ଚାଇବା ସହିତ ବୃଦ୍ଧ, ମହିଳା, ଶିଶୁ ଏବଂ ଅସୁସ୍ଥ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ଜରୁରୀକାଳୀନ ଚିକିତ୍ସାର ବ୍ୟବସ୍ଥା କରିଥିଲେ।
- ଘର ମରାମତି: ବର୍ତ୍ତମାନ ସ୍ୱୟଂସେବକମାନେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକର ମରାମତି କରିବାରେ ସାହାଯ୍ୟ କରୁଛନ୍ତି।
- ଜୀବଜନ୍ତୁ ଓ କୃଷି ସହାୟତା: ବନ୍ୟା ପୀଡ଼ିତଙ୍କ ସେବା ପାଇଁ ଉତ୍ତର ଆସମ ପ୍ରାନ୍ତର ବହୁ ଜିଲ୍ଲାରୁ ସ୍ୱୟଂସେବକମାନେ ପହଞ୍ଚି ଦିନରାତି ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟର ବ୍ୟବସ୍ଥା କରାଯାଉଛି। କୃଷକ ଭାଇମାନେ ଯେପରି ନିଜ ବିଲରେ କୃଷିକାର୍ଯ୍ୟ କରିପାରିବେ, ସେଥିପାଇଁ ସ୍ୱୟଂସେବକମାନେ ସ୍ଥାନେ ସ୍ଥାନେ ଧାନ ତଳି (କଠିଆ) ପ୍ରସ୍ତୁତ କରିଛନ୍ତି।
“ନର ସେବା ହିଁ ନାରାୟଣ ସେବା” – ଏହି ଆଦର୍ଶରେ ପ୍ରେରିତ ହୋଇ ସ୍ୱୟଂସେବକ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି ଏବଂ ସେମାନଙ୍କୁ ଆଶା, ସାହସ ଓ ସମ୍ବଳ ପ୍ରଦାନ କରୁଛନ୍ତି।