ପୁରୀ:ଗୁରୁବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ବୁଧବାର ଦିନ ରଥ ଶ୍ରୀମନ୍ଦିର ସମ୍ମୁଖ ଭାଗକୁ ନିଆଯାଇଛି। ପ୍ରଥମେ ବିଧି ଅନୁଯାୟୀ ରଥଖଳାରୁ ଆଜ୍ଞାମାଳ ବିଜେ ପରେ ପ୍ରଥମେ ନନ୍ଦିଘୋଷ ରଥଚକଡ଼ାକୁ ବିଜେ କରିଥିଲେ। ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ବର୍ଷକେ ଥରେ ପୁରୀ ବଡଦାଣ୍ଡରେ ମହାପ୍ରଭୁଙ୍କ ରଥ ଟାଣିବାକୁ ଅପେକ୍ଷାରେ ଅଗଣିତ ଭକ୍ତ। ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ ସିଂହଦ୍ବାର ସାମ୍ନାରେ ଅପେକ୍ଷାରତ ।
ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି କରାଯାଇଛି। ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥର ରଥଟଣା ଆରମ୍ଭ ହେବ।
ସୂଚନା ଅନୁସାରେ, ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ। ଏହାପରେ ସକାଳ ସାଢ଼େ ୯ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ପରମ୍ପରାଗତ ‘ଛେରା ପହଁରା’ ନୀତି ସମ୍ପନ୍ନ କରାଯିବ।ଛେରା ପହଁରା ଶେଷ ହେବା ପରେ ଅପରାହ୍ଣ ୪ଟାରେ ତିନିରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟରେ ଉଲ୍ଲେଖ ରହିଛି। ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।