ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରୀୟ ନବବର୍ଷ ପାଳନ ପାଇଁ ସରକାର ନିର୍ଦ୍ଦେଶ ଦିଅନ୍ତୁ

ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଦାବି

କଟକ, ତା୧୫।୩- ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ରାଷ୍ଟ୍ରୀୟ ନବବର୍ଷ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ମହାସଂଘ ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଏକ ପତ୍ର ଲେଖି ଏହି ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ପତ୍ରରେ ସେ ଲେଖିଛନ୍ତି ଯେ, ଜାନୁଆରି ପହିଲା ଆମର ନିଜସ୍ୱ ନୂଆବର୍ଷ ନୁହେଁ। ଇଂରେଜମାନେ ଏହି ଦିନକୁ ନବବର୍ଷ ଭାବେ ଆମ ଉପରେ ଲଦିଦେଇଛନ୍ତି। ଚୈତ୍ର ଶୁକ୍ଳ ପ୍ରତିପଦା ବା ବର୍ଷ ପ୍ରତିପଦା ହିଁ ଆମ ନିଜର ନୂଆବର୍ଷ ଅଟେ। ଆମର ପରମ୍ପରା ଅନୁସାରେ, ଚୈତ୍ର ଶୁକ୍ଳ ପ୍ରତିପଦା ସୃଷ୍ଟିର ପ୍ରଥମ ଦିବସ ହୋଇଥିବାରୁ ଆମେ ଏହାକୁ ନବବର୍ଷର ମାନ୍ୟତା ଦେଇଥାଉ। ଆମ ପାଇଁ ଏହି ଦିନର ପ୍ରାକୃତିକ, ଐତିହାସିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଅଛି।

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଚୈତ୍ରମାସ ଶୁକ୍ଳପକ୍ଷର ପ୍ରଥମ ଦିନକୁ ରାଷ୍ଟ୍ରୀୟ ନବବର୍ଷ ରୂପେ ପାଳନ କରାଗଲେ ଆମର ଛାତ୍ରଛାତ୍ରୀମାନେ ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧରେ ଜ୍ଞାତ ହେବା ସଙ୍ଗେସଙ୍ଗେ ସେମାନଙ୍କ ମନରେ ରାଷ୍ଟ୍ରପ୍ରେମ ଜାଗ୍ରତ ହୋଇପାରିବ ବୋଲି ଡକ୍ଟର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲିଖିତ ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Reply