ସମାଜସେବୀ ହରିହର ନନ୍ଦଙ୍କ ପୁଣ୍ୟ ତିଥିରେ ରକ୍ତଦାନ, ୧୦୨ ୟୁନିଟ ସଂଗ୍ରହ
ବାଲେଶ୍ୱର, ୧୦।୩: ବିଶିଷ୍ଟ ସମାଜସେବୀ, ପ୍ରଖର ରାଷ୍ଟ୍ରବାଦୀ ଚିନ୍ତା ନାୟକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ତଥା ଲେଖକ ହରିହର ନନ୍ଦଙ୍କ ପୁଣ୍ୟ ତିଥିରେ ଭାରତୀୟ ସଂସ୍କୃତି ପ୍ରଚାର ସମିତି, ବାଲେଶ୍ଵର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ଶିବିରକୁ ମୁଖ୍ୟ ଅତିଥି ଭାବେ ସମିତିର ଅଧକ୍ଷ ଗୋପାଳ ଖଣ୍ଡେଲୱାଲ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମିତିର ସମ୍ପାଦକ ପ୍ରଭଞ୍ଜନ ପାଢ଼ୀ, ଉପଦେଷ୍ଟା ରଘୁନାଥ ପାତ୍ର, ବାଲେଶ୍ୱର ବ୍ଲଡବ୍ୟାଙ୍କର ଡା.ବସନ୍ତ ଉପାଧ୍ୟାୟ, ନଗର ସଙ୍ଘଚାଳକ ଗୋପାଳଚନ୍ଦ୍ର ନାୟକ, ଜିଲ୍ଲା ସେବା ପ୍ରମୁଖ ହେମନ୍ତ ମହାନ୍ତି, ନଗର ସେବା ପ୍ରମୁଖ ହୃଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବାଲେଶ୍ୱର ଜିଲ୍ଲା ବାଳିଆପାଟିରେ ଜନ୍ମଗ୍ରହଣ କରି କଲିକତାରୁ ଉଚ୍ଚଶିକ୍ଷା ଗ୍ରହଣ ପରେ ରାଷ୍ଟ୍ରସେବା ପାଇଁ ସମ୍ପୂର୍ଣ୍ଣ ଜୀବନ ଲଗାଇଦେଇଥିଲେ। ପରିଣତ ବୟସରେ ମଧ୍ୟ ନିଜ ଲେଖନୀ ମାଧ୍ୟମରେ ଦେଶାତ୍ମବୋଧକ ଲେଖା ଓ କବିତା ଦ୍ୱାରା ଭାରତ ମାତାଙ୍କର ସେବା କରିଆସୁଥିଲେ। ଅତିଥିମାନେ ସ୍ବର୍ଗତ ନନ୍ଦଙ୍କ ତ୍ୟାଗପୁତ ଜୀବନ ଏବଂ ସମାଜସେବା ପାଇଁ ଉତ୍ସର୍ଗୀକୃତ ମନୋଭାବ ଉପରେ ମତ ରଖିବା ସହ ବର୍ତ୍ତମାନର ଯୁବପିଢିଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ। ଶିବିରରେ ମୋଟ ୧୦୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମିତିର କର୍ମକର୍ତ୍ତା ସହଯୋଗ କରିଥିଲେ। ବାଲେଶ୍ୱର ଜିଲ୍ଲା ବ୍ଲଡ ବ୍ୟାଙ୍କର ୬ ଜଣ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ସାହୁ, ଶିବବ୍ରତ ମହାପାତ୍ର, ରାଜକିଶୋର ପ୍ରାମାଣିକ, ଅଙ୍କୁଶ ପଣ୍ଡା, ନନ୍ଦକିଶୋର ରଣା ସହଯୋଗ କରିଥିଲେ।