ରାଜଧାନୀ ଭୁବନେଶ୍ୱରରେ ‘ଲଭ୍ ଜିହାଦ୍’ର ସାଂଘାତିକ ଚିତ୍ର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ‘ଲଭ୍ ଜିହାଦ୍’ର ସାଂଘାତିକ ଚିତ୍ର । ମିଛ ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ଅକଥନୀୟ ନିର୍ଯାତନା ଦେଉଥିଲା ଅଭିଯୁକ୍ତ ଇରଫାନ । ତେବେ କର୍ଣ୍ଣାଟକ ଫେରାର ହେବା ପୂର୍ବରୁ ସହିଦନଗର ଥାନା ପୋଲିସ ହାତରେ ଧରାପଡ଼ିଛି ଧୂର୍ତ୍ତ ପ୍ରେମିକ । ଗିରଫ ଅଭିଯୁକ୍ତ ଜଣକ ହେଉଛି କର୍ଣ୍ଣାଟକର ଇରଫାନ ଅନସାରୀ ।

ନିଜକୁ ‘ଜୟରାମ ଶର୍ମା’ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା କର୍ଣ୍ଣାଟକର ଇରଫାନ ଅନସାରୀ । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଶେଷରେ ପହଞ୍ଚିଥିଲା ହୋଟେଲ ରୁମ୍‌ର ନିର୍ଯାତନା ପର୍ଯ୍ୟନ୍ତ । ଯୁବତୀ ଜଣକ ଅସଲ ପରିଚୟ ଜାଣିବା ପରେ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ, ହେଲେ ଅଭିଯୁକ୍ତ ତାଙ୍କୁ ବନ୍ଧକ ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
କେବଳ ସେତିକି ନୁହେଁ, ଯୁବତୀଙ୍କୁ ଜୋର ଜବରଦସ୍ତ କର୍ଣ୍ଣାଟକ ନେଇଯିବାକୁ ଇରଫାନ ଯୋଜନା କରୁଥିବା ବେଳେ ଅଧାବାଟରେ ମାଡ଼ି ବସିଛି ସହିଦନଗର ଥାନା ପୋଲିସ । ଇରଫାନ ନିକଟରୁ ମାରଣାସ୍ତ୍ର ସହ ଏକାଧିକ ଜାଲ୍ ପରିଚୟ ପତ୍ର ଜବତ କରାଯାଇଛି ।

ଯୁବତୀ ଜଣକ କର୍ଣ୍ଣାଟକର ଏକ ହୋଟେଲରେ କାମ କରୁଥିବା ବେଳେ ଇରଫାନଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେଠାରେ ଇରଫାନ ନିଜକୁ ଜୟରାମ ଶର୍ମା କହି ବନ୍ଧୁତା ବଢ଼ାଇଥିଲା । ପରେ ଯୁବତୀ ଜଣକ ପୁରୀ ଆସି ଚାକିରି କରିଥିବା ବେଳେ ଅଭିଯୁକ୍ତ ସେଠାକୁ ଆସି ମଧ୍ୟ ଦେଖା କରୁଥିଲା ।

ଦୀର୍ଘ ଏକ ବର୍ଷ ଧରି ସବୁ କିଛି ଠିକ୍ ଚାଲିଥିବା ବେଳେ ଦିନେ ଯୁବତୀଙ୍କ ହାତରେ ଇରଫାନର ଦୁଇଟି ଆଧାର କାର୍ଡ ଲାଗିଥିଲା । ଗୋଟିଏରେ ‘ଜୟରାଜ ଶର୍ମା’ ଓ ଅନ୍ୟଟିରେ ‘ଇରଫାନ ଅନସାରୀ’ ନାମ ଦେଖି ଯୁବତୀଙ୍କ ସନ୍ଦେହ ବଢ଼ିଥିଲା ।

ସତ ପଦାକୁ ଆସିବା ପରେ ଅଭିଯୁକ୍ତ ଉଗ୍ର ରୂପ ଧାରଣ କରିଥିଲା ଏବଂ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରୁଥିଲା । ଯେତେବେଳେ ସାରା ବିଶ୍ୱ ଯେତେବେଳେ ମହିଳା ଦିବସ ପାଳନ କରୁଛି, ସେତିକି ବେଳେ ଜଣେ ମହିଳାଙ୍କୁ ଏଭଳି ବିପଦରୁ ରକ୍ଷା କରିଥିବାରୁ କମିଶନରେଟ୍ ପୋଲିସକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।

Leave a Reply