Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବ୍ୟାପୀ ପରିସରରେ ଶୃଙ୍ଗାର ଗୌରୀ ପୂଜା ପ୍ରସଙ୍ଗ ମୁସ୍‌ଲିମ୍‌ ପକ୍ଷରୁ ଆବେଦନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବ୍ୟାପୀ ପରିସରରେ ଶୃଙ୍ଗାର ଗୌରୀ ପୂଜା ପ୍ରସଙ୍ଗ ମୁସ୍‌ଲିମ୍‌ ପକ୍ଷରୁ ଆବେଦନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ- ଜ୍ଞାନବ୍ୟାପୀ ପରିସରରେ ଶୃଙ୍ଗାର ଗୌରୀଙ୍କ ନିୟମିତ ପୂଜା ମାମଲା ବାରଣାସୀ କୋର୍ଟରେ ଜାରି ରହିବ । ଏହି ମାମଲା ବିରୋଧରେ ମସଜିଦ କମିଟିର ପୁନର୍ବିଚାର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି । ବାରଣାସୀର ଜିଲ୍ଲା ଅଦାଲତ ମଧ୍ୟ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷଙ୍କ ଆବେଦନକୁ ଖାରଜ କରିଥିଲେ । ଶୃଙ୍ଗାର ଗୌରୀଙ୍କ ନିୟମିତ ପୂଜାର ଦାବି ନେଇ ୫ ହିନ୍ଦୁ ମହିଳା ବାରଣାସୀ କୋର୍ଟରେ ଆବେଦନ କରିଥିଲେ । ଏହା ବିରୋଧରେ ମୁସଲିମ୍‌ ପକ୍ଷରୁ ଦ୍ୱାରସ୍ଥ ହୋଇଥିଲେ ହାଇକୋର୍ଟରେ । ଏହା ଉପରେ ଜଷ୍ଟିସ ଜେଜେ ମୁନିରଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଛନ୍ତି । ପୂର୍ବରୁ କୋର୍ଟ ଡିସେମ୍ବର ୨୩ରେ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏ ସଂପର୍କରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, ଏହା ଏକ ଐତିହାସିକ ନିଷ୍ପତ୍ତି କାରଣ ମୁସଲିମ ପକ୍ଷ ସବୁବେଳେ ଏହାକୁ ବିରୋଧ କରିଆସୁଥିଲେ । ବାରଣାସୀ ସିଭିଲ କୋର୍ଟ ସେପ୍ଟେମ୍ବର ୧୨ ତାରିଖରେ ଆମ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ । ବୁଧବାର କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ହିନ୍ଦୁ ପକ୍ଷ, ବିବାଦୀୟ ସମ୍ପତ୍ତି ଉପରେ ମା’ ଶୃଙ୍ଗାର ଗୌରୀ, ଭଗବାନ ଗଣେଷ ଏବଂ ହନୁମାନଙ୍କ ପୂଜା କରିବା ଅଧିକାର ମାଗୁଛନ୍ତି । ତେଣୁ ସିଭିଲ କୋର୍ଟ ନିକଟରେ ଏହି ମାମଲାର ନିଷ୍ପତ୍ତି ନେବାର ଅଧିକାର ଅଛି । ଅନ୍ୟପଟେ ଶୁଣାଣି ସମୟରେ ମୁସଲିମ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ଉପାସନା ସ୍ଥଳ ଅଧିନିୟମ ଅନ୍ତର୍ଗତ ନିୟମିତ ପୂଜା ପ୍ରତିବନ୍ଧିତ ଅଟେ । କାରଣ ପୂଜା ହେଲେ ଧାର୍ମିକ ପ୍ରକୃତିରେ ପରିବର୍ତ୍ତନ ଆସିପାରେ । ଏହା ଆଇନ ଅନୁଯାୟୀ ସଠିକ ନୁହେଁ । ତେଣୁ ଏଠାରେ ନିୟମିତ ପୂଜାକୁ ଅନୁମତି ମିଳିବା ଅନୁଚିତ । ସୂଚନାଯୋଗ୍ୟ ଯେ, ଶୃଙ୍ଗାର ଗୌରୀଙ୍କୁ ଦୈନିକ ପୂଜା କରିବାର ଦାବି ଦୀଘ ଦିନରୁ ଚାଲିଆସୁଛି । ବର୍ତ୍ତମାନ ଶୃଙ୍ଗାର ଗୌରୀଙ୍କ ପୂଜା ବର୍ଷରେ ଗୋଟିଏ ଦିନ ଚୈତ୍ର ନବରାତ୍ରର ଚତୁର୍ଥ ଦିନ କରାଯାଉଛି ।

Leave a Reply